୩୫ ପ୍ରସିଦ୍ଧ ଡାକ୍ତରଙ୍କ ଉଦ୍‌ବେଗ: ଟେଷ୍ଟିଂ ଅଧିକ, ଔଷଧ ମାତ୍ରାଧିକ

୨୦୨୧ ଜୁନ୍‌ ଚିକିତ୍ସା ମାନଦଣ୍ଡରେ ପରିବର୍ତ୍ତନ ପାଇଁ ଆହ୍ବାନ

ମୁମ୍ବାଇ : ଦେଶରେ କରୋନାର ତୃତୀୟ ଲହର ଏବେ ଚାଲିଛି। ଗତ ଦୁଇଟି ଲହର ଭଳି ଚଳିତଥର ମଧ୍ୟ ଦେଶରେ ଅଧିକ ଟେଷ୍ଟିଂ, ଔଷଧ ପ୍ରୟୋଗ ଏବଂ ଡାକ୍ତରଖାନାରେ ଭର୍ତ୍ତି କରାଯାଉଛି। ଏହାର କୌଣସି ଆବଶ୍ୟକତା ନାହିଁ ବୋଲି ଦେଶବିଦେଶର ୩୫ଜଣ ଖ୍ୟାତନାମା ଡାକ୍ତର କହିଛନ୍ତି।

ଏକ ଖୋଲା ଚିଠିରେ ସେମାନେ କେନ୍ଦ୍ର ଓ ରାଜ୍ୟର ସ୍ବାସ୍ଥ୍ୟ କର୍ତ୍ତୃପକ୍ଷଗୁଡ଼ିକୁ ଏଭଳି ଅନାବଶ୍ୟକ କାର୍ଯ୍ୟକୁ ବନ୍ଦ କରିବା ପାଇଁ କହିଛନ୍ତି। ଏଥିସହିତ ପ୍ରମାଣସିଦ୍ଧ ଔଷଧର ବ୍ୟବହାରକୁ ପ୍ରୋତ୍ସାହନ ଦେବାପାଇଁ ସେମାନେ କହିଛନ୍ତି। ପରୀକ୍ଷାଠାରୁ ଆରମ୍ଭ କରି ଡାକ୍ତରଖାନାରେ ଭର୍ତ୍ତି ହେବାପର୍ଯ୍ୟନ୍ତ ଅନେକ କିଛି କାର୍ଯ୍ୟ ଅନାବଶ୍ୟକ ଭାବେ କରାଯାଉଛି ବୋଲି ଦର୍ଶାଇବାର ଆବଶ୍ୟକତା ରହିଛି। କେତେକ ଚିକିତ୍ସା ପଦ୍ଧତି ସହିତ ଆମେ ସହମତ ନଥିବା ବିଷୟ ଚିଠିର ପ୍ରୟାସ ବୋଲି ଯଶଲୋକ ହସ୍ପିଟାଲର ଡାକ୍ତର ସଞ୍ଜୟ ନାଗରାଲ କହିଛନ୍ତି।

ଉକ୍ତ ଚିଠିରେ ହାର୍ଭାର୍ଡ ଏବଂ ଜନ୍‌ ହପକିନ୍ସ ବିଶ୍ବବିଦ୍ୟାଳୟର କେତେକ ଭାରତୀୟ ବଂଶୋଦ୍ଭବ ଡାକ୍ତର ସେମାନଙ୍କ ମତ ରଖିଛନ୍ତି। ୨୦୨୧ର ଲହର ସମୟରେ ଯେଉଁ ତ୍ରୁଟି କରାଯାଇଥିଲା, ୨୦୨୨ରେ ମଧ୍ୟ ସମାନ ତ୍ରୁଟି କରାଯାଉଛି। ଅଧିକାଂଶ କରୋନା ରୋଗୀଙ୍କ କ୍ଷେତ୍ରରେ ସାମାନ୍ୟ ଲକ୍ଷଣ ରହିଛି। ସେଥିପାଇଁ ଡାକ୍ତରଖାନାରେ ଭର୍ତ୍ତି ହେବାର କୌଣସି ଆବଶ୍ୟକତା ନାହିଁ କିମ୍ବା ଅଳ୍ପ ଆବଶ୍ୟକତା ରହିଛି। ଗତ ଦୁଇ ସପ୍ତାହ ମଧ୍ୟରେ ଏହି ଡାକ୍ତରମାନେ ଭାରତୀୟ ଡାକ୍ତରମାନଙ୍କ ପରାମର୍ଶ ଚିଠାକୁ ସମୀକ୍ଷା କରିବା ପରେ ଏସବୁ ଜାଣିବାକୁ ପାଇଛନ୍ତି।

ଆଜିଥ୍ରୋମାଇସିନ, ଡକ୍ସିସାଇକ୍ଲିନ, ହାଇଡ୍ରୋକ୍ସିକ୍ଲୋରୋକ୍ବିନ, ଫାଭିପିରାଭିର ଏବଂ ଆଇଭରମେକ୍ଟିନ ଭଳି ଔଷଧ ବ୍ୟବହାର ପାଇଁ ପରାମର୍ଶ ଦିଆଯିବା ଯୁକ୍ତିସଙ୍ଗତ ମନେହୁଏ ନାହିଁ ବୋଲି କାନାଡ଼ାର ମ୍ୟାକଗିଲ୍ ବିଶ୍ବବିଦ୍ୟାଳୟର ସଂକ୍ରାମକ ରୋଗ ବିଶେଷଜ୍ଞ ଡାକ୍ତର ମଧୁକର ପାଇ କହିଛନ୍ତି। ଔଷଧର ଏଭଳି ଅନାବଶ୍ୟକ ବ୍ୟବହାର ଦ୍ବାରା ଦ୍ବିତୀୟ ଲହର ସମୟରେ ମ୍ୟୁକରମା‌ଇକୋସିସ୍‌ ଭଳି ରୋଗ ଦେଖିବାକୁ ମିଳିଥିଲା।

ଅଧିକାଂଶ ରୋଗୀଙ୍କ କ୍ଷେତ୍ରରେ କେବଳ ରାପିଡ୍ ଆଣ୍ଟିଜେନ୍ କିମ୍ବା ପିସିଆର ଟେଷ୍ଟ ସହିତ ହୋମ କ୍ବାରାଣ୍ଟିନ ଓ ଅକ୍ସିଜେନ ସ୍ତର ଅନୁଧ୍ୟାନ କରିବାର ଆବଶ୍ୟକତା ଥିଲା। କିନ୍ତୁ ଅନେକ ବ୍ୟକ୍ତିଙ୍କୁ ସିଟି ସ୍କାନ ସମେତ ଡି-ଡାଇମର ଓ ଆଇଏଲ୬ ଭଳି ବ୍ୟୟବହୁଳ ରକ୍ତ ପରୀକ୍ଷା କରିବା ପାଇଁ କୁହାଯାଇଥିଲା। ଏସବୁ ପରୀକ୍ଷା ଏବଂ ହସ୍ପିଟାଲରେ ଭର୍ତ୍ତି ହେବା ଦ୍ବାରା ‌ପରିବାରଗୁଡ଼ିକ ଉପରେ ଅଯଥା ଆର୍ଥିକ ବୋଝ ପଡ଼ିଥିଲା। ଉକ୍ତ ଚିଠିରେ ଦସ୍ତଖତ କରିଥିବା ଅନ୍ୟ ଖ୍ୟାତନାମା ଡାକ୍ତରଙ୍କ ମଧ୍ୟରେ ହାର୍ଭାର୍ଡ ମେଡିକାଲ ସ୍କୁଲର ଡାକ୍ତର ସତ୍‌ଚିତ୍‌ ବଲ୍‌ସାରି, ହିନ୍ଦୁଜା ହସ୍ପିଟାଲର ଡାକ୍ତର ଜରିର୍ ଉଦ୍‌ୱାଦିଆ, ଭୋପାଳର ଡାକ୍ତରୀ ନୈତିକତାବିତ୍‌ ଡାକ୍ତର ଅନନ୍ତ ଭାନ, କୁପର ‌ମ୍ୟୁନିସିପାଲ ଜେନେରାଲ ହସ୍ପିଟାଲର ଡାକ୍ତର ଚାରୁତା ମଣ୍ଡକେ, ଆଡାଭାନ୍ସଡ ମଲ୍ଟିସ୍ପେସାଲିଟି ହସ୍ପିଟାଲର ଡାକ୍ତର ତୁଷାର ଶାହ ପ୍ରମୁଖ ରହିଛନ୍ତି। ଭାରତରେ ସରକାରଙ୍କ ଦ୍ବାରା ଧାର୍ଯ୍ୟ ମାନଦଣ୍ଡ ଅନୁସାରେ ଚିକିତ୍ସା କରାଯାଉଛି। ତେଣୁ ସରକାର ୨୦୨୧ ଜୁନରେ ପ୍ରସ୍ତୁତ କରିଥିବା ଉକ୍ତ ମାନଦଣ୍ଡରେ ପରିବର୍ତ୍ତନ ଆଣିବା ପାଇଁ ଏହି ଡାକ୍ତରମାନେ ଆହ୍ବାନ କରିଛନ୍ତି।

ସମ୍ବନ୍ଧିତ ଖବର