ଅଗଷ୍ଟରୁ ୨ ରୁ ୧୭ ବର୍ଷ ପିଲାଙ୍କୁ ଦିଆଯିବ କରୋନା ଟିକା !

ନୂଆଦିଲ୍ଲୀ: ଭାରତରେ ଆସନ୍ତା ମାସରେ ୧୮ବର୍ଷରୁ କମ ପିଲାଙ୍କୁ ଦିଆଯିବ କରୋନା ଟିକା । ବିଜେପିର ସଂସଦୀୟ ବୈଠକରେ ଏହି ସୂଚନା ଦେଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିୟା । ଭାରତ ବାୟୋଟେକ ଦ୍ୱାରା ପ୍ରସ୍ତୁତ କୋଭାକ୍ସିନ୍ ଟିକାର ପରୀକ୍ଷା ବର୍ତ୍ତମାନ ଚାଲିଛି | ଏହା ସଫଳ ହେଲେ ଯଥାଶୀଘ୍ର ୨ ରୁ ୧୭ ବର୍ଷ ପିଲାଙ୍କୁ ଟିକା ଦିଆଯିବ। ଆସନ୍ତା ମାସରୁ ଏହା ଆରମ୍ଭ ହୋଇପାରେ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି ।

ସୂଚନା ମୁତାବକ, ମେ’ ୧୨ରେ, ଡିସିଜିଆଇ ଭାରତ ବାୟୋଟେକକୁ ଦୁଇ ବର୍ଷରୁ କମ୍ ପିଲାମାନଙ୍କ ଉପରେ କୋଭାକ୍ସିନର ଦ୍ୱିତୀୟ ପର୍ଯ୍ୟାୟ ଓ ତୃତୀୟ ପର୍ଯ୍ୟାୟ ପରୀକ୍ଷା କରିବାକୁ ଅନୁମତି ପ୍ରଦାନ କରିଥିଲା | ଏହା ପରେ ଜୁନ୍ ୭ରେ, ଦିଲ୍ଲୀ ଏମ୍ସରେ ୨ରୁ ୧୭ବର୍ଷ ବୟସର ପିଲାମାନଙ୍କୁ କୋଭିଡ -୧୯ ଟିକା ଦେବା ପାଇଁ ଭାରତ ବାୟୋଟେକ ପରୀକ୍ଷା ଆରମ୍ଭ କରିଥିଲା |

indiatoday.in

ତେବେ ୧୮ବର୍ଷରୁ କମ ବୟସ୍କ ପିଲାଙ୍କୁ କରୋନା ଟିକା ଦିଆଯିବା ନେଇ ଅନେକ ଦିନରୁ ଲୋକେ ଅପେକ୍ଷା କରିଥିବା ବେଳେ ଏବେ ଅପେକ୍ଷାର ଅନ୍ତ ହେଲା ଭଳି ଲାଗୁଛି । ଆଗକୁ ପିଲାଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ବିଦ୍ୟାଳୟକୁ ସମ୍ପୂର୍ଣ୍ଣ ଭାବେ ଖୋଲିବାକୁ ସରକାର ଯୋଜନା କରୁଥିବାବେଳେ ଇଣ୍ଡୋନେସିଆରେ କରୋନାରେ ଶିଶୁଙ୍କ ବର୍ଦ୍ଧିତ ମୃତ୍ୟୁ ସଂଖ୍ୟା ସରକାରଙ୍କ ଚିନ୍ତା ବଢାଇଦେଇଛି । ଅନ୍ୟପକ୍ଷରେ, କରୋନାର ତୃତୀୟ ଲହରକୁ ରୋକିବାକୁ ହେଲେ ପିଲାଙ୍କ ଟିକାକରଣ ଉପରେ ଗୁରୁତ୍ୱ ଦିଆଯିବା ଜରୁରୀ ବୋଲି ଏମ୍ସ ମୁଖ୍ୟ ଡଃ ରଣଦୀପ ଗୁଲେରିଆ କହିଛନ୍ତି ।

ସୂଚନା ମୁତାବକ, ଇଣ୍ଡୋନେସିଆରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ହଠାତ ବୃଦ୍ଧି ପାଇଛି । ମୃତ ଶିଶୁଙ୍କ ମଧ୍ୟରେ ଅଧିକାଂଶ ଶିଶୁ ୫ ବର୍ଷରୁ କମ । ଇଣ୍ଡୋନେସିଆରେ ଏଯାଏଁ ୩୦ ଲକ୍ଷ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ସେଥି ମଧ୍ୟରୁ ଆକ୍ରାନ୍ତ ଶିଶୁଙ୍କ ହାର ସାଢେ ବାର ପ୍ରତିଶତ । ଏମାନଙ୍କ ମଧ୍ୟରୁ ପାଖାପାଖି ୮ଶହ ଶିଶୁଙ୍କର କରୋନାରେ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ତେବେ କରୋନାର ତୃତୀୟ ଲହରକେତେବେଳେ ଯେ ଭାରତୀୟ ଶିଶୁଙ୍କୁ ଆକ୍ରାନ୍ତ କରିବ ସେ ନେଇ ସରକାର ଚିନ୍ତାରେ ।

ସମ୍ବନ୍ଧିତ ଖବର