ଦେଶବ୍ୟାପୀ ଚାଲିଛି କୋଭିଡ୍-୧୯ ଟିକାକରଣ; ‘କୋଭିସିଲ୍ଡ୍’ ଟିକା ନେଲେ ‘ସିରମ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ’ର ଅଦର ପୁନାଓ୍ଵାଲା
ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀ ମୋଦୀ ଦେଶରେ କୋଭିଡ୍-୧୯ ଟିକାକରଣ ଅଭିଯାନର ଶୁଭାରମ୍ଭ କରିବା ପରେ ଜାତୀୟ ରାଜଧାନୀ ଦିଲ୍ଲୀ ସମେତ ଦେଶବ୍ୟାପୀ ଟିକା ଦାନ ଆରମ୍ଭ ହୋଇଛି। ଏହି ଅବସରରେ ‘ସିରମ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ’ର ସିଓଇ ଅଦର ପୁନାଓ୍ଵାଲା ମଧ୍ୟ ତାଙ୍କ କମ୍ପାନି ନିର୍ମିତ ଟିକା ‘କୋଭିସିଲ୍ଡ୍’ର ଗୋଟିଏ ଡୋଜ୍ ନେଇଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ପଞ୍ଜାବର ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ୍ ଅମରିନ୍ଦର ସିଂହ କହିଛନ୍ତି, କୋଭିଡ୍-୧୯ ଟିକାକରଣ ଆରମ୍ଭ ହୋଇଥିବାରୁ ମୁଁ ଆନନ୍ଦିତ। ସ୍ୱାସ୍ଥ୍ୟକର୍ମୀମାନଙ୍କୁ ଟିକା ଦିଆଯାଇଛି। ପରେ ପରେ ଅନ୍ୟ ଲୋକମାନଙ୍କୁ ଟିକା ଦିଆଯିବ। ସ୍ୱଳ୍ପ ଆୟକାରୀ ବର୍ଗଙ୍କୁ ମାଗଣାରେ ଟିକା ଯୋଗାଇ ଦେବାକୁ ମୁଁ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରି ଚିଠି ଲେଖିଛି।
ଏହି ଟିକା ନିରାପଦ ବୋଲି ବୈଜ୍ଞାନିକ ଏବଂ ଡାକ୍ତରମାନେ କହିଛନ୍ତି। ଇଂଲଣ୍ଡ୍ର ୯୩ ବର୍ଷୀୟ ରାଣୀ ଏବଂ ତାଙ୍କ ୯୯ ବର୍ଷିୟ ସ୍ୱାମୀ ମଧ୍ୟ ଟିକା ନେଇଛନ୍ତି। ତେଣୁ ଡର କ’ଣ? ଡରିବା ଅନାବଶ୍ୟକ ବୋଲି ସେ କହିଛନ୍ତି।
ଜମ୍ମୁ ଓ କଶ୍ମୀରର ଜମ୍ମୁ ମେଡିକାଲ୍ କଲେଜ ଓ ହସ୍ପିଟାଲ୍ରେ ମଧ୍ୟ କୋଭିଡ୍-୧୯ ଟିକାକରଣ ଆରମ୍ଭ ହୋଇଛି। ସେଠାକାର ଜଣେ ପରିମଳ କର୍ମଚାରୀ କହିଛନ୍ତି, ମହାମାରୀ ସମୟରେ କୋଭିଡ୍-୧୯ ଡିୟୁଟି କରିବା ସମୟରେ ବହୁ ଅସୁବିଧାର ସମ୍ମୁଖୀନ ହୋଇଛୁ। ୬/୭ ମାସ ହେବ ଘରକୁ ମଧ୍ୟ ଯାଇନାହିଁ। ଟିକା ଆମ ମନରେ ଆଶା ସଞ୍ଚାର କରିଛି।
ରାଜ୍ୟପାଳ ମନୋଜ ସିହ୍ନା କହିଛନ୍ତି, ଆଜିର ଦିନଟି ଐତିହାସିକ। ସୁସ୍ଥ ଜମ୍ମୁ ଓ କଶ୍ମୀର ନିମନ୍ତେ ନିର୍ଦ୍ଧାରିତ ସମୟ ମଧ୍ୟରେ ସଫଳତାର ସହ ପ୍ରଥମ ପର୍ଯ୍ୟାୟ ଟିକାକରଣ ଅଭିଯାନ ପାଇଁ କାର୍ଯ୍ୟ କରୁଛୁ ଏବଂ ଏହାପରେ ଦ୍ୱିତୀୟ ପର୍ଯ୍ୟାୟ ସମ୍ପନ୍ନ କରିବୁ। କିନ୍ତୁ, କୋଭିଡ୍ ନିୟମାବଳୀ ପାଳନ କରିବା ଉଚିତ।
ଲକ୍ଷ୍ନୌର ବଳରାମପୁର ଡାକ୍ତରଖାନାରେ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଟିକା ଦାନ କାର୍ଯ୍ୟକ୍ରମ ଅନୁଧ୍ୟାନ କରିଥିଲେ। ସେ କହିଲେ, ଆଜି ଡାକ୍ତରଖାନାର ୧୦୨ଜଣ ସ୍ୱାସ୍ଥ୍ୟକର୍ମୀ ଟିକା ନେବେ। ଏ ପର୍ଯ୍ୟନ୍ତ ୧୫ଜଣଙ୍କୁ ଟିକା ଦିଆ ସରିଲାଣି ଏବଂ ସେମାନଙ୍କ ମଧ୍ୟରୁ ସମସ୍ତେ ଭଲ ଅଛନ୍ତି।
ସେହିଭଳି ‘ଏମ୍ସ୍’ର ନିର୍ଦେଶକ ଡାକ୍ତର ରଣଦୀପ ଗୁଲେରିଆ କହିଛନ୍ତି, ଏହି ଟିକା ନିରାପଦ ବୋଲି ମୁଁ ସମସ୍ତଙ୍କୁ ଭରସା ଦେଉଛି। ଏହା ଫଳପ୍ରଦ ହେଉଛି। ଅନେକ ଲୋକଙ୍କୁ ଟିକା ଦେବାକୁ ଥିବାରୁ ଦ୍ୱିଧାବୋଧ କରିବା ଅନୁଚିତ। ଆମର ଗବେଷକ, ବୈଜ୍ଞାନିକ ଏବଂ ଔଷଧ ନିୟନ୍ତ୍ରଣକାରୀ କର୍ତ୍ତୃପକ୍ଷଙ୍କ ଉପରେ ଆସ୍ଥା ରହିବା ଉଚିତ।
ଆନ୍ଧ୍ରପ୍ରଦେଶ ଅନ୍ତର୍ଗତ ବିଜୟଓ୍ଵାଡ଼ା ହସ୍ପିଟାଲ୍ରେ ମଧ୍ୟ କୋଭିଡ୍-୧୯ ଟିକାକରଣ ଆରମ୍ଭ ହୋଇଛି।
ଉତ୍ତରାଖଣ୍ଡର ଡେରାଡୁନ୍ସ୍ଥିତ ଡୁନ୍ ମେଡିକାଲ୍ କଲେଜରେ ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂହ ରାଓ୍ଵତଙ୍କ ଉପସ୍ଥିତିରେ ଟିକା ଦାନ ଆରମ୍ଭ ହୋଇଛି।
ଭାରତରେ ଟିକାକରଣ ଆରମ୍ଭ ହେବା ପରେ ଭୁଟାନର ପ୍ରଧାନମନ୍ତ୍ରୀ ଲୋଟେ ସେରିଙ୍ଗ୍ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ଭାରତବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ପ୍ରତ୍ୟୁତ୍ତରରେ ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ ତାଙ୍କୁ ଧନ୍ୟବାଦ ଜ୍ଞାପନ କରିଛନ୍ତି।