ନୂଆଦିଲ୍ଲୀ : ବିଶ୍ବର ଅଧିକାଂଶ ଭାଗରେ କରୋନା ସଂକ୍ରମଣ କମି କମି ଚାଲିଛି । ଏହାକୁ ଦୃଷ୍ଟିରେ ରଖି କେତେକ ଦେଶ କଟକଣା କୋହଳ କରିସାରିଲେଣି । ଭାରତରେ ମଧ୍ୟ କଟକଣା ସଂପୂର୍ଣ୍ଣ କୋହଳ କରାଯାଇଛି । କିନ୍ତୁ ଆଗକୁ ପୁଣି ବିପଦ ମାଡ଼ିଆସୁଛି । ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (ହୁ) ଏକ ନୂଆ ଲହର ସଂପର୍କରେ ସତର୍କ କରିଦେଇଛି ।

Advertisment

ଚୀନର ଓମିକ୍ରନ ସଂକ୍ରମଣ ବଢିବା ପରେ କେତେକ ସହରରେ କଠୋର ଲକଡାଉନ ଲାଗୁ କରାଯାଇଛି । ଦକ୍ଷିଣ କୋରିଆରେ ଗୁରୁବାର ଦିନ ପ୍ରାୟ ୬ ଲକ୍ଷ ୨୧ ହଜାର ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଫଳରେ ସେଠାକାର ବିଭିନ୍ନ ସହରରେ ପୁଣି କଟକଣା ଲାଗୁ କରାଯିବା ସହ ବୁଷ୍ଟର ଡୋଜ୍ ଦିଆଯାଉଛି । ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ରିପୋର୍ଟ ଅନୁସାରେ ଗତ ସପ୍ତାହକ ମଧ୍ୟରେ ସମଗ୍ର ବିଶ୍ବରେ ଦକ୍ଷିଣ କୋରିଆରେ ହିଁ ସର୍ବାଧିକ ସଂକ୍ରମଣ ଦେଖାଦେଇଛି । କୋରିଆ ପଛକୁ ରହିଛି ଭିଏତନାମ ।

ଅନ୍ୟପକ୍ଷରେ ଇସ୍ରାଏଲରେ କୋଭିଡର ଏକ ନୂଆ ପ୍ରଜାତି ବା ଭାରିଆଣ୍ଟ ଚିହ୍ନଟ ହୋଇଛି । ଏହା ଓମିକ୍ରନର ଦୁଇଟି ଉପ ପ୍ରଜାତିର ସମ୍ମିଶ୍ରଣରେ ସୃଷ୍ଟି ହୋଇଛି ବୋଲି ଇସ୍ରାଏଲର ବୈଜ୍ଞାନିକମାନେ କହିଛନ୍ତି ।

ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ ଆହୁରି ମଧ୍ୟ କୁହାଯାଇଛି ଯେ ୟୁକ୍ରେନ ସମେତ ପୂର୍ବ ୟୁରୋପୀୟ ଦେଶଗୁଡ଼ିକରେ ଦ୍ରୁତ ଗତିରେ ମାଡ଼ି ଚାଲିଛି ଓମିକ୍ରନ ସଂକ୍ରମଣ । ଏହାକୁ ଦେଖିଲେ ବିଶ୍ବରେ ପୁଣି ୪ର୍ଥ ଲହର ଆସିବା ନେଇ ଆଶଙ୍କା ବଢିଯାଇଛି ।