ଦେଶରେ ୧୧ ଦିନରେ ୧୦ ଲକ୍ଷ ସଂକ୍ରମିତ, ମୋଟ୍‌ ମାମଲା ୧.୩୦ କୋଟି ଟପିଲା

ଲଗାତାର ୩ ଦିନ ଧରି ୧ ଲକ୍ଷରୁ ଅଧିକ ସଂକ୍ରମଣ, ଗତ ୭ ଦିନରେ ୧୪୯ ଜିଲ୍ଲାରେ ନୂଆ ସଂକ୍ରମଣ ନାହିଁ

ନୂଆଦିଲ୍ଲୀ : ଦେଶରେ କରୋନା ସଂକ୍ରମଣ ଅନିୟନ୍ତ୍ରିତ ଭାବେ ମାଡ଼ି ଚାଲିଛି। ଲଗାତାର ୩ ଦିନ ଧରି ଦେଶରେ ୧ ଲକ୍ଷରୁ ଅଧିକ ସଂକ୍ରମଣ ମାମଲା ରହିଛି। ବିଗତ ୨୪ ଘଣ୍ଟା‌ ମଧ୍ୟରେ ଦେଶରେ ୧,୩୧,୯୬୮ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି। ଏଥିସହ ଦେଶରେ ସଂକ୍ରମିତଙ୍କ ସଂଖ୍ୟା ୧ କୋଟି ୩୦ ଲକ୍ଷ ଟପିଯାଇଛି। ମୋଟ୍‌ ସଂକ୍ରମଣ ମାମଲା ୧ କୋଟି ୩୦ ଲକ୍ଷ ୬୦ ହଜାର ୫୪୨ ରହିଛି। ଅନ୍ୟପକ୍ଷେ ବିଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୭୮୦ ନୂଆ କରୋନା ମୃତ୍ୟୁ ହୋଇଛି। ମୋଟ୍‌ ମୃତ୍ୟୁସଂଖ୍ୟା ୧,୬୭,୬୪୨ ପହଞ୍ଚିଛି। ‌ଦେଶରେ ସକ୍ରିୟ ମାମଲା ୯,୭୯,୬୦୮ ରହିଛି। ଦେଶରେ ଶେଷ ୧୦ ଲକ୍ଷ ସଂକ୍ରମଣ ମାମଲା ମାତ୍ର ୧୧ ଦିନରେ ଚିହ୍ନଟ ହୋଇଛି। ସଂକ୍ରମଣ ମାମଲା କୋଟିଏ ୨୦ ଲକ୍ଷରୁ କୋଟିଏ ୩୦ ଲକ୍ଷ ହେବାପାଇଁ ମାତ୍ର ୧୧ ଦିନ ଲାଗିଛି। ଅନ୍ୟପକ୍ଷେ ପ୍ରଥମ ଲହରରେ ଗତ ସେପ୍ଟେମ୍ବରରେ ମଧ୍ୟ ସଂକ୍ରମଣ ମାମଲା ୪୦ ଲକ୍ଷରୁ ୫୦ ଲକ୍ଷ ହେବାପାଇଁ ସମାନ ୧୧ ଦିନ ଲାଗିଥିଲା।

ମହାରାଷ୍ଟ୍ର, ଛତିଶଗଡ଼, କର୍ଣ୍ଣାଟକ, ଉତ୍ତରପ୍ରଦେଶ ଏବଂ କେରଳରୁ ଦେଶର ମୋଟ୍‌ ସକ୍ରିୟ ମାମଲାର ୭୩ ପ୍ରତିଶତରୁ ଅଧିକ ରହୁଛି। ମହାରାଷ୍ଟ୍ର ପରେ ଦେଶର ସର୍ବାଧିକ ସଂକ୍ରମଣ ମାମଲା ଛତିଶଗଡ଼ରୁ ଚିହ୍ନଟ ହେଉଛି। ବିଗତ ୨୪ ଘଣ୍ଟା‌ ମଧ୍ୟ‌ରେ ଛତିଶଗଡ଼ରେ ୧୦,୬୫୨ ନୂଆ ମାମଲା ଚିହ୍ନଟ ହୋଇଛି।

ଗତ ୭ ଦିନରେ ୧୪୯ ଜିଲ୍ଲାରେ ନୂଆ ସଂକ୍ରମଣ ନାହିଁ
ନୂଆ‌ଦିଲ୍ଲୀ  : ଗତ ୭ ଦିନରେ ଦେଶରେ ୧୪୯ଟି ଜିଲ୍ଲାରେ କୌଣସି ନୂଆ ସଂକ୍ରମଣ ନାହିଁ। ଅନ୍ୟପକ୍ଷେ ୮ଟି ଜିଲ୍ଲାରେ ଗତ ୧୪ ଦିନ ମଧ୍ୟରେ କୌଣସି ନୂଆ ମାମଲା ନାହିଁ। ସେହିପରି ଗତ ୨୧ ଦିନରେ ୩ଟି ଜିଲ୍ଲାରେ ନୂଆ ମାମଲା ନଥିବା ବେଳେ ୨୮ ଦିନରେ ୬୩ଟି ଜିଲ୍ଲାରେ କୌଣସି ନୂଆ ସଂକ୍ରମଣ ଚିହ୍ନଟ ହୋଇନି। ଦେଶରେ ଦୈନିକ ସଂକ୍ରମଣ ମାମଲା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ଡାକ୍ତର ହର୍ଷବର୍ଦ୍ଧନ ଆଜି ଏହି ସୂଚନା ଦେଇଛନ୍ତି। କରୋନା ମୁକାବିଲା ପାଇଁ ମନ୍ତ୍ରୀ ଗୋଷ୍ଠୀର ୨୪ତମ ବୈଠକରେ ଅଧ୍ୟକ୍ଷତା କରି ହର୍ଷବର୍ଦ୍ଧନ କହିଛନ୍ତି, ଶୁକ୍ରବାର ସକାଳ ସୁଦ୍ଧା ୯.୪୩ କୋଟି ଟିକା ଡୋଜ୍‌ ଦିଆସରିଛି। ୩ କୋଟିରୁ ଅଧିକ ଟିକା ଡୋଜ୍‌ ବରିଷ୍ଠ ନାଗରିକଙ୍କୁ ଦିଆଯାଇଛି। ଭାରତ ମଧ୍ୟ ଟିକା ମୈତ୍ରୀ ଦ୍ବାରା ବିଶ୍ବ ସମ୍ପ୍ରଦାୟକୁ ସହଯୋଗ କରୁଛି। ଏହି ଟିକା ମୈତ୍ରୀ ଅଭିଯାନ ଅଧୀନରେ ୬.୪୫ କୋଟି ଡୋଜ୍‌ ୮୫ଟି ଦେଶକୁ ପଠାଯାଉଛି। ଦେଶରେ କରୋନା ମୁକାବିଲା ପାଇଁ ସ୍ବାସ୍ଥ୍ୟ ଭିତ୍ତିଭୂମି ମଧ୍ୟ ସୁଦୃଢ଼ କରାଯାଇଛି।

ସମ୍ବନ୍ଧିତ ଖବର