ଭାରତକୁ ଅସୁବିଧା କରିବ ଟେଷ୍ଟିଂକିଟ୍ ଅଭାବ
ନୂଆଦିଲ୍ଲୀ : ଭାରତର ୮ଟି ରାଜ୍ୟରେ କରୋନା-ପଜିଟିଭ୍ ହାର ବଢ଼ିଚାଲିଥିବା ବେଳେ ଭାରତ ଟେଷ୍ଟିଂକିଟ୍ ପାଇଁ କେବଳ ଆମଦାନୀ ଉପରେ ନିର୍ଭର କରି ଏବେ ଅସୁବିଧାରେ ପଡ଼ିଛି। ଯଦି ଭାରତରେ ଗବେଷଣା ହୋଇ ଟେଷ୍ଟିଂକିଟ୍ ଉତ୍ପାଦନ ସମ୍ଭବ ହୋଇପାରିବ, ତେବେ ଚୀନ୍ ଉପରେ ଏକକ ନିର୍ଭରଶୀଳତା କମିପାରେ। ଗବେଷକମାନେ କହୁଛନ୍ତି ଯେ ସାଲିଭା ବା ଲାଳ ନମୁନା ପରୀକ୍ଷାରୁ ରୋଗ ଜଣାପଡ଼ିଯାଉଛି। ତେଣୁ ଆର୍ଏନ୍ଏ କାଢ଼ିବା ଦରକାର ନାହିଁ। ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ ରିସର୍ଚ (ଆଇସିଏମ୍ଆର୍) ଓ ସରକାର କହୁଛନ୍ତି ଯେ କରୋନାଭୂତାଣୁ ମାମଲାଗୁଡ଼ିକ ଏବେ ଆପାତତଃ ସ୍ଥିର ହୋଇଯାଇଛି। ତେବେ ସ୍ଥିର ହେବା ବେଳର ସଂଖ୍ୟା ଯାହା, ତାହା ବି କମ୍ ନୁହେଁ। ଟେଷ୍ଟିଂ କିଟ୍ର ସ୍ଥାନୀୟ ଉତ୍ପାଦନ, ଆବଶ୍ୟକତା ଠାରୁ ବହୁତ ନିମ୍ନରେ ରହିଛି। ଚୀନ୍ରୁ ଆମଦାନୀ କରାଯାଉଥିବା ଟେଷ୍ଟିଂ କିଟ୍ ଖରାପ ପଡ଼ିବା ପରେ ସେଗୁଡ଼ିକୁ ପ୍ରତ୍ୟାହାର କରି ନିଆଯାଇଛି। ତେଣୁ ଭାରତର ଏକମାତ୍ର ଟେଷ୍ଟିଂ ପଦ୍ଧତି ପାଲଟିଛି– ଆର୍ଟି-ପିସିଆର୍ ଟେଷ୍ଟ। ଏହା ଏକ ଜଟିଳ ପରୀକ୍ଷା ଯେଉଁଥିପାଇଁ ସ୍ୱାବ୍ ସଂଗ୍ରହ କାଠି ଦରକାର, ଭଣ୍ଡାର ସୁବିଧା, ଆର୍ଏନ୍ଏ କାଢ଼ିବା କିଟ୍ ଓ ପିସିଆର୍ କିଟ୍ ଆଦି ଦରକାର। ଦିନକୁ ଯଦି ୩୫,୦୦୦ ଟେଷ୍ଟିଂ କରାଯାଏ. ତେବେ ଭାରତରେ ସପ୍ତାହଟେ ପାଇଁ ଆର୍ଏନ୍ଏ ଟାଣିବା କିଟ୍ ଅଭାବ ପଡ଼ିବ। ପ୍ରଚଳିତ ଟେଷ୍ଟିଂ ପଦ୍ଧତି ଅନୁଯାୟୀ ଆଏନ୍ଏ ନଟାଣି ଆର୍ଟି-ପିସିଆର୍ ଟେଷ୍ଟ କରାଯାଇପାରିବ ନାହିଁ। ମୁଷ୍ଟିମେୟ ଗବେଷକ ଏକ ନୂଆ ପଦ୍ଧତି ବାହାର କରିଛନ୍ତି, ଯେଉଁଥିରେ କେବଳ ଶୁଖିଲା ସ୍ୱାବ୍ ପରୀକ୍ଷା ହେବ। କିଛି ଟଣାଟଣି ଲୋଡ଼ା ହେବ ନାହିଁ। ତେଣୁ ଏଥିରେ ସ୍ୱାବ୍ ସାଇତିବା ପାଇଁ ସ୍ୱତନ୍ତ୍ର ରାସାୟନିକ ମିଶ୍ରଣ ଲୋଡ଼ା ହେବ ନାହିଁ। ଫଳରେ ସାର୍ସ-କୋଭ-୨ ବା କୋଭିଡ୍-୧୯ ଭୂତାଣୁର ଜିନ୍ଭିତ୍ତିକ ପରୀକ୍ଷଣ ହୋଇପାରିବ। ଏହି ପଦ୍ଧତିରେ ୧୧ଟି ନମୁନାରୁ ୯ଟିରେ ଠିକ୍ ରିପୋର୍ଟ ଆସୁଛି। ଅଥଚ ପ୍ରଚଳିତ ପଦ୍ଧତିରେ ୧୧ଟିରେ ୮ଟି ଠିକ୍ ଆସିଥାଏ। ଗବେଷକମାନେ ଆହୁରି ମଧ୍ୟ ପାଇଛନ୍ତି ଯେ ଏକ ନିର୍ଦିଷ୍ଟ କାଠି ଜରିଆରେ ଗଳା ବା ନାକରୁ ସ୍ୱାବ୍ ସଂଗ୍ରହ ଅପେକ୍ଷା ସେଇ କାଠି ଅଭାବରେ ମଣିଷ ଛେପରୁ ମଧ୍ୟ ନମୁନା ସଂଗ୍ରହ ସମ୍ଭବ। କେତେକ ରୋଗୀଙ୍କର ସ୍ୱାବ୍ ନମୁନାରୁ କରୋନାଭୂତାଣୁ ଠାବ ହୋଇପାରିନଥିବା ବେଳେ ସାଲିଭା ନମୁନାରୁ ତାହା ଠିକ୍ ରୂପେ ଠାବ ହୋଇପାରିଛି। ଇନ୍ଦୋର ଏକ ବଡ଼ କୋଭିଡ୍-୧୯ ହଟ୍ସ୍ପଟ୍ ହୋଇଥିବା ବେଳେ ସେଠାରେ ୮୦୦ରୁ କମ୍ ଆର୍ଏନ୍ଏ ଟାଣିବା କିଟ୍ ରହିଥିଲା। ଦେଶରେ ଏଭଳି ସଂକଟଜନକ ସ୍ଥିତି ଥିବା ବେଳେ ଚୀନ୍, ଦକ୍ଷିଣ କୋରିଆ ଓ ସିଙ୍ଗାପୁରରୁ କରୋନାଭୂତାଣୁ ଟେଷ୍ଟିଂକିଟ୍ ଆମଦାନୀ ହେଉଛି। ମାତ୍ର ସେଗୁଡ଼ିକ ପହଞ୍ଚିବାରେ ବହୁ ବିଳମ୍ବ ହେଉଥିବା ବେଳେ ନୂଆ ଗବେଷଣାରୁ ଏକ ବିକଳ୍ପର ସନ୍ଧାନ ମିଳିଥିବା ବିବେଚନା କରାଯାଉଛି।