କୋଭିଡ୍‌ ଭୂତାଣୁର ମୂଳୋତ୍ପାଟନ ଅସମ୍ଭବ : କରୋନା ସହ ବଞ୍ଚିବାକୁ ହେବ

ଜେନେଭା(ସ୍ବିଜରଲ୍ୟାଣ୍ତ୍) : ପୃଥିବୀବାସୀଙ୍କ ପାଇଁ ବର୍ତ୍ତମାନ ପ୍ରଥମ ଓ ପ୍ରଧାନ ଚିନ୍ତାର କାରଣ ସାଜିଥିବା ମହାମାରୀ କରୋନାଭୂତାଣୁର ମୂଳୋତ୍ପାଟନ କେବେ ହୋଇପାରିବ ନାହିଁ। ନାନା ବିକଳ୍ପ ଉପଚାର ପ୍ରୟୋଗ ସତ୍ତ୍ବେ ଆଗରୁ ଏଚ୍ଆଇଭି ଯେପରି ତା’ର ଅସ୍ତିତ୍ବ ବଜାୟ ରଖିଛି; ସାର୍ସ-କୋଭ୍-୨ ମଧ୍ୟ ଅନୁରୂପ ଭାବେ ଆମମାନଙ୍କ ଗହଣରେ କେତେଦିନ ଯାଏ ରହିବ, ତାହା କହିହେବ ନାହିଁ। ସୁତରାଂ ଏଭଳି ସ୍ଥିତିରେ ଆମମାନଙ୍କୁ ବାସ୍ତବତାକୁ ଗ୍ରହଣ କରି ଏହି ଭୂତାଣୁ ସହିତ ବ‌ଞ୍ଚି ଶିଖିବାକୁ ପଡ଼ିବ। ବିଶ୍ବରେ ଅଦ୍ୟାବଧି ୩ ଲକ୍ଷରୁ ଅଧିକ ଲୋକଙ୍କ ଜୀବନ ନେଇସାରିଥିବା ଏହି ମହାମାରୀ ସମ୍ପର୍କରେ ‘ବିଶ୍ବ ସ୍ବାସ୍ଥ୍ୟ ସଂଗଠନ’(ହୁ) ମାନବ ସମାଜକୁ ଏପରି ଚେତାବନୀ ଦେବା ସହ ସତର୍କ ମଧ୍ୟ କରି ଦେଇଛି। ତେଣୁ ଏହି ଭୂତାଣୁର ଉପଦ୍ରବକୁ ପ୍ରତିରୋଧ କରିବା ପାଇଁ ସାମୂହିକ ଉଦ୍ୟମ ହିଁ ସମୟର ଆହ୍ବାନ ବୋଲି ‘ହୁ’ର ଜରୁରୀକାଳୀନ ବିଶାରଦ ଡାକ୍ତର ମାଇକେଲ୍ କହିଛନ୍ତି। କାରଣ ଏହି ମହାମାରୀର କେବେ ଅନ୍ତ ହେବ, ସେ ସମ୍ପର୍କରେ କୌଣସି ପ୍ରମାଣସିଦ୍ଧ ତଥ୍ୟ ନାହିଁ। ଏହା ଏକ ସୁଦୂରପ୍ରସାରୀ ସମସ୍ୟା ହେବ ନା ସୀମିତ ହୋଇ ରହିବ ତାହା ମଧ୍ୟ ଏବେଠୁ କହିବା ମୁସ୍କିଲ ବୋଲି ଡାକ୍ତର ମାଇକେଲ ଟିପ୍ପଣୀ କରିଛନ୍ତିା

ଅବଶ୍ୟ ଏହି ଦୁଃସାଧ୍ୟ ରୋଗ ସହ କିପରି ଚଳିବାକୁ ହେବ, ତାହା ଉପରେ କିଛି ମାତ୍ରାରେ ଆମେ ନିୟନ୍ତ୍ରଣ ଆହରଣ କଲେଣି। ବର୍ତ୍ତମାନ ସୁଦ୍ଧା ଶହେ ପାଖାପାଖି ପ୍ରତିଷେଧକ ଟିକା ବାହାର କରାସରିଲାଣି। ତହିଁରୁ କେତେକର ନୈଦାନିକ ପରୀକ୍ଷଣ ମଧ୍ୟ ଜାରି ରହିଛି। ତେବେ କରୋନାଭୂତାଣୁ ବିରୋଧରେ କେଉଁ ନିର୍ଦ୍ଦିଷ୍ଟ ଟିକା ଫଳପ୍ରସୂ ହେବ, ତାହା ନିର୍ଦ୍ଧାରଣ କରିବା ବିଶେଷଜ୍ଞମାନଙ୍କ ପକ୍ଷେ କଷ୍ଟକର ହୋଇପଡ଼ିଛି। କାରଣ ମିଳିମିଳା ପରି ରୋଗ ପାଇଁ ଟିକା ମଧ୍ୟ ବାହାରିଛି, ମାତ୍ର ସେହି ରୋଗକୁ ଏଯାଏ ନିଶ୍ଚିହ୍ନ କରାଯାଇପାରିନାହିଁ। ତେଣୁ ଏହି ମହାମାରୀର ସଂକ୍ରମଣରେ ଉଲ୍ଲେଖନୀୟ ନିୟନ୍ତ୍ରଣ ଆଣିପାରିଲେ ହିଁ ଏହାର ଭୟାବହତାକୁ କମ୍‌ କରିହେବ ବୋଲି ସେ କହିଛନ୍ତି। ସେହିପରି ଏହି ମହାମାରୀର ସଂକ୍ରମଣ ଗତିପଥ ଆମରି ହାତରେ ରହିଛି ଏବଂ ତାକୁ ରୋକିବା ଲାଗି ଆମ ସମସ୍ତଙ୍କର ଭୂମିକା ନିହାତି ଜରୁରୀ ବୋଲି ‘ହୁ’ ମହାନିର୍ଦ୍ଦେଶକ ଟେଡ୍ରସ୍‌ ଆଧାନମ୍ ଘେବ୍ରେୟେସସ୍‌ ପରାମର୍ଶ ଦେଇଛନ୍ତିା

ସମ୍ବନ୍ଧିତ ଖବର