ଦେଶରେ ସଂକ୍ରମଣର ନୂଆ ରେକର୍ଡ : ଦିନକରେ ପ୍ରାୟ ୧୩ ହଜାର ମାମଲା, ତାମିଲନାଡ଼ୁରେ ୫୦ ହଜାର ଟପିଲା

ନୂଆଦିଲ୍ଲୀ : ଏବେ ଦେଶରେ କରୋନା ସଂକ୍ରମଣ ଉଦ୍‌ବେଗଜନକ ଭାବେ ବଢ଼ିଚାଲିଛି। ଦେଶରେ ଦିନକରେ ରେକର୍ଡ ୧୨ ହଜାର ୮୮୧ ନୂଆ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି ଏବଂ ୩୩୪ ଜଣଙ୍କ ମୃତ୍ୟୁ ହୋଇଛି। ମୋଟ୍‌ ସଂକ୍ରମଣ ମାମଲା ୩ ଲକ୍ଷ ୬୬ ହଜାର ୯୪୬ରେ ପହଞ୍ଚିଛି। ଦେଶରେ ୧ ଲକ୍ଷ ୬୦ ହଜାର ୩୮୪ ସକ୍ରିୟ ମାମଲା ଥିବାବେଳେ ୧ ଲକ୍ଷ ୯୪ ହଜାର ୩୨୪ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି। ଲଗାତାର ୭ ଦିନ ଧରି ଦେଶରେ ମାମଲା ୧୦ ହଜାରରୁ ଅଧିକ ରହୁଛି। ‌କେବଳ ମହାରାଷ୍ଟ୍ରରେ ଗତ ୨୪ ଘଣ୍ଟାରେ ୩ ହଜାର ୩୦୭ ନୂଆ ମାମଲା ଚିହ୍ନଟ ହୋଇଛି। ମହାରାଷ୍ଟ୍ରରେ ମୋଟ୍‌ ସଂକ୍ରମିତଙ୍କ ସଂଖ୍ୟା ୧ ଲକ୍ଷ ୧୬ ହଜାର ୭୫୨ରେ ପହଞ୍ଚିଛି। ରାଜ୍ୟରେ ୫୧ ହଜାର ୯୩୫ ସକ୍ରିୟ ମାମଲା ଥିବାବେଳେ ୫୯ ହଜାର ୧୬୬ ଜଣ ରୋଗରୁ ସୁସ୍ଥ ହୋଇଛନ୍ତି। ଅନ୍ୟପକ୍ଷେ ତାମିଲନାଡ଼ୁରେ ସଂକ୍ରମଣ ମାମଲା ୫୦ ହଜାର ଟପିଯାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ତାମିଲନାଡ଼ୁରେ ୨,୧୭୪ ମାମଲା ଚିହ୍ନଟ ହୋଇଥିବା ବେଳେ ମୋଟ୍‌ ମାମଲା ୫୦ ହଜାର ୧୯୩ରେ ପହଞ୍ଚିଛି। ଅନ୍ୟପ‌କ୍ଷେ ଦେଶରେ ମୃତ୍ୟୁସଂଖ୍ୟା ୧୨ ହଜାର ୨୩୭ରେ ପହଞ୍ଚିଛି। ଜାତୀୟ ରାଜଧାନୀ ଦିଲ୍ଲୀରେ ସ୍ଥିତି ଦିନକୁ ଦିନ ବିଗିଡ଼ିବାରେ ଲାଗିଛି। ଦିଲ୍ଲୀରେ କୋଭିଡ୍‌-୧୯ ସଂକ୍ରମିତଙ୍କ ସଂଖ୍ୟା ୪୭ ହଜାର ୧୦୨କୁ ବୃଦ୍ଧି ପାଇଛି। ଦିଲ୍ଲୀରେ ମୋଟ୍‌ ୧୭ ହଜାର ୪୫୭ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି ଏବଂ ୧୯୦୪ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି।

ଗତ ୨୪ ଘଣ୍ଟା ମଧ୍ୟରେ ଭାରତରେ ୧ ଲକ୍ଷ ୬୫ ହଜାର ୪୧୪ କରୋନା ଟେଷ୍ଟ୍‌ କରାଯାଇଛି ବୋଲି ଆଇସିଏମ୍‌ଆର ପକ୍ଷରୁ ସୂଚନା ମିଳିଛି। ଦିନକରେ ଏହା ସବୁଠୁ ଅଧିକ ଟେଷ୍ଟ୍‌। ଦେଶରେ ମୋଟ୍‌ ୬୨ ଲକ୍ଷ ୪୯ ହଜାର ୬୬୮ କରୋନା ‌ଟେଷ୍ଟ୍‌ ସରିଛି। ଏଯାବତ୍‌ ୯୫୩ ଟି ଲାବ୍ରୋଟୋରିକୁ କରୋନା ଟେଷ୍ଟ୍‌ ପାଇଁ ସ୍ବିକୃତୀ ପାଇଛନ୍ତି।

ସମ୍ବନ୍ଧିତ ଖବର