ନୂଆଦିଲ୍ଲୀ : ବିଶ୍ବରେ ଅଦ୍ୟାବଧି ୨୧ ଲକ୍ଷଙ୍କୁ ଘାଇଲା କରି ଲକ୍ଷେ ୪୧ ହଜାର ଲୋକଙ୍କ ଜୀବନ ନେଇଥିବା ମହାମାରୀ କୋଭିଡ୍–୧୯ର ମୁକୁଳିବା ପାଇଁ ଭାରତ ସମେତ ଅଧିକାଂଶ ରାଷ୍ଟ୍ରରେ ଏବେ ଗବେଷଣା ଜାରି ରହିଛି। ଏଦିଗରେ ଭାରତୀୟ ବୈଜ୍ଞାନିକମାନଙ୍କ ଦ୍ବାରା କିଛି ନୂତନ ଆଶା ସଂଚାର କରାଯାଇଛି। ଆସନ୍ତା ୨୦୨୧ ମସିହା ବେଳକୁ ଘାତକ କରୋନା ଭୂତାଣୁ ଦାଉକୁ ପ୍ରତିହତ କରିବା ପାଇଁ ସଫଳ ପ୍ରତିଷେଧକ ଔଷଧ(ଟିକା) ବଜାରରେ ଉପଲବ୍ଧ ହୋଇପାରିବ ବୋଲି ସେମାନେ ଆଶାବାଦୀ ଅଛନ୍ତି। ସାରା ବିଶ୍ବରେ ପାଖାପାଖି ୭୩ ପ୍ରକାର ସମ୍ଭାବ୍ୟ ଟିକାର ବ୍ୟାବହାରିକ ପରୀକ୍ଷଣ ଜାରି ରହିଥିବା ବେଳେ ସେଥିମଧ୍ୟରୁ ତିନିଟିର ମନୁଷ୍ୟ ଶରୀରରେ ପ୍ରୟୋଗ କରିବା ଅବସ୍ଥାକୁ ଆସିଯାଇଛି। ଏ ଦିଗରେ ଛଅଟି ଭାରତୀୟ ଔଷଧ କମ୍ପାନି ସେମାନଙ୍କ ଗବେଷଣା ଚାଲୁ ରଖିଥିବା ବେଳେ ୨୦୨୧ ସୁଦ୍ଧା କରୋନା ପ୍ରତିରୋଧ ପାଇଁ ପ୍ରୟୋଗଶୀଳ ଟିକା ଉପଲବ୍ଧ ହୋଇପାରିବ ବୋଲି କୁହାଯାଉଛି।
ଅନେକ ଭେଷଜ ବୈଜ୍ଞାନିକଙ୍କ ମତ ହେଲା ଯେ ମହାମାରୀ କୋଭିଡ୍–୧୯ର ସଂକ୍ରମଣ ହାର ଏବଂ ତୀବ୍ରତା ଅଭୂତପୂର୍ବ ହୋଇଥିବାରୁ ଏଥିପାଇଁ ପ୍ରଯୁଜ୍ୟ ଟିକାର ପରୀକ୍ଷଣ ପାଇଁ ଅନେକ ଜଟିଳ ପ୍ରକ୍ରିୟା ଏବଂ ଆହ୍ବାନ ଜଡି଼ତ ହେବା ସ୍ବାଭାବିକ। ବିଭିନ୍ନ ପର୍ଯ୍ୟାୟ ପରୀକ୍ଷଣ ସାଙ୍ଗକୁ ଏହାର ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଦ୍ବାରା ଅନୁମୋଦନ ପାଇଁ ମଧ୍ୟ ସମୟ ଦରକାର। ଅବଶ୍ୟ ଅନ୍ୟ ମହାମାରୀ ପାଇଁ ଟିକା ଉଦ୍ଭାବନ ସଦୃଶ କରୋନା ଭୂତାଣୁ ସାର୍ସ–ସିଓଭି–୨ ପାଇଁ ୧୦ ବର୍ଷ ପରି ଅଧିକ ସମୟ ନ ଲାଗିପାରେ। ତେବେ ଏହାକୁ ସୁରକ୍ଷିତ, ଫଳପ୍ରଦ ଏବଂ ବିସ୍ତୃତ ଭାବେ ବ୍ୟବହାର କରିବା ପାଇଁ ଅତି କମରେ ଆହୁରି ଗୋଟିଏ ବର୍ଷ ଲାଗିଯିବ। ସୁତରାଂ ୨୦୨୧ ବେଳକୁ ଏହା ଉପଲବ୍ଧ ହୋଇପାରିବ ବୋଲି କାଉନ୍ସିଲ୍ ଅଫ୍ ସାଇଣ୍ଟିଫିକ୍ ଆଣ୍ତ୍ ଇଷ୍ଟ୍ରିଆଲ୍ ରିସର୍ଚ୍ଚ(ସିଏସ୍ଆଇଆର୍) ଅଧୀନ ହାଇଦ୍ରାବାଦ ସ୍ଥିତ ସେଣ୍ଟର ଫର୍ ସେଲୁଲାର ଆଣ୍ତ୍ ମଲିକ୍ୟୁଲାର ବାୟୋଲୋଜିର ନିେର୍ଦ୍ଦଶକ ରାକେଶ ମିଶ୍ର କହିଛନ୍ତି। ସେହିପରି କେରଳ ସ୍ଥିତ ରାଜୀବ ଗାନ୍ଧୀ ବାୟୋଟେକ୍ନୋଲୋଜି କେନ୍ଦ୍ରର ପ୍ରମୁଖ ବୈଜ୍ଞାନିକ ଇ. ଶ୍ରୀକୁମାରଙ୍କ ବ୍ୟାଖ୍ୟାନ ଅନୁଯାୟୀ, କୌଣସି ଟିକାର ପ୍ରାରମ୍ଭିକ ପରୀକ୍ଷଣ ପଶୁଙ୍କଠାରୁ ଆରମ୍ଭ କରାଯିବା ସହ ତଦନୁଯାୟୀ ବିଜ୍ଞାନାଗାରରେ ମଧ୍ୟ ଅନୁଧ୍ୟାନ କରାଯାଇଥାଏା ଏଥିରୁ କିଛି ଅନୁକୂଳ ନିର୍ଯାସ ମିଳିଲେ ହିଁ ପରେ ମନୁଷ୍ୟ ଶରୀରରେ ବିଭିନ୍ନ ପର୍ଯ୍ୟାୟରେ ତାହାକୁ ପ୍ରୟୋଗ କରାଯାଇଥାଏ। ପ୍ରଥମ ପର୍ଯ୍ୟାୟରେ ଅଳ୍ପ କିଛି ମାନବ ଶରୀରରେ ତାହାକୁ ପ୍ରବେଶ କରାଇ ତାହାଦ୍ବାରା ମନୁଷ୍ୟ ସୁରକ୍ଷିତ କି ନୁହେଁ ଦେଖାଯାଇଥାଏ। ପରବର୍ତ୍ତୀ ପର୍ଯ୍ୟାୟରେ ଶତାଧିକ ଲୋକଙ୍କ ଦେହରେ ପ୍ରୟୋଗ କରି ସଂପୃକ୍ତ ରୋଗ ପାଇଁ ଏହା ଫଳପ୍ରଦ କି ନୁହେଁ ତାହା ଅନୁଧ୍ୟାନ କରାଯାଏ। ସେହିପରି ଅନ୍ତିମ ପର୍ଯ୍ୟାୟରେ ହଜାର ହଜାର ଲୋକଙ୍କ ଠାରେ ଏହାକୁ ପ୍ରୟୋଗ କରାଯିବା ସହ ଏହାର କାର୍ଯ୍ୟକାରିତାକୁ ମାସ ମାସ ଧରି ନିରୀକ୍ଷଣ କରାଯାଏ। ଏପରିକି କୌଣସି ବ୍ୟବହାରଯୋଗ୍ୟ କରୋନା ଟିକା ପ୍ରସ୍ତୁତ ହୋଇ ରହିଲେ ବି ତାହା ସମଗ୍ର ମାନବ ସମାଜ ପାଇଁ କାର୍ଯ୍ୟକ୍ଷମ ନା ନାହିଁ ତାହା ମଧ୍ୟ ବିଚାର କରାଯିବା ଭଳି ଆହ୍ବାନକୁ ସାମନା କରିବାକୁ ପଡି଼ବ।
ତେବେ ବିଭିନ୍ନ ସମୟରେ ରୂପ ବଦଳାଉଥିବା ଏହି କରୋନା ଭୂତାଣୁର ବିଭିନ୍ନ ସ୍ତରରେ ଏହି ଟିକାକୁ ବ୍ୟବହାର କରିହେବ କି ନାହିଁ ତାହା ମଧ୍ୟ ଅନ୍ୟତମ ଆହ୍ବାନ ରଖୁଛି। ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ସୂଚନା ମୁତାବକ ସମ୍ପ୍ରତି କରୋନାର ପ୍ରତିରୋଧ ପାଇଁ ପ୍ରସ୍ତାବିତ ମୋଟ ୧୧୫ ପ୍ରକାର ଟିକା ମଧ୍ୟରୁ ୩୭ଟି ନିଷ୍କ୍ରିୟ ଥିବା ବେଳେ ୭୮ଟି ସକ୍ରିୟ ଅଛନ୍ତି। ସେଥି ମଧ୍ୟରୁ ୭୦ଟି ଟିକା ପରୀକ୍ଷାଗାର ଓ ପଶୁ ଶରୀର ପ୍ରୟୋଗରେ ଉତ୍ତୀର୍ଣ୍ଣ ହୋଇ ପ୍ରାକ୍ ନୈଦାନିକ ପରୀକ୍ଷଣ ଅପେକ୍ଷାରେ ରହିଛି। ତେବେ ୩ଟି ଟିକା ବର୍ତ୍ତମାନ ନୈଦାନିକ ପରୀକ୍ଷଣକୁ ସାମନା କରୁଛି। ଏହି ପ୍ରମୁଖ ଟିକାଗୁଡି଼କ ହେଲା ଆମେରିକୀୟ କମ୍ପାନି ମଡର୍ନା ଦ୍ବାରା ପ୍ରସ୍ତାବିତ ଏମ୍ଆର୍ଏନ୍ଏ–୧୨୭୩, ଚୀନା କମ୍ପାନି କାଂସିନୋ ଦ୍ବାରା ଉଦ୍ଧ୍ବାବିତ ଏଡି୫–ଏନ୍ସିଓଭି ଏବଂ ଆମେରିକୀୟ କମ୍ପାନି ଇନୋଭିଓ ଦ୍ବାରା ପ୍ରସ୍ତାବିତ ଆଇଏନ୍ଓ–୪୮୦୦। ତେବେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ତାଲିକାରେ ସକ୍ରିୟ ଥିବା ଅନ୍ୟ ୭୦ଟି ଟିକା ମଧ୍ୟରୁ ଭାରତୀୟ ଔଷଧ କମ୍ପାନି ଜାଇଡସ୍ କାଡିଲା ଦୁଇଟି ଟିକା ଉପରେ ଗବେଷଣା ଚଳାଇଥିବା ବେଳେ ସିରମ୍ ଇନଷ୍ଟିଚ୍ୟୁଟ୍, ବାୟୋଲୋଜିକାଲ୍ ଇ, ଭାରତ ବାୟୋଟେକ୍ ଇଣ୍ତିଆନ୍ ଇମ୍ୟୁନୋଲୋଜିକାଲ୍ସ ଏବଂ ମିନ୍ଭାକ୍ସ କମ୍ପାନି ଗୋଟିଏ ଗୋଟିଏ ଟିକା ଉପରେ ପରୀକ୍ଷା ନିରୀକ୍ଷା ଜାରି ରଖିଛନ୍ତି ବୋଲି ଫରିଦାବାଦ ସ୍ଥିତ ଟ୍ରାନ୍ସଲେସନାଲ୍ ହେଲ୍ଥ ସାଇନ୍ସ ଆଣ୍ତ୍ ଟେକ୍ନୋଲୋଜି ଇନଷ୍ଟିଚ୍ୟୁଟର କାର୍ଯ୍ୟନିର୍ବାହୀ ନିେର୍ଦ୍ଦଶକ ଗଗନଦୀପ କାଙ୍ଗ କହିଛନ୍ତିା ସେମାନଙ୍କ ଅନୁଧ୍ୟାନ ଆଶାନୁରୂପ ଥିବାରୁ ଆଗାମୀ ୨୦୨୧ ସୁଦ୍ଧା ଭାରତୀୟ କରୋନା ଟିକା ଉପଲବ୍ଧ ହୋଇପାରିବ ବୋଲି ଆଶା କରାଯାଉଛି।