କୋଭିଡ୍-୧୯ ଭୂତାଣୁ ମାନବ-କୃତ ହୋଇ ନ ପାରେ: ଊହାନ୍‌ ଭାଇରୋଲୋଜି ଲ୍ୟାବ୍‌ର ମୁଖ୍ୟ

ବେଜିଙ୍ଗ୍: ମାରାତ୍ମକ କରୋନାଭାଇରସ୍ ପରୀକ୍ଷାଗାରରୁ ସୃଷ୍ଟି ହୋଇ ସମଗ୍ର ବିଶ୍ବକୁ ବ୍ୟାପୀ ଯାଇଛି ବୋଲି କୁହାଯାଉଥିବା କଥାକୁ ଊହାନ୍‌ସ୍ଥିତ ଚୀନ୍‌ର ପ୍ରମୁଖ ଭୂତାଣୁ ଅଧ୍ୟୟନ ପରୀକ୍ଷାଗାର ପ୍ରଥମ ଥର ପାଇଁ ଅସ୍ବୀକାର କରିଛି।

ଏହା ଗୁଜବ ବୋଲି ଗତ ଫେବ୍ରୁଆରି ମାସରେ ଊହାନ୍ ପରୀକ୍ଷାଗାର ଏକ ବିବୃତି ଦେଇଥିଲେ ମଧ୍ୟ ଏହାର ନିର୍ଦେଶକ ୟୁଆନ୍ ସିମିଙ୍ଗ୍ ପ୍ରଥମ ଥର ପାଇଁ ଗଣମାଧ୍ୟକୁ ସାକ୍ଷାତ୍‌କାର ଦେଇ କହିଛନ୍ତି ଯେ ଆମେ ଜାଣୁ ଏହି ପ୍ରତିଷ୍ଠାନରେ କେଉଁ ପ୍ରକାରର ଗବେଷଣା ଚାଲିଛି ଏବଂ ପ୍ରତିଷ୍ଠାନ କିଭଳି ଭୂତାଣୁ ଓ ନମୁନା ସବୁ ପରିଚାଳନା କରୁଛି। ଭୂତାଣୁ ଆମ ପାଖରୁ ଯିବାର ବାଟ ନାହିଁ।

ରାଷ୍ଟ୍ରାୟତ ସିଜିଟିଏନ୍‌ ଟିଭି ଚାନେଲ୍‌କୁ ସେ ଏ କଥା କହିବା ସହ ଆହୁରି କହିଛନ୍ତି ଯେ ଆମର କଠୋର ପ୍ରଶାସନିକ ନୀତିନିୟମ ରହିଛି। ଗବେଷଣା ନିମନ୍ତେ ଆମର ଆଚରଣ ବିଧି ରହିଥିବାରୁ ଆମେ ସେ ବାବଦରେ ନିଶ୍ଚିତ।

Image Courtesy of MSN

ଯୁକ୍ତରାଷ୍ଟ୍ର ଆମେରିକାର ଅଭିଯୋଗକୁ ଉଦ୍ଦେଶ୍ୟ କରି ୟୁଆନ୍ କହିଲେ ଦୁଃଖର ବିଷୟ, କୌଣସି ପ୍ରମାଣ କିଂବା ଜ୍ଞାନ ନ ଥାଇ କେତେକ ‌ଲୋକ ଲୋକମାନଙ୍କୁ ଜାଣିଶୁଣି ବିଭ୍ରାନ୍ତ କରାଉଛନ୍ତି। ଏହା ସମ୍ପୂର୍ଣ୍ଣ କଳ୍ପନା ଆଧାରିତ। ଏହାର ଆଂଶିକ ଉଦ୍ଦେଶ୍ୟ ହେଉଛି ଲୋକମାନଙ୍କୁ ବିଭ୍ରାନ୍ତ କରାଇ ଆମ ମହାମାରୀ ନିରୋଧୀ ଏବଂ ବୈଜ୍ଞାନିକ କାର୍ଯ୍ୟକଳାପରେ ହସ୍ତକ୍ଷେପ କରିବା। ସେ‌ମାନେ କୌଣସି ଉପାୟରେ ତାଙ୍କର ଲକ୍ଷ୍ୟ ହାସଲ କରିପାରନ୍ତି, କିନ୍ତୁ ଜଣେ ବୈଜ୍ଞାନିକ ଓ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟାର ପରିଚାଳକ ହିସାବରେ ମୁଁ ଜାଣେ ଏହା ଅସମ୍ଭବ।

ଏହି ଭୂତାଣୁ ମାନବ-କୃତ ହୋଇ ନ ପାରେ ବୋଲି ୟୁଆନ୍ କହିଛନ୍ତି। କୋଭିଡ୍-୧୯ କୃତ୍ରିମ ବୋଲି ପ୍ରମାଣ କରିବାକୁ କୌଣସି ପ୍ରମାଣ ନାହିଁ ବୋଲି ସେ ଜୋର୍ ଦେଇ କହିଛନ୍ତି। ଏହାଛଡ଼ା କେତେକ ବୈଜ୍ଞାନିକ ବିଶ୍ବାସ କରନ୍ତି ଯେ ଭୂତାଣୁ କୃତ୍ରିମତା ନିମନ୍ତେ ଅସାଧାରଣୀୟ ବିଜ୍ଞତା ଓ କାର୍ଯ୍ୟଭାର ଆବଶ୍ୟକ। ତେଣୁ, ଏ ଭଳି ଭୂତାଣୁ ସୃଷ୍ଟି କରିବାକୁ ଆଜିକାଲି ମଣିଷମାନଙ୍କ ଠାରେ ସାଧ୍ୟ ଥିବା କଥା ସେମାନେ କଦାପି ବିଶ୍ବାସ କରନ୍ତି ନାହିଁ।

ୟୁଆନ୍ କହିଛନ୍ତି ଯେ ଏହି ଭୂତାଣୁ ସଂକ୍ରମଣ ହେବା ପରେ ତାଙ୍କ ପ୍ରତିଷ୍ଠାନ କୋଭିଡ୍‌-୧୯ର ଡିଏନ୍‌ଏ ଅନୁକ୍ରମ ଏବଂ ଆନିମଲ୍ ମଡେଲ୍ ରିସର୍ଚ ଆଣ୍ଡ୍ ଡେଭଲପ୍‌ମେଣ୍ଟ୍‌ର ସଦ୍ୟତମ ଗବେଷଣା ଜାତିସଂଘର ‘ବିଶ୍ବ ସ୍ବାସ୍ଥ୍ୟ ସଂଗଠନ’ ଏବଂ ‘ଫୁଡ୍ ଆଣ୍ଡ୍ ଏଗ୍ରିକଲ୍‌ଚର୍‌ ଅର୍ଗାନାଇଜେସନ୍‌କୁ ସେୟାର୍ କରିଥିଲୁ।

 

ସମ୍ବନ୍ଧିତ ଖବର