ଭାରତରେ କୋଭିଡ୍‌ ସଂକ୍ରମଣ, ୫ ଦିନରେ ୫ରୁ ୬ ଲକ୍ଷ

ଆସାମର କରୋନା ମୁକାବିଲା ବାଟରେ ବନ୍ୟା ପ୍ରତିବନ୍ଧକ

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ମାମଲା ୬ ଲକ୍ଷ ଟପିଯାଇଛି। ମାତ୍ର ୫ ଦିନରେ ଭାରତରେ ସଂକ୍ରମିତଙ୍କ ସଂଖ୍ୟା ୫ ଲକ୍ଷରୁ ୬ ଲକ୍ଷକୁ ବୃଦ୍ଧି ପାଇଛି। ଦେଶରେ କରୋନା ସଂକ୍ରମଣ ମାମଲା ୧ରୁ ୧ଲକ୍ଷ ହେବାପାଇଁ ୧୦୯ ଦିନ ଲାଗିଥିଲା। ଏହି ସମୟରେ ସଂକ୍ରମଣ ବୃଦ୍ଧି ହାର ୧୧.୧ ପ୍ରତିଶତ ଥିଲା। ତେବେ ମାମଲା ୧ ଲକ୍ଷରୁ ୨ ଲକ୍ଷ ହେବାପାଇଁ ୧୫ ଦିନ ଲାଗିଲା। ସଂକ୍ରମଣ ବୃଦ୍ଧି ହାର ଏହି ସମୟରେ ୪.୭ ପ୍ରତିଶତ ରହିଥିଲା। ପରେ ମାମଲା ୨ ଲକ୍ଷରୁ ୩ ଲକ୍ଷ ‌ହେବାପାଇଁ ୧୦ ଦିନ, ୩ ଲକ୍ଷରୁ ୪ ଲକ୍ଷ ହେବାପାଇଁ ୮ ଦିନ, ୪ ଲକ୍ଷରୁ ୫ ଲକ୍ଷ ହେବାପାଇଁ ୬ ଦିନ ଏବଂ ୫ ଲକ୍ଷରୁ ୬ ଲକ୍ଷ ହେବାପାଇଁ ୫ ଦିନ ଲାଗିଛି। ତେବେ ସଂକ୍ରମଣ ବୃଦ୍ଧିହାର ବର୍ତ୍ତମାନ ୩.୫ ପ୍ରତିଶତ ରହିଛି। ଅନ୍ୟପକ୍ଷେ ଭାରତ ସକ୍ରିୟ ମାମଲାରେ ରୁଷ୍‌କୁ ଟପିଯାଇ ବିଶ୍ବରେ ତୃତୀୟ ସ୍ଥାନରେ ରହିଛି। ଭାରତରେ ସକ୍ରିୟ ମାମଲା ୨ ଲକ୍ଷ ୨୬ ହଜାର ୯୪୭ ଥିବାବେଳେ ରୁଷ୍‌ରେ ସକ୍ରିୟ ମାମଲା ୨ ଲକ୍ଷ ୨୨ ହଜାର ୫୦୪ ରହିଛି। ତେବେ ୨ ଦିନ ପରେ ଭାରତରେ ପୁଣି ୧୯ ହଜାରରୁ ଅଧିକ ସଂକ୍ରମଣ ରିପୋର୍ଟ କରାଯାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧୯ ହଜାର ୧୪୮ ନୂଆ ମାମଲା ଚିହ୍ନଟ ହୋଇଛି ଏବଂ ୪୩୪ ମୃତ୍ୟୁ ହୋଇଛି। ଏଥିସହ ଦେଶରେ ମୋଟ୍‌ ସଂକ୍ରମିତଙ୍କ ସଂଖ୍ୟା ୬ ଲକ୍ଷ ୪ ହଜାର ୬୪୧ ପହଞ୍ଚିଛି। ଅନ୍ୟପକ୍ଷେ ମୃତ୍ୟୁସଂଖ୍ୟା ୧୭ ହଜାର ୮୩୪ ରହିଛି। ଆରୋଗ୍ୟ ହାର ଦେଶରେ ୫୯.୫୧ ପ୍ରତିଶତକୁ ବୃଦ୍ଧି ପାଇଛି। ମହାରାଷ୍ଟ୍ରରେ ପୁଣି ୫ ହଜାର ୫୩୭ ନୂଆ ମାମଲା ଚିହ୍ନଟ‌ ହୋଇଛି। ରାଜ୍ୟରେ ମୋଟ୍‌ ସଂକ୍ରମିତଙ୍କ ସଂଖ୍ୟା ୧ଲକ୍ଷ ୮୦ ହଜାର ଟପିଯାଇଛି। ଦିଲ୍ଲୀରେ ସଂକ୍ରମଣ ମାମଲା ୮୯ ହଜାର ୮୦୨ରେ ପହଞ୍ଚିଥିବା ବେଳେ ଗୁଜରାଟରେ ୩୩ ହଜାର ୨୩୨ ପହଞ୍ଚିଛି।

ତେବେ କରୋନା କବଳରୁ‌ ଲୋକଙ୍କୁ ସୁରକ୍ଷା ଦେବା ଆସାମ ପାଇଁ ଏକ ବଡ଼ ଚ୍ୟାଲେଂଜ ହୋଇଛି। କାରଣ ବନ୍ୟା ଆସାମରେ ଆତଙ୍କ ଖେଳାଇ ଦେଇଛି। ବନ୍ୟା ଏବଂ ଭୂସ୍ଖଳନ ଯୋଗୁଁ ଚଳିତ ସପ୍ତାହରେ ଆସାମରେ ୫୭ ଜଣଙ୍କ ମୃତ୍ୟୁ ହୋଇଛି। ୧.୫ ନିୟୁତ ଲୋକ ସେମାନଙ୍କ ଘର ଛାଡ଼ିବାପାଇଁ ବାଧ୍ୟ ହୋଇଛନ୍ତି। ଏଭଳି ସ୍ଥିତିରେ କରୋନା ମୁକାବିଲା କରିବା ଆସାମ ପାଇଁ ବଡ଼ କଷ୍ଟଦାୟକ ହୋଇଯାଇଛି। ଆଇସିଏମ୍‌ଆର ତଥ୍ୟ ମୁତାବକ ଦେଶରେ ଜୁଲାଇ ୧ ସୁଦ୍ଧା ୯୦.୫ ଲକ୍ଷ ନମୁନା ଟେଷ୍ଟ କରାଯାଇଛି। କେବଳ ଗୁରୁବାର ଦିନ ୨.୨ ଲକ୍ଷରୁ ଅଧିକ ନମୁନା ପରୀକ୍ଷା ହୋ‌ଇଛି।

ସମ୍ବନ୍ଧିତ ଖବର