ନୂଆଦିଲ୍ଲୀ: ଭାରତର ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂଗଠନ(ଡିଆର୍ଡିଓ) ଦ୍ବାରା ବିକଶିତ କୋଭିଡ୍-୧୯ ବିରୋଧୀ ଔଷଧର ପ୍ରଥମ ସଂକଳନକୁ ଆଜି ନୂଆଦିଲ୍ଲୀ ଠାରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଲୋକାର୍ପିତ କରିଛନ୍ତି। ‘୨-ଡିଅକ୍ସି-ଡି-ଗ୍ଲୁକୋଜ୍’ ବା ‘୨ଡିଜି’ ନାମକ ଏହି ଔଷଧ କରୋନାଭୂତାଣୁ ବିରୋଧୀ ଲଢ଼େଇରେ କେବଳ ଭାରତ କାହିଁକି, ସମଗ୍ର ବିଶ୍ବକୁ ମଧ୍ୟ ସେବା ଯୋଗାଇବ ବୋଲି ଏହାର ଲୋକାର୍ପଣ ପରେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଡା. ହର୍ଷବର୍ଦ୍ଧନ କହିଛନ୍ତି। ଜଣେ କୋଭିଡ୍ ଆକ୍ରାନ୍ତର ଆରୋଗ୍ୟଲାଭ ସମୟ ଓ ଯାନ୍ତ୍ରିକ ଅମ୍ଳଜାନ ନିର୍ଭରଶୀଳତାକୁ ଉକ୍ତ ‘୨ଡିଜି’ ଯଥେଷ୍ଟ କମାଇ ଦେଇପାରିବ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି।
ଡିଆର୍ଡିଓର ସହଯୋଗ ସହିତ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ନେତୃତ୍ବରେ ଏହି କୋଭିଡ୍ ବିରୋଧୀ ଔଷଧ ‘୨ଡିଜି’ ଦେଶର ନିଜସ୍ବ ଜ୍ଞାନକୌଶଳରେ ପ୍ରସ୍ତୁତ ପ୍ରଥମ ଗବେଷଣାଭିତ୍ତିକ ଔଷଧ ବୋଲି ସେ କହିଛନ୍ତି। ସୂଚନା ଥାଉ କି, ସାଧାରଣତଃ ଗୁଣ୍ଡ ଆକାରରେ ଉପଲବ୍ଧ ହେଉଥିବା ଏହି ଔଷଧକୁ ପାଣିରେ ଗୋଳି ସେବନ କରାଯାଇପାରିବ। ଶରୀରରେ କରୋନାଭୂତାଣୁ ଆକ୍ରାନ୍ତ କରିଥିବା ଜୀବକୋଷଗୁଡ଼ିକରେ ଏହା ସହଜରେ ପହଞ୍ଚି ଉକ୍ତ ଭୂତାଣୁର ବଂଶବୃଦ୍ଧିକୁ ରୋକିପାରିବ। ଭୂତାଣୁ ସଂକ୍ରମିତ କୋଷିକାକୁ ଏହି ଔଷଧ ଏପରି ଚୟନାତ୍ମକ ଭାବେ ଘେରିଯାଇ ପାରୁଥିବାରୁ ଅନ୍ୟମାନଙ୍କ ମଧ୍ୟରେ ଏହା ସ୍ବତନ୍ତ୍ର ବୋଲି ଡା. ହର୍ଷବର୍ଦ୍ଧନ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/05/5j4d94j9d4j984dgj94dgjdgjjjjjjjjjjjjjjjjj.jpg)