ଦିଲ୍ଲୀ ହସ୍ପିଟାଲ୍ରେ କୋଭିଡ୍ ବିଲ୍ ୧.୮ କୋଟି, ସ୍ବାସ୍ଥ୍ୟ ମନ୍ତ୍ରାଳୟର ହସ୍ତକ୍ଷେପ ଲୋଡ଼ିଲେ ମନୀଷ ତିୱାରୀ
ନୂଆଦିଲ୍ଲୀ : ଦିଲ୍ଲୀର ମ୍ୟାକ୍ସ ହସ୍ପିଟାଲ୍ ଜଣେ କୋଭିଡ୍ ରୋଗୀଙ୍କ ଚିକିତ୍ସା ପାଇଁ ୧.୮ କୋଟି ଟଙ୍କାର ବିଲ୍ ଦେଇଛି। ରୋଗୀ ଜଣଙ୍କ ୪ ମାସ ହସ୍ପିଟାଲ୍ରେ ରହି ଚିକିତ୍ସିତ ହୋଇଛନ୍ତି। ସେ ଏପ୍ରିଲ ଶେଷ ଭାଗରେ ହସ୍ପିଟାଲ୍ରେ ଭର୍ତ୍ତି ହୋଇଥିଲେ ଏବଂ ଚଳିତ ସେପ୍ଟେମ୍ବର ପ୍ରଥମ ସପ୍ତାହରେ ହସ୍ପିଟାଲ୍ରୁ ଡିସଚାର୍ଜ ହୋଇଛି। ତେବେ ରୋଗୀଙ୍କ ଚିକିତ୍ସା ପାଇଁ ୧.୮ କୋଟି ବିଲ୍ କରିବା ବିଷୟ ତାଙ୍କ ପରିବାର ସଦସ୍ୟ ଏବଂ ଅନ୍ୟ ରାଜନେତାଙ୍କୁ ମଧ୍ୟ ଆଚମ୍ବିତ କରିଛି। କଂଗ୍ରେସ ସାଂସଦ ମନୀଷ ତିୱାରୀ ଏହି ମାମଲାରେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ମନସୁଖ ମଣ୍ଡଭିୟାଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି। ଉକ୍ତ ପ୍ରସଙ୍ଗରେ ମ୍ୟାକ୍ସ ହେଲ୍ଥକେୟାରଠାରୁ ଜବାବ ଲୋଡ଼ିବାପାଇଁ ସେ ଅନୁରୋଧ କରିଛନ୍ତି।
ସ୍ବାସ୍ଥ୍ୟ ମନ୍ତ୍ରାଳୟକୁ ଏକ ଚିଠି ଲେଖି ତିୱାରୀ କହିଛନ୍ତି, ଜଣେ ରୋଗୀଙ୍କୁ କାହିଁକି ୧.୮ କୋଟି ଟଙ୍କାର ବିଲ୍ କରାଯିବ ତା’ର କାରଣ ଜାଣିବା ଉଚିତ୍। ଦିଲ୍ଲୀ ସରକାର ମଧ୍ୟ ଏହି ମାମଲାର ତଦନ୍ତ କରିବା ଉଚିତ୍। ଉଲ୍ଲେଖଯୋଗ୍ୟ ଯେ, ଆପ୍ ବିଧାୟକ ସୋମନାଥ ଭାରତୀ କିଛି ଟ୍ବିଟ୍ କରି ଉକ୍ତ ଘଟଣାରେ ହସ୍ପିଟାଲ୍ କର୍ତ୍ତୃପକ୍ଷଙ୍କୁ କଡ଼ା ନିନ୍ଦା କରିବାପରେ ଏହି ଘଟଣା ପଦାକୁ ଆସିଛି। ସୋମନାଥ ଭାରତୀ କହିଛନ୍ତି, କରୋନା ଭଲ କରିବାପାଇଁ ଏକ ହସ୍ପିଟାଲ୍ କେତେ ଟଙ୍କା ଚାର୍ଜ କରୁଥିବା ତୁମେ ଶୁଣିଛ ୨୫ ଲକ୍ଷ, ୫୦ ଲକ୍ଷ ନା’ ୧.୮ କୋଟି। ମ୍ୟାକ୍ସ ହସ୍ପିଟାଲ୍,ସାକେତକୁ ଟ୍ୟାଗ୍ କରି ବିଧୟକ ଜଣଙ୍କ ଏହି ଟ୍ବିଟ୍ କରିଥିଲେ।