କୋଭିଡ୍-୧୯ ଭୂତାଣୁ ଅଙ୍ଗାର ପ୍ରଦୂଷଣରେ ପରିବାହିତ ହୁଏ: ଅଧ୍ୟୟନ

ପୁଣେ: ପୁଣେ ସ୍ଥିତ ଭାରତୀୟ ଉଷ୍ମମଣ୍ଡଳୀୟ ପାଣିପାଗ ପ୍ରତିଷ୍ଠାନ ପକ୍ଷରୁ କୁହାଯାଇଛି ଯେ, ଜୈବବସ୍ତୁ ଜଳିବା ସମୟରେ ଯେଉଁ କୃଷ୍ଣ ଅଙ୍ଗାରକ ନିର୍ଗମନ ହୁଏ, ତାହାରି ମାଧ୍ୟମରେ (ସମସ୍ତ ପିଏମ୍‌୨.୫ କଣିକା ଦେଇ ନୁହେଁ) କୋଭିଡ୍-୧୯ ଭୂତାଣୁ ବାୟୁମଣ୍ଡଳରେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ପରିବାହିତ ହୋଇଥାଏ। ଏଲ୍‌ସେଭିୟର ପତ୍ରିକାରେ ପ୍ରକଶିତ ସନ୍ଦର୍ଭ ଅନୁସାରେ ସେପ୍ଟେମ୍ବରରୁ ଡିସେମ୍ବର ୨୦୨୦ ମଧ୍ୟରେ ଦିଲ୍ଲୀରୁ ସଂଗୃହୀତ ପାର୍ଟିକୁଲେଟ୍ ମ୍ୟାଟର (ପିଏମ୍‌) ୨.୫ ଏବଂ ବ୍ଲାକ୍ କାର୍ବନ (ବିସି)ର ୨୪ ଘଣ୍ଟିଆ ହାରାହାରି ଉପରେ ଏହି ଅଧ୍ୟୟନ ପର୍ଯ୍ୟବସିତ ଥିଲା।

ପିଏମ୍‌୨.୫ ଭିତରେ ଅଛି କୃଷ୍ଣ ଅଙ୍ଗାରକ ଯାହାକୁ ଅନେକ ସମୟରେ ଘନ ଧୂଆଁର କଳା ଝୁଲ ବୋଲି କୁହାଯାଏ। ଏହା ମଣିଷ ଦେହ ଭିତରେ ପ୍ରଶ୍ବାସ ମାଧ୍ୟମରେ ପ୍ରବେଶ କରି ଶ୍ବାସନଳୀ ଓ ଫୁସ୍‌ଫୁସ୍‌ରେ ପ୍ରଦାହ ସୃଷ୍ଟି କରେ। ଦୁର୍ବଳ ପ୍ରତିରୋଧ କ୍ଷମତା ଥିଲେ ଏହାଦ୍ବାରା ହୃଦୟ ଓ ଧମନୀ ସମ୍ପର୍କିତ ତଥା ଶ୍ବାସଜନିତ ସମସ୍ୟା ସୃଷ୍ଟି ହୋଇପାରେ। ଯେତେ କଳାଧୂଆଁ (ବ୍ଲାକ୍‌ କାର୍ବନ ) ବାୟୁମଣ୍ଡଳକୁ ଆସୁଛି, ସେଥି ମଧ୍ୟରୁ ୪୦ ପ୍ରତିଶତ ଆସୁଛି ଖୋଲାରେ ନଡ଼ା, ଅଳିଆ ଆଦି ଜୈବବସ୍ତୁ ପୋଡ଼ିବା ଦ୍ବାରା; ୪୦ ପ୍ରତିଶତ ଆସୁଛି କୋଇଲା, ପେଟ୍ରୋଲ, ଡିଜେଲ ଆଦି ଜୀବାଶ୍ମ ଇନ୍ଧନ ଦହନ ଦ୍ବାରା ଏବଂ ବାକି ୨୦ ପ୍ରତିଶତ ଆସୁଛି ଜୈବ ଇନ୍ଧନ ଦହନ ଦ୍ବାରା।

ବିଭିନ୍ନ ଅନୁଧ୍ୟାନରୁ ଜଣାପଡ଼ିଛି ଯେ, କୋଭିଡ୍-୧୯ ମାମଲା ଏତେ ଅଧିକ ସଂଖ୍ୟାରେ ବଢ଼ିବା ସହ ବାୟୁ ପ୍ରଦୂଷଣର ସମ୍ବନ୍ଧ ଅଛି। ପିଏମ୍‌୨.୫ କଣିକାର ସ୍ତର ବାୟୁମଣ୍ଡଳରେ ଅଧିକ ରହିଲେ ଭୂତାଣୁ ସଂକ୍ରମଣ ଅଧିକ ହେଉଛି ବୋଲି ଇଟାଲିରେ ହୋଇଥିବା ଏକ ଅନୁଧ୍ୟାନରୁ ଜଣାପଡ଼ିଛି ବୋଲି ଉପରୋକ୍ତ ଗବେଷଣା ସନ୍ଦର୍ଭର ଲେଖକ ଅଦିତି ରାଠୋଡ ଓ ଗୁଫ୍ରାନ ବେଗ୍‌ କହିଛନ୍ତି। ତେବେ ସେମାନେ କହିଛନ୍ତି ଯେ, ସମସ୍ତ ପିଏମ୍‌ ୨.୫ କଣିକା ନୁହନ୍ତି, ସେଥିମଧ୍ୟରେ ଥିବା କେବଳ ବ୍ଲାକ୍ କାର୍ବନ (କଳାଧୂଆଁ ଝୁଲ)ର କଣିକା ହିଁ ଏଥିପାଇଁ ଦାୟୀ। ୨୦୨୦ରେ କରୋନା ଭୂତାଣୁ ସଂକ୍ରମଣ କମିଯାଇଥିଲା। ପୁଣି ୨୦୨୧ରେ ଯେତେବେଳେ ଅମଳ ଋତୁ ଓ ଅମଳ ପରେ କ୍ଷେତରେ ନଡ଼ାଗୁଡ଼ିକୁ ପୋଡ଼ିବା ସମୟ ଆସିଲା, ସେତେବେଳେ ହଠାତ୍ ସଂକ୍ରମଣ ବ୍ୟାପକଭାବେ ବଢ଼ିବାକୁ ଲାଗିଲା। ରାଜଧାନୀ ଦିଲ୍ଲୀ ଏଥିରେ ସବୁଠାରୁ ବେଶି ପ୍ରଭାବିତ ହୋଇଥିଲା। ଏହି କରୋନା ଭୂତାଣୁ କଳା ଅଙ୍ଗାର କଣିକା ପିଠିରେ ବସି ପରିବାହିତ ହୋଇଥାଏ ବୋଲି ସେମାନେ ଅନୁଧ୍ୟାନରୁ ଜାଣିପାରିଛନ୍ତି। ତେଣୁ ଆସନ୍ତାବର୍ଷ ଅମଳ ଋତୁରେ ଏଥିପ୍ରତି ସାବଧାନ ରହିବା ଏବଂ ନଡ଼ାପୋଡ଼ିକୁ ନିଷିଦ୍ଧ କରିବା ଉଚିତ ବୋଲି ଗବେଷକମାନେ କହିଛନ୍ତି।

ସମ୍ବନ୍ଧିତ ଖବର