ତାମିଲନାଡୁରେ କରୋନାଭାଇରସ୍ ଆକ୍ରାନ୍ତ ବ୍ୟକ୍ତି ମୃତ

ନୂଆଦିଲ୍ଲୀ: ବୁଧବାର ବିଳମ୍ବିତ ରାତ୍ରିରେ ତାମିଲନାଡୁ ରାଜ୍ୟର ଏକ ସରକାରୀ ଡାକ୍ତରଖାନାରେ ଜଣେ କରୋନଭାଇରସ୍ ଆକ୍ରାନ୍ତ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି । ଟୁଇଟ୍ କରି ଏ କଥା ଜଣାଇଛନ୍ତି ତାମିଲନାଡୁର ସ୍ୱାସ୍ଥ୍ୟ ମନ୍ତ୍ରୀ ସି ବିଜୟଭାସ୍କର।

ବିଜୟଭାସ୍କର କହିଛନ୍ତି ଯେ ତାମିଲନାଡୁର ରାଜାଜୀ ହସ୍ପିଟାଲରେ ଉକ୍ତ ୫୪ ବର୍ଷିୟ ରୋଗୀଙ୍କର ମୃତ୍ୟୁ ଘଟିଛି । ସେ ଦୀର୍ଘଦିନ ହେବ ‘ସିଓପିଡି’ରେ (ଫୁସ୍ଫୁସ୍ ସଂକ୍ରମଣଜନିତ ରୋଗ) ଆକ୍ରାନ୍ତ ଥାଇ ଷ୍ଟେରଏଡ୍ ଔଷଧ ଉପରେ ନିର୍ଭରଶୀଳ ଥିଲେ । ତାଙ୍କର ହାଇପରଟେନ୍ସନ୍ ସହ ମଧୁମେହ ରୋଗ ମଧ୍ୟ ନିୟନ୍ତ୍ରଣରେ ନ ଥିଲା ।

ଏହା ତାମିଲନାଡୁରେ କରୋନାଭାଇରସ୍ ସଂକ୍ରମଣଜନିତ ପ୍ରଥମ ମୃତ୍ୟୁ ଘଟଣା । ମଦୁରାଇ ବାସିନ୍ଦା ଏହି ବ୍ୟକ୍ତିଜଣକ ନିକଟ ଅତୀତରେ ଦେଶ କିଂବା ବିଦେଶ ଭ୍ରମଣ କରି ନ ଥିଲେ ।

Image Source: Hindustan Times

ପୂର୍ବରୁ ତାମିଲନାଡୁ ସ୍ୱାସ୍ଥ୍ୟମନ୍ତ୍ରୀ ବିଜୟଭାସ୍କର କହିଥିଲେ ଯେ ରାଜ୍ୟରେ ତିନୋଟି ନୂଆ କରୋନାଭାଇରସ୍ ମାମଲା ରିପୋର୍ଟ କରାଯାଇଛି । ଉକ୍ତ ରୋଗୀମାନଙ୍କୁ ଏକାନ୍ତବାସରେ ରଖାଯାଇଛି । ଏ ପ୍ରସଙ୍ଗରେ ସେ ଟୁଇଟ୍ କରି ଲେଖିଥିଲେ: ଚେନ୍ନାଇରେ ତିନୋଟି ନୂଆ କରୋନାଭାଇରସ୍ କେସ୍ ଦେଖାଦେଇଛି । ନିଉଜିଲାଣ୍ଡରୁ ଫେରିଥିବା ଜଣେ ୬୫ ବର୍ଷିୟ ପୁରୁଷ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ଜଣେ ୫୫ ବର୍ଷୀୟ ମହିଳା କିଲପୌକ୍ ମେଡିକାଲ୍ କଲେଜରେ ଭର୍ତ୍ତି ହୋଇଥିବା ବେଳେ ଇଂଲଣ୍ଡରୁ ଫେରିଥିବା ଜଣେ ୨୫ ବର୍ଷିୟ ଯୁବକ ରାଜୀବ ଗାନ୍ଧୀ ସରକାରୀ ଜେନେରାଲ୍ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ।

ତିନିଜଣ ମହିଳାଙ୍କ ସମେତ ଛଅଜଣ ନୂଆ କରୋନାଭାଇରସ୍ ସଂକ୍ରମଣ ଆସିବା ପରେ ମଙ୍ଗଳବାର ସୁଦ୍ଧା ତାମିଲନାଡୁରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୧୮କୁ ବୃଦ୍ଧି ପାଇଛି ।

ସମ୍ବନ୍ଧିତ ଖବର