ନୂଆଦିଲ୍ଲୀ : ଦେଶରେ ମହାମାରୀ କୋଭିଡ୍‌-୧୯ର ଦ୍ବିତୀୟ ଲହରରେ ଲଗାତାର ଚତୁର୍ଥ ଦିନ ପାଇଁ ଗୁରୁବାର ମଧ୍ୟ ଦୈନିକ ନୂତନ ସଂକ୍ରମିତଙ୍କ ସଂଖ୍ୟା ଲକ୍ଷେ ତଳେ ରହିଛି। ସର୍ବୋପରି ଲଗାତାର ନୂତନ ସଂକ୍ରମିତଙ୍କ ତୁଳନାରେ ଅଧିକ ସଂଖ୍ୟକ ରୋଗୀ ଆରୋଗ୍ୟଲାଭ କରିବା ସହ ସକ୍ରିୟ ମାମଲା ୧୧ ଲକ୍ଷ ପାଖକୁ ଖସି ଆସିବା ଆଶ୍ବସ୍ତିର ବିଷୟ ହୋଇଛି। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ସୂଚନାନୁଯାୟୀ, ଶୁକ୍ରବାର ସକାଳ ୮ଟା ସୁଦ୍ଧା ବିଗତ ୨୪ ଘଣ୍ଟା ଭିତରେ ଦେଶରେ ୯୧,୭୦୨ ଜଣ ନୂତନ ସଂକ୍ରମିତଙ୍କୁ ଠାବ କରାଯାଇଛି। ଏଥି ସହ ବର୍ତ୍ତମାନ ସୁଦ୍ଧା ମୋଟ ୨,୯୨,୭୪,୮୦୩ ଜଣ ଦେଶବାସୀ ଏହି ମହାମାରୀରେ ଆକ୍ରାନ୍ତ ହୋଇଥିବା ଜଣାଯାଇଛି। ଏହି ନୂତନ ଆକ୍ରାନ୍ତଙ୍କ ମଧ୍ୟରେ ତାମିଲନାଡୁରେ ମଧ୍ୟ ପୂର୍ବପରି ସର୍ବାଧିକ ୧୬,୮୧୩ ଜଣ ସଂକ୍ରମିତ ଟିହ୍ନଟ ହୋଇଥିବା ବେଳେ ତାହା ପଛକୁ କେରଳରେ ୧୪,୪୨୪ ଜଣ, ମହାରାଷ୍ଟ୍ରରେ ୧୨,୨୦୭ ଜଣ, କର୍ଣ୍ଣାଟକରେ ୧୧,୦୪୨ ଜଣ ଓ ଆନ୍ଧ୍ରପ୍ରଦେଶରେ ୮,୧୧୦ ଜଣ ସଂକ୍ରମିତ ବାହାରିଛନ୍ତି। କେବଳ ଏହି ୫ଟି ରାଜ୍ୟରେ ହିଁ ଦେଶର ୬୮.୨୬ ପ୍ରତିଶତ ନୂତନ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।

Advertisment

ସେହିପରି ଏହି ୨୪ ଘଣ୍ଟା ଭିତରେ ଦେଶରେ ୩,୪୦୩ଜଣ କୋଭିଡ୍‌ ପୀଡ଼ିତ ଆଖି ବୁଜିଥିବା ବେଳେ ବର୍ତ୍ତମାନ ସୁଦ୍ଧା ମୋଟ କୋଭିଡ୍‌ ମୃତକଙ୍କ ସଂଖ୍ୟା ୩,୬୩,୦୭୯ରେ ପହଞ୍ଚିଛି। ଗୁରୁବାରର ଏହି ସଦ୍ୟ ମୃତକଙ୍କ ମଧ୍ୟରେ ମହାରାଷ୍ଟ୍ରରେ ସର୍ବାଧିକ ୧୯୧୫ ଜଣ, ତାମିଲନାଡୁରେ ୩୫୮ଜଣ, କର୍ଣ୍ଣାଟକ ଓ କେରଳରେ ୧୯୪ ଜଣ ଲେଖାଏଁ ଓ ପଶ୍ଚିମବଙ୍ଗରେ ୮୭ ଜଣ ରହିଛନ୍ତି। ବିଗତ ୨୪ ଘଣ୍ଟା ଭିତରେ ଦେଶରେ ୧,୩୪,୫୮୦ ଜଣ ସୁସ୍ଥ ହୋଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ଦେଶରେ ମୋଟ ୨,୭୭,୯୦,୦୭୩ ଜଣ ସମ୍ପୂର୍ଣ୍ଣ ଆରୋଗ୍ୟଲାଭ କରିଥିବା ଜଣାଯାଇଛି। ଏଥି ସହିତ ଗତ ୨୪ ଘଣ୍ଟା ଭିତରେ ଦେଶରେ ସକ୍ରିୟ ମାମଲା ୪୬,୨୮୧ ଖସି ଆସି ୧୧,୨୧,୭୬୧ରେ ପହଞ୍ଚିଛି। ଆରୋଗ୍ୟ ହାର ମଧ୍ୟ ୯୪.୯୩ ପ୍ରତିଶତ ପରି ଉଚ୍ଚ ସ୍ତରରେ ପହଞ୍ଚିଛି। ଅପରପକ୍ଷେ, ଗତ ୨୪ ଘଣ୍ଟା ଭିତରେ ଦେଶରେ ୩୨,୭୪,୬୭୨ଜଣଙ୍କର ଟିକାକରଣ କରାଯାଇଥିବା ବେଳେ ଅଦ୍ୟାବଧି ମୋଟ ୨୪,୬୦,୮୫,୬୪୯ ଜଣ ନାଗରିକଙ୍କୁ କୋଭିଡ୍‌ ଟିକା ପ୍ରଦାନ କରାଯାଇଥିବା ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ସେହିପରି ଏହି ଦିନକ ଭିତରେ ୨୦,୪୪,୧୩୧ଟି ନମୁନା ପରୀକ୍ଷଣ କରାଯିବା ସହ ଏଯାଏ ମୋଟ ୩୭.୪୨କୋଟି ଦେଶବାସୀଙ୍କର କୋଭିଡ୍‌ ପରୀକ୍ଷା କରାଯାଇଥିବା ଭାରତୀୟ ଭେଷଜ ଗବେଷଣା ପରିଷଦ(ଆଇସିଏମ୍‌ଆର୍‌) ସୂଚନାରୁ ଜଣାଯାଇଛି।