କୋଭିଡ-୧୯ ମହାମାରୀର ଶେଷ ଏବେ ବହୁ ଦୂରରେ !

ନୂଆଦିଲ୍ଲୀ: ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ (ଡବ୍ଲୁଏଚଓ)ର ମହାନିର୍ଦ୍ଦେଶକ ଟେଡ୍ରୋସ ଏଡନୋମ୍ ଘେବ୍ରିୟସ୍ କରୋନାକୁ ନେଇ ଏକ ବଡ଼ ବୟାନ ଦେଇଛନ୍ତି।

ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ (ଡବ୍ଲୁଏଚଓ)ର ମହାନିର୍ଦ୍ଦେଶକ କହିଛନ୍ତି, ସମଗ୍ର ପୃଥିବୀ କରୋନା ଟିକା ଆସି ସାରିଛି। ଟିକା ଦେବା ଅଭିଯାନ ବି ଜୋରସୋର ଚାଲିଛି। ଏଯାବତ ୭୮କୋଟିରୁ ଅଧିକ ଟିକା ଦିଆଯାଇ ସାରିଛି। ଏହା ସତ୍ତ୍ବେ ମହାମାରୀ ଶେଷ ବହୁ ଦୂରରେ ରହିଛି।

ଚୀନର ଉହାନ୍ ସହରରେ ୨୦୧୯ ଡିସେମ୍ବର ମାସରେ କରୋନା ସଂକ୍ରମଣର ପ୍ରଥମ ମାମଲା ସାମ୍ନାକୁ ଆସିଥିଲା। ଏଯାବତ୍ ବିଶ୍ବରେ ୧୩,୬୫,୦୦,୪୦୦ ଲୋକ ଏହି କରୋନା ସଂକ୍ରମଣରେ ସଂକ୍ରମିତ ହୋଇଛନ୍ତି। ଏଥିମଧ୍ୟରୁ ୨୯,୪୪,୫୦୦ଜଣଙ୍କ ଏଥିରେ ମୃତ୍ୟୁ ହୋଇଥିବା ରିପୋର୍ଟ ରହିଛି। ଏଣୁ ସମସ୍ତଙ୍କୁ ଭୂତାଣୁ ସଂକ୍ରମଣ ପ୍ରତି ସତର୍କ ରହିବାକୁ ଚେତାବନୀ ଦିଆଯାଇଛି। ଏବେ ପୁଣି ଥରେ ଏସିଆ ଓ ମଧ୍ୟପ୍ରାଚ୍ୟର ଅନେକ ଦେଶରେ କରୋନା ସଂକ୍ରମଣ ବଢିବାରେ ଲାଗିଛି।

ଟେଡ୍ରୋସଙ୍କ କହିବାନୁସାରେ, ବିଶ୍ବରେ ଜାନୁଆରି ଓ ଫେବ୍ରୁଆରି ମାସ ଅର୍ଥାତ ୬ସପ୍ତାହ ପର୍ଯ୍ୟନ୍ତ ସଂକ୍ରମଣ ହ୍ରାସ ପାଇଥିଲା। ଏବେ କ୍ରମାଗତ ୭ ସପ୍ତାହ ହେବ ପୁଣି ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ଏମିତି କି ୪ସପ୍ତାହରେ କରୋନା ସଂକ୍ରମିତ ମୃତକଙ୍କ ସଂଖ୍ୟା ମଧ୍ୟ ବଢ଼ିଯାଇଛି।

ଟିକା ନେବାର ଅର୍ଥ ନୁହେଁ ସଂକ୍ରମିତ ହେବେ ନାହିଁ। ଏଣୁ ଟିକା ନେଇଥିଲେ ଅଧିକ ସତର୍କତା ଅବଲମ୍ବନ କରନ୍ତୁ। ଟିକା ନେବା ପରେ ସାମାନ୍ୟ ଅବହେଳା ବି ଘାତକ ହୋଇପାରେ। ଏଣୁ ସବୁଦିନ ସବୁ ସପ୍ତାହ ସତର୍କ ହୋଇ ଚଳନ୍ତୁ।

ସମ୍ବନ୍ଧିତ ଖବର