ନୂଆଦିଲ୍ଲୀ: କରୋନାଭାଇରସ୍ ମହାମାରୀକୁ ମୁକାବିଲା କରିବା ପାଇଁ ବିକଶିତ ହୋଇଥିବା ସ୍ୱଦେଶୀ ଟିକାର ପରୀକ୍ଷଣ ପ୍ରକ୍ରିୟା ବିଶ୍ବସ୍ତରୀୟ ପଦ୍ଧତିରେ କରାଯାଉଛି। ସମଗ୍ର ବିଶ୍ବରେ ବିକଶିତ ହେଉଥିବା ଟିକା ସମୂହ ଯେଭଳି ‘ଫାଷ୍ଟ-ଟ୍ରାକିଂ’ ପ୍ରକ୍ରିୟାରେ ପରୀକ୍ଷଣ ହେଉଛି ସେହି ସମାନ ପଦ୍ଧତି ମଧ୍ୟ ଅନୁସରଣ କରୁଛି ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ (ଆଇସିଏମ୍ଆର)। ଟିକା ପରୀକ୍ଷଣରେ ସର୍ବଭାରତୀୟ ସ୍ତରରେ ଗ୍ରହଣୀୟ ଏବଂ ଭାରତର ଲୋକଙ୍କ ସୁରକ୍ଷାକୁ ପ୍ରାଥମିକତା ଦିଆଯାଇଛି ବୋଲି ଆଇସିଏମ୍ଆର କହିଛି।
ଆଇସିଏମଆର ପୂର୍ବରୁ ଭାରତ ବାୟୋଟେକ ସହଯୋଗରେ ବିକଶିତ ହୋଇ ସ୍ୱଦେଶୀ ଟିକା ‘କୋଭାକ୍ସିନ୍’ର ମାନବୀୟ ପରୀକ୍ଷଣ ଅଗଷ୍ଟ ୧୫ ପୂର୍ବରୁ ଶେଷ ହେବ ବୋଲି ଘୋଷଣା କରିଥିଲା। ଏହାପରେ କେତେକ ଅଭିଯୋଗ କରିଥିଲେ କି ପ୍ରଧାନମନ୍ତ୍ରୀ ତାଙ୍କ ସ୍ବାଧୀନତା ଦିବସ ଭାଷଣରେ ଟିକା ପ୍ରସ୍ତୁତ ହେବାର ସଫଳତା ଘୋଷଣା କରିବେ ବୋଲି ଆଇସିଏମଆର ତରବରରେ ପରୀକ୍ଷଣ କରୁଛି। ତେବେ ଏହାକୁ ଖଣ୍ଡନ କରିଛି ଆଇସିଏମଆର।
ଆଇସିଏମଆର ଏକ ବିବୃତିରେ କହିଛି ଯେ, ଡିଜି-ଆଇସିଏମଆର କ୍ଲିନିକାଲ ଟ୍ରାଏଲ ସାଇଟର ଅନୁସନ୍ଧାନକାରୀଙ୍କ ନିକଟକୁ ପଠାଯାଇଥିବା ଚିଠିରେ କୌଣସି ଆବଶ୍ୟକୀୟ ପ୍ରକ୍ରିୟାକୁ ଅତିକ୍ରମ ନକରିବା, ଅନାବଶ୍ୟକ ଅନିୟମିତତାକୁ ଦୂର କରିବା ଏବଂ ଅଂଶଗ୍ରହଣକାରୀଙ୍କ ନିଯୁକ୍ତିକୁ ତ୍ୱରାନ୍ୱିତ କରିବା ପାଇଁ ଉଦ୍ଦିଷ୍ଟ। ଏହା ପଛରେ କେବଳ ଗୋଟେ ଉଦ୍ଦେଶ୍ୟ ରହିଛି | ତାହା ହେଉଛି ଏହି ପର୍ଯ୍ୟାୟଗୁଡିକୁ ଶୀଘ୍ର ସଂପୂର୍ଣ୍ଣ କରିବା, ଯାହାଦ୍ୱାରା କାର୍ଯ୍ୟକ୍ଷମତା ପାଇଁ ଜନସଂଖ୍ୟା ଆଧାରିତ ପରୀକ୍ଷା ବିଳମ୍ବ ନକରି ଆରମ୍ଭ ହୋଇପାରିବ |