ଜୁଲାଇ ପ୍ରଥମ ସପ୍ତାହ ସୁଦ୍ଧା ଭାରତର କରୋନା ଆକ୍ରାନ୍ତ ସଂଖ୍ୟା ୬ ଲକ୍ଷ ଛୁଇଁପାରେ : ବିଶେଷଜ୍ଞ

ନୂଆଦିଲ୍ଲୀ : ଭାରତରେ କରୋନା ଭାଇରସ ସଂକ୍ରମଣ ସଂଖ୍ୟା ଏବେ ନିୟମିତଭାବେ ବଢିଚାଲିଛି ଓ ଆସନ୍ତା ଜୁଲାଇ ପ୍ରଥମ ସପ୍ତାହରେ ଶିଖରରେ ପହଞ୍ଚିବ ବୋଲି ସଂକ୍ରାମକ ଓ ଜନସ୍ୱାସ୍ଥ୍ୟ ବିଶେଷଜ୍ଞମାନେ କହିଛନ୍ତି ।

ଲଣ୍ଡନ ସ୍କୁଲ ଅଫ ହାଇଜିନ ଏଣ୍ଡ ଟ୍ରପିକାଲ ମେଡିସିନର ପ୍ରଫେସର ତଥା ସେଣ୍ଟର ଫର କଣ୍ଟ୍ରୋଲ ଅଫ କ୍ରୋନିକ କଣ୍ଡିସନ୍ସର ନିର୍ଦ୍ଦେଶକ ପ୍ରଫେସର ଡି.ପ୍ରଭାକରନ କହିଛନ୍ତି ଯେ ଭାରତରେ ସଂକ୍ରମଣ ସଂଖ୍ୟା, ମୃତ୍ୟୁହାରକୁ ନଜରରେ ରଖି କୁହାଯାଇପାରିବ ଯେ ଆସନ୍ତା ଜୁଲାଇ ପ୍ରଥମ ସପ୍ତାହ ସୁଦ୍ଧା ଭାରତରେ ମୋଟ ସଂକ୍ରମଣ ସଂଖ୍ୟା ୪ରୁ ୬ ଲକ୍ଷ ମଧ୍ୟରେ ଥିବ ଓ ମୃତ୍ୟୁସଂଖ୍ୟା ୧୮ ହଜାରକୁ ବୃଦ୍ଧି ପାଇଥିବ ।

ଭାରତରେ କାହିଁକି ମୃତ୍ୟୁହାର କମ ରହୁଛି ସେସମ୍ପର୍କରେ ପ୍ରଭାକରନ କହିଛନ୍ତି ଯେ ଆମେରିକା, ଇଟାଲି କିମ୍ବା ସ୍ପେନ ତୁଳନାରେ ଭାରତରେ ଯୁବାବସ୍ଥାରେ ଥିବା ଲୋକଙ୍କ ସଂଖ୍ୟା ଅଧିକ । ଏଣୁ ଏହା କମ ମୃତ୍ୟୁହାରର ଏକ କାରଣ ହୋଇପାରେ ।

ଆଜି ଭାରତର ମୋଟ କରୋନା ସଂକ୍ରମିତ ସଂଖ୍ୟା ୧ ଲକ୍ଷ ୫୦ ହଜାର ଟପିଯାଇଛି । ଏହା ମଧ୍ୟରୁ ସକ୍ରିୟ ସଂକ୍ରମଣ ସଂଖ୍ୟା ୮୩୦୦୪ ଥିବାବେଳେ ମୃତ୍ୟ ସଂଖ୍ୟା ୪୩୩୭ ଓ ଆରୋଗ୍ୟ ସଂଖ୍ୟା ୬୪୪୨୫ ରହିଛି । ଭାରତରେ ଜାନୁଆରି ୩୦ରେ ପ୍ରଥମ କରୋନା ସଂକ୍ରମଣ ଦେଖାଦେଇଥିଲା । ଏଣୁ ପ୍ରଥମ ମାମଲାର ୧୧୯ ଦିନ ପରେ ଦେଢ ଲକ୍ଷ ମାମଲା ଦେଖାଦେଇଛି ।

ସମ୍ବନ୍ଧିତ ଖବର