ଭାରତରେ ଟିକା ନେଇଥିବା ବ୍ୟକ୍ତି ଟିକା ନେଇନାହାନ୍ତି ବୋଲି ଧରାଯିବ: ବ୍ରିଟେନ

ଭାରତର ତୀବ୍ର ପ୍ରତିବାଦ; ଇଂଲଣ୍ଡ ଗସ୍ତରୁ ଓହରିଗଲେ ଶଶୀ ଥରୁର୍‌

ନୂଆଦିଲ୍ଲୀ : ବ୍ରିଟେନର ଯାତ୍ରା ନିୟମାବଳୀକୁ ନେଇ ଭାରତ ତୀବ୍ର ଅସନ୍ତୋଷ ପ୍ରକଟ କରିଛି । କେବଳ ସରକାର ନୁହେଁ, ବିରୋଧୀ ଦଳର ନେତାମାନେ ମଧ୍ୟ ବ୍ରିଟେନର ଏହି ନୀତିକୁ ବିରୋଧ କରିଛନ୍ତି ।

ଗତ ଶୁକ୍ରବାର ବ୍ରିଟେନ ନିଜର କରୋନା କଟକଣାକୁ ଟିକିଏ କୋହଳ କରିବା ସହ କାନାଡା଼ ଓ ଆଉ କେତେକ ବିକଶିତ ଦେଶର ଯାତ୍ରୀମାନଙ୍କୁ ବ୍ରିଟେନ ଆସିବାକୁ ଅନୁମତି ଦେଇଥିଲା । ତେବେ ଭାରତ, ଦକ୍ଷିଣ ଆଫ୍ରିକା, ତୁର୍କୀ, ବ୍ରାଜିଲ ପ୍ରଭୃତି ବିଭିନ୍ନ ବିକାଶଶୀଳ ଦେଶର ଲୋକମାନେ ଦୁଇଟି ମାତ୍ରା ଟିକା ନେଇଥିଲେ ବି ସେମାନଙ୍କୁ ବ୍ରିଟେନ ପ୍ରବେଶ ଉପରେ ନିଷେଧାଜ୍ଞା ଲଗାଯାଇଥିଲା । ଏପରିକି ଭାରତରେ ଦୁଇଟି ମାତ୍ରା କୋଭିସିଲ୍ଡ ଟିକା ନେଇଥିବା ଲୋକମାନଙ୍କୁ ମଧ୍ୟ ଟିକା ନେଇନାହାନ୍ତି ବୋଲି ଧରାଯିବ ବୋଲି ବ୍ରିଟେନ ସ୍ପଷ୍ଟ କରିଥିଲା ।

ଏହାକୁ ଭାରତ ସମେତ ଏହି ଦେଶମାନେ ବର୍ଣ୍ଣବୈଷମ୍ୟବାଦ ବୋଲି କହି ବିରୋଧ କରୁଛନ୍ତି । ଭାରତର ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ଏହାକୁ ନେଇ ବ୍ରିଟିଶ ସରକାରଙ୍କ ନିକଟରେ ପ୍ରତିବାଦ କରାଯାଇଛି । ଭାରତର ବୈଦେଶିକ ସଚିବ ହର୍ଷ ସିଂଗଲା କହିଛନ୍ତି ଯେ ବ୍ରିଟେନର ଏହା ଏକ ପକ୍ଷପାତପୂର୍ଣ୍ଣ ବ୍ୟବହାର । ବ୍ରିଟେନ ଦ୍ବାରା ଲାଇସେନ୍ସ ଦିଆଯାଇଥିବା ଅକ୍ସଫୋର୍ଡ-ଆଷ୍ଟ୍ରାଜେନିକା ଟିକାକୁ ଭାରତରେ କୋଭିସିଲଡ ନାଁରେ ଉତ୍ପାଦନ କରାଯାଉଛି । ଭାରତ ପକ୍ଷରୁ ମଧ୍ୟ ୫୦ ଲକ୍ଷ ମାତ୍ରା ଟିକା ବ୍ରିଟେନକୁ ଦିଆଯାଇଛି ଓ ତାହାକୁ ବ୍ରିଟେନରେ ବ୍ୟବହାର କରାଯାଇଛି । ସେହି ଟିକାକୁ ଭାରତରେ ନେଇଥିବା ଲୋକ କିପରି ଗ୍ରହଣୀୟ ହେବେ ନାହିଁ ବୋଲି ସେ ପ୍ରଶ୍ନ କରିଛନ୍ତି ।

ଅନ୍ୟପକ୍ଷରେ ବ୍ରିଟେନର ଏହି ନୀତି ପ୍ରତିବାଦରେ କଂଗ୍ରେସ ନେତା ଶଶୀ ଥରୁର ଇଂଲଣ୍ଡର କେମ୍ବ୍ରିଜ୍‌ ଠାରେ ଅନୁଷ୍ଠିତ ହେବାକୁ ଥିବା ଏକ କାର୍ଯ୍ୟକ୍ରମରୁ ଓହରିଯାଇଛନ୍ତି । ସେହିପରି ବରିଷ୍ଠ କଂଗ୍ରେସ ନେତା ଜୟରାମ ରମେଶ ମଧ୍ୟ ଏହାକୁ ବିରୋଧ କରିଛନ୍ତି ।

ସମ୍ବନ୍ଧିତ ଖବର