୪୪ ଦିନରେ ସର୍ବନିମ୍ନ ସଂକ୍ରମଣ, ମୃତ୍ୟୁ ତଥାପି ୩,୫୦୦ ଉପରେ

୨୪ ଘଣ୍ଟାରେ ୧,୮୬,୩୬୪ ନୂତନ ସଂକ୍ରମିତ, ୩,୬୬୦ ମୃତ

ନୂଆଦିଲ୍ଲୀ : ଚଳିତ ସପ୍ତାହର ମଙ୍ଗଳବାର ଓ ବୁଧବାର ଦେଶରେ ଦୈନିକ ସଂକ୍ରମଣ ୨ ଲକ୍ଷ ଉପରେ ରହିବା ପରେ ଗୁରୁବାର ତାହା ଯଥେଷ୍ଟ ତଳକୁ ଖସିଆସିଛି। ତା’ପୂର୍ବରୁ ଗତ ସୋମବାର ଯାଏ ଦୈନିକ ସଂକ୍ରମଣ ଲଗାତାର ଦଶମ ଦିନ ପାଇଁ ଲଗାତାର କମି କମି ୨ ଲକ୍ଷ ତଳକୁ ପହଞ୍ଚିଥିଲା ବେଳେ ମଙ୍ଗଳବାର ପୁଣି ୨ ଲକ୍ଷ ସୀମା ଡେଇଁଥିଲା। ଅପରପକ୍ଷେ, ଦୈନିକ କୋଭିଡ୍‌ ମୃତକଙ୍କ ସଂଖ୍ୟାରେ ଅବଶ୍ୟ ଉଲ୍ଲେଖନୀୟ ହ୍ରାସ ଘଟି ଗୁରୁବାର ୪ ହଜାର ସୀମାର ଯଥେଷ୍ଟ ତଳକୁ ଆସିଛି। ଦିନକୁ ଦିନ ଅଧିକ ନମୁନା ପରୀକ୍ଷଣ ସତ୍ତ୍ବେ ସେହି ଅନୁସାରେ କମ୍‌ ସଂକ୍ରମିତ ଚିହ୍ନଟ ହେବା ଆଶ୍ବସ୍ତିର ବିଷୟ ହୋଇଛି। ତେବେ ଗତ ୧୫ ଦିନ ଭିତରେ ୭୦ ହଜାର ପାଖାପାଖି କୋଭିଡ୍‌ ପୀଡ଼ିତ ମୃତ୍ୟୁମୁଖରେ ପଡ଼ିବା ଘଟଣା ଦେଶରେ ସାମଗ୍ରିକ ଭାବେ ମହାମାରୀର ଉପଦ୍ରବ ଜାରି ରହିଥିବା ପ୍ରମାଣିତ କରିଛି।

ଆଜି ସକାଳ ୮ଟା ସୁଦ୍ଧା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ସୂଚନାନୁଯାୟୀ, ବିଗତ ୨୪ ଘଣ୍ଟା ଭିତରେ ଦେଶରେ ୧,୮୬,୩୬୪ ଜଣ ନୂତନ ସଂକ୍ରମିତ ଠାବ ହୋଇଛନ୍ତି ଯାହା କି ଗତ ଏପ୍ରିଲ ୧୪ ତାରିଖ ପରଠାରୁ ୪୪ ଦିନ ଭିତରେ ସର୍ବନିମ୍ନ ବୋଲି ଜଣାଯାଇଛି। ଚଳିତ ସପ୍ତାହରେ ଦ୍ବିତୀୟ ଥର ପାଇଁ ସଂକ୍ରମିତଙ୍କତ ସଂଖ୍ୟା ୨ ଲକ୍ଷ ତଳକୁ ଖସିଛି। ପୂର୍ବରୁ ଗତ ମଙ୍ଗଳବାର ହିଁ ତାହା ୧,୯୬,୪୨୭ ରହିଥିଲା। ଏହି ଗୁରୁବାରର ସଂଖ୍ୟାକୁ ମିଶାଇ ଅଦ୍ୟାବଧି ମୋଟ ୨,୭୫,୫୫,୪୫୭ ଜଣ ଏହି ମହାମାରୀରେ ଆକ୍ରାନ୍ତ ହୋଇଥିବା ଜଣାଯାଇଛି। ଗୁରୁବାରର ଏହି ନୂତନ ସଂକ୍ରମିତଙ୍କ ମଧ୍ୟରେ ତାମିଲନାଡୁରେ ସର୍ବାଧିକ ୩୩,୩୬୧ ଜଣ ଆକ୍ରାନ୍ତ ଠାବ ହୋଇଥିବା ବେଳେ ତାହା ପଛକୁ କର୍ଣ୍ଣାଟକରେ ୨୪,୨୧୪ ଜଣ, କେରଳରେ ୨୪,୧୬୬ ଜଣ, ମହାରାଷ୍ଟ୍ରରେ ୨୧,୨୭୩ ଜଣ ଓ ଆନ୍ଧ୍ରପ୍ରଦେଶରେ ୧୬,୧୬୭ ଜଣ ସଂକ୍ରମିତ ବାହାରିଛନ୍ତି। ଅପରପକ୍ଷେ, ଏହି ଦିନକ ଭିତରେ ଦେଶରେ ୩,୬୦୦ ଜଣ କୋଭିଡ୍‌ ପୀଡ଼ିତଙ୍କର ମୃତ୍ୟୁ ହେବା ସହ ଦେଶରେ ମୋଟ କୋଭିଡ୍‌ ମୃତକଙ୍କ ସଂଖ୍ୟା ୩,୧୮,୮୯୫ରେ ପହଞ୍ଚିଛି।

ସଦ୍ୟ ମୃତକଙ୍କ ମଧ୍ୟରେ ମହାରାଷ୍ଟ୍ରରେ ସର୍ବାଧିକ ୮୮୪ ଜଣ ହୋଇଥିବା ବେଳେ ତାହା ପଛକୁ କର୍ଣ୍ଣାଟକର ୪୭୬ ଜଣ, ତାମିଲନାଡୁର ୪୭୪ ଜଣ, ଉତ୍ତରପ୍ରଦେଶର ୧୮୭ ଜଣ ଓ କେରଳର ୧୮୧ ଜଣ ରହିଛନ୍ତି। ତେବେ ମୋଟ ସଂକ୍ରମିତଙ୍କ ତୁଳନାରେ ମୃତ୍ୟୁହାର ଅବଶ୍ୟ ଲଗାତାର ୫ ଦିନ ହେଲା ୧.୧୫ ପ୍ରତିଶତ ପରି ନିମ୍ନ ସ୍ତରରେ ରହିଛି। ସେହିପରି ଏହି ୨୪ ଘଣ୍ଟା ଭିତରେ ଦେଶରେ ୨,୫୯,୪୫୯ ଜଣ ଆରୋଗ୍ୟଲାଭ କରିଥିବା ବେଳେ ଅଦ୍ୟାବଧି ମୋଟ ୨,୪୮,୯୩,୪୧୦ ଜଣ ସୁସ୍ଥ ହୋଇଛନ୍ତି ଯାହା କି ମୋଟ ସଂକ୍ରମିତଙ୍କର ପ୍ରାୟ ୯୦ ପ୍ରତିଶତ ଉପରେ ରହିଛି। ଦେଶରେ ୨୩,୪୩,୧୫୨ଟି ସକ୍ରିୟ ମାମଲା ରହିଛି ଏବଂ ଲଗାତାର ଚତୁର୍ଥ ଦିନ ପଇଁ ସକ୍ରିୟ ହାର ୧୦ ପ୍ରତିଶତ ତଳେ ରହିଛି। ସେହିପରି ଦେଶରେ ଅଦ୍ୟାବଧି ମୋଟ ୨୦,୩୫,୮୨,୧୫୫ ଜଣଙ୍କର ଟିକାକରଣ କରାଯାଇଥିବା ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ସୂତ୍ରରୁ ଜଣାଯାଇଛି। ଅନ୍ୟ ଏକ ସୂଚନା କ୍ରମେ ଗତ ୨୪ ଘଣ୍ଟା ଭିତରେ ହୋଇଥିବା ୨୦,୭୦,୫୦୮ ସଂଖ୍ୟକ ନମୁନା ପରୀକ୍ଷଣକୁ ମିଶାଇ ବର୍ତ୍ତମାନ ସୁଦ୍ଧା ଦେଶରେ ମୋଟ ୩୩,୯୦,୩୯,୮୬୧ ଜଣଙ୍କର କୋଭିଡ୍‌ ପରୀକ୍ଷା କରାଯାଇଥିବା ଜଣାଯାଇଛି।

ସମ୍ବନ୍ଧିତ ଖବର