ଅକ୍ଟୋବର-ନଭେମ୍ବର ମଧ୍ୟରେ ଶିଖର ସ୍ପର୍ଶ କରିପାରେ କୋଭିଡ୍-୧୯ର ତୃତୀୟ ଲହର; ଦ୍ବିତୀୟ ଲହର ଠାରୁ କମ୍ ହୋଇପାରେ ସଂକ୍ରମଣ: ମଡେଲ୍‌ ଅଧ୍ୟୟନ

ନୂଆଦିଲ୍ଲୀ: ସମ୍ପ୍ରତି ବିସ୍ତାରିତ ହେଉଥିବା ଭୂତାଣୁ ଅପେକ୍ଷା ସେପ୍ଟେମ୍ବର ସୁଦ୍ଧା ଯଦି ଅଧିକ ଗୁଣସୂତ୍ର-କ୍ରମ ପରିବର୍ତ୍ତିତ ମାରାତ୍ମକ ଭୂତାଣୁ ଉତ୍ପତ୍ତି ହୁଅନ୍ତି ତେବେ, ଭାରତରେ ଅକ୍ଟୋବର ଓ ନଭେମ୍ବର ମଧ୍ୟରେ କୋଭିଡ୍‌-୧୯ ସଂକ୍ରମଣର ତୃତୀୟ ଲହର ଶିଖର ସ୍ପର୍ଶ କରିବାର ସମ୍ଭାବନା ଥିବା କଥା ‘ଆଇଆଇଟି-କାନପୁର’ର ବୈଜ୍ଞାନିକ ମନୀନ୍ଦ୍ର ଅଗ୍ରୱାଲ୍‌ କହିଛନ୍ତି।

ସଂକ୍ରମଣରେ କୌଣସି ବୃଦ୍ଧି ଆଶଙ୍କା ରହିଛି କି, ନାହିଁ ପୂର୍ବାନୁମାନ କରିବା ଲାଗି ଦାୟିତ୍ବ ଦିଆଯାଇଥିବା ତିନିଜଣିଆ ସଦସ୍ୟବିଶିଷ୍ଟ ବିଶେଷଜ୍ଞ ଦଳର ଅନ୍ୟତମ ବିଶେଷଜ୍ଞ ଅଗ୍ରୱାଲ୍‌ କହିଛନ୍ତି, ଯଦି କୌଣସି ନୂତନ ଗୁଣସୂତ୍ର-କ୍ରମ ବିବର୍ତ୍ତିତ ଭୂତାଣୁ ଉତ୍ପନ୍ନ ନ ହୁଅନ୍ତି, ତା’ହେଲେ ପରିସ୍ଥିତି ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ।

Image Courtesy of India Today

ଯଦି ତୃତୀୟ ଲହର ଶିଖର ସ୍ପର୍ଶ କରେ, ଦେଶରେ ଦୈନିକ ମାତ୍ର ୧ ଲକ୍ଷ ସଂକ୍ରମଣ ପରିଲକ୍ଷିତ ହେବ। କିନ୍ତୁ, ମେ ମାସରେ ଶିଖର ସ୍ପର୍ଶ କରିଥିବା ଦ୍ବିତୀୟ ଲହରରେ ଦୈନିକ ସଂକ୍ରମଣ ଥିଲା ୪ ଲକ୍ଷ। ଏଥିରେ ବ୍ୟାପକ ଜନତା ସଂକ୍ରମିତ ହେବା ସହ ହଜାର ହଜାର ମୃତ୍ୟୁବରଣ କରିଥିଲେ।

ଯଦି ଅଧିକ ଗୁଣସୂତ୍ର-କ୍ରମ ବିବର୍ତ୍ତିତ ‘ସାର୍ସ-କୋଭି୨’ ନୂଆ କରି ସଂକ୍ରମଣ ବିସ୍ତାର କରେ ତୃତୀୟ ଲହର ଅକ୍ଟୋବର ରୁ ନଭେମ୍ବର ମଧ୍ୟରେ ଶିଖର ସ୍ପର୍ଶ କରିପାରେ ଏବଂ ଦେଶରେ ଦୈନିକ ସଂକ୍ରମଣ ସଂଖ୍ୟା ୧.୫ ଲକ୍ଷରୁ ୨ ଲକ୍ଷ ହେବ ବୋଲି ଗତ ମାସରେ ଏହି ମଡେଲ୍‌କୁ ଆଧାର କରି ସୂଚନା ପ୍ରଦାନ କରାଯାଇଥିଲା। କିନ୍ତୁ, ଏଯାବତ୍‌ ‘ଡେଲ୍‌ଟା’ ଭଳି ଗୁଣସୂତ୍ର-କ୍ରମ ବିବର୍ତ୍ତିତ ଅଧିକ ଭୟାବହ ଭୂତାଣୁ ଆଉ ବାହାରି ନାହିଁ।

ସମ୍ବନ୍ଧିତ ଖବର