ନୂଆଦିଲ୍ଲୀ: ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ନିକଟରେ ପ୍ରକାଶ ପାଇଥିବା ୧୬୮ ତମ ରିପୋର୍ଟରେ ପ୍ରକାଶିତ ତଥ୍ୟରୁ ଭାରତରେ ନିୟୁତ ପିଛା କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବିଶ୍ୱ ତୁଳନାରେ ସବୁଠାରୁ କମ୍ ରହିଥିବା ଜାଣିବାକୁ ମିଳିଛି। ସେହିପରି, ଏହି ରିପୋର୍ଟରେ ଆହୁରି ମଧ୍ୟ ଦର୍ଶାଯାଇଛି ଯେ, ଭାରତରେ ପ୍ରତି ନିୟୁତ ଜନସଂଖ୍ୟାରେ ମୃତ୍ୟୁ ହାର ମଧ୍ୟ ସର୍ବନିମ୍ନ ରହିଛି। ଭାରତରେ ନିୟୁତ ପିଛା ଏହା ୧୪.୨୭ ହୋଇଥିବା ବେଳେ ବିଶ୍ୱ ସ୍ତରରେ ଏହା ୪ଗୁଣ ଅଧିକ ଅର୍ଥାତ ୬୮.୨୯ ରହିଛି। ଇଂଲଣ୍ଡରେ ପ୍ରତି ନିୟୁତ ଜନସଂଖ୍ୟାରେ କୋଭିଡ-୧୯ ଜନିତ ମୃତ୍ୟୁ ସଂଖ୍ୟା ୬୫୧.୪ ହୋଇଥିବା ବେଳେ ସ୍ପେନ, ଇଟାଲି, ଫ୍ରାନ୍ସ ଓ ଯୁକ୍ତରାଷ୍ଟ୍ର ଆମେରିକାରେ ଏହା ଯଥାକ୍ରମେ ୬୦୭.୧, ୫୭୬.୬, ୪୫୬.୭ ଓ୩୯୧.୦ ରହିଛି।
ସେହପରି କୋଭିଡ୍-୧୯ରୁ ଭାରତରେ ଆରୋଗ୍ୟ ହାର ଜାତୀୟ ସ୍ତରରେ ୬୧ ପ୍ରତିଶତରୁ ଅଧିକ ରହିଥିବା ଏହି ରିପୋର୍ଟରୁ ଜାଣିବାକୁ ମିଳିଛି। ଭାରତରେ ଆବଶ୍ୟକତା ମୁତାବକ ହସ୍ପିଟାଲ ଭିତ୍ତିଭୂମି ସହ ସଂକ୍ରମଣ ରୋକିବା ପାଇଁ ପର୍ଯ୍ୟାପ୍ତ ବ୍ୟବସ୍ଥା ଉପଲବ୍ଧ ଥିବା କାରଣରୁ ଏହା ସମ୍ଭବ ହୋଇପାରିଛି। ଏଥିସହ କୋଭିଡ୍-୧୯ ଚିକିତ୍ସା ପାଇଁ ଅମ୍ଳଜାନ ସହାୟତା, ଆଇସିୟୁ ଓ ଭେଣ୍ଟିଲେଟର ସୁବିଧା ସହ ଭାରତରେ ୧୨୦୧ ଉତ୍ସର୍ଗୀକୃତ କୋଭିଡ ହସ୍ପିଟାଲ, ୨୬୧୧ ଉତ୍ସର୍ଗୀକୃତ କୋଭିଡ ସ୍ୱାସ୍ଥ୍ୟ କେନ୍ଦ୍ର ଓ ୯୯୦୯ଟି କୋଭିଡ୍ ସେବା କେନ୍ଦ୍ରରେ ଗୁରୁତର ଲକ୍ଷଣ ଠାରୁ ଆରମ୍ଭ କରି ସାମାନ୍ୟ ଲକ୍ଷଣ ଥିବା କରୋନା ସଂକ୍ରମିତଙ୍କ ଚିକିତ୍ସା କରାଯାଉଛି।
/sambad/media/post_attachments/wp-content/uploads/2020/07/B2.jpg)
ଏହିସବୁ ପରିଚାଳନାଗତ ବ୍ୟବସ୍ଥା ଯୋଗୁଁ ଭାରତରେ କୋଭିଡ୍ ଆରୋଗ୍ୟ ହାର ବୃଦ୍ଧି ପାଇବା ସହ ମୃତ୍ୟୁ ହାର ମଧ୍ୟ ହ୍ରାସ ପାଇଛି। ଶୀଘ୍ର ରୋଗ ଚିହ୍ନଟ ସାଙ୍ଗକୁ ଉପଯୁକ୍ତ ଚିକିତ୍ସା ସେବା ଯୋଗୁଁ ଦିନକୁ ଦିନ ଆରୋଗ୍ୟ ହାର ବୃଦ୍ଧି ପାଇବାରେ ଲାଗିଛି। କେବଳ ଗତ ୨୪ ଘଣ୍ଟା ମଧ୍ୟରେ ୧୫,୧୧୫ ଜଣ ସଂକ୍ରମିତ ଆରୋଗ୍ୟ ଲାଭ କରିଥିବା ବେଳେ ମୋଟ ସୁସ୍ଥଙ୍କ ସଂଖ୍ୟା ୪,୩୯,୯୪୭ରେ ପହଞ୍ଚିଥିବା ରିପୋର୍ଟରେ ଉଲ୍ଲେଖ ରହିଛି।
ସେହିପରି ବର୍ତ୍ତମାନ ୨,୫୯,୫୫୭ ସକ୍ରିୟ ରୋଗୀ ଚିକିତ୍ସାଧୀନ ଅଛନ୍ତି। ଏବେ ଭାରତରେ ଦୈନିକ ପ୍ରାୟ ୨ଲକ୍ଷ ପର୍ଯ୍ୟନ୍ତ ନମୁନା ପରୀକ୍ଷଣ କରାଯାଉଛି। ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୨,୪୧,୪୩୦ ନମୁନା ପରୀକ୍ଷା କରାଯାଇଛି। ଏଥିସହ ଏଯାବତ୍ ଦେଶବ୍ୟାପୀ ମୋଟ ପରୀକ୍ଷା କରାଯାଇଥିବା ନମୁନା ସଂଖ୍ୟା ୧,୦୨,୧୧୦୯୨ରେ ପହଞ୍ଚିଛି।
ସେହିପରି ପରୀକ୍ଷାଗାର ସଂଖ୍ୟାରେ ମଧ୍ୟ ନିୟମିତ ବୃଦ୍ଧି ଘଟି ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ୭୯୩ ସରକାରୀ ଓ ୩୨୨ଟି ଘରୋଇ ଏହିପରି ୧୧୧୫ଟି ପରୀକ୍ଷାଗାରରେ ନମୁନା ପରୀକ୍ଷା କରାଯାଉଛି।