ନୂଆଦିଲ୍ଲୀ : ଦେଶରେ ସାପ୍ତାହିକ ସଂକ୍ରମଣ ମାମଲା ଲଗାତାର ଭାବେ କମିମାରେ ଲାଗିଛି। ରବିବାର ଦିନ ଶେଷ ହୋଇଥିବା ସପ୍ତାହରେ ଦେଶରେ ସାପ୍ତାହିକ ସଂକ୍ରମଣ ୩ ପ୍ରତିଶତ କମିଛି। କିନ୍ତୁ ୯ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳରେ ସଂକ୍ରମଣ ବଢ଼ୁଛି। ନଭେମ୍ବର ୨୯ରୁ ଡିସେମ୍ବର ୫ ସପ୍ତାହ ମଧ୍ୟରେ ଦେଶରେ ସାପ୍ତାହିକ ସଂକ୍ରମଣ ୬୧,୧୪୯ ରହିଛି। ମେ’ ୨୦୨୦ ପରେ ଉକ୍ତ ସାପ୍ତାହିକ ସଂକ୍ରମଣ ସବୁଠାରୁ କମ୍। ପୂର୍ବ ସପ୍ତାହର ସଂକ୍ରମଣ ୬୩,୨୬୭ ତୁଳନାରେ ନଭେମ୍ବର ୨୯- ଡିସେମ୍ବର ୫ ମଧ୍ୟରେ ଥିବା ସଂକ୍ରମଣ ୩.୩ ପ୍ରତିଶତ ହ୍ରାସ ହୋଇଛି। ଓମିକ୍ରନ୍ ଭୟ ମଧ୍ୟରେ ଦେଶରେ ସାପ୍ତାହିକ ସଂକ୍ରମଣ କମିବା ଏକ ଆଶ୍ବସ୍ତିକର ବିଷୟ। କିନ୍ତୁ ୯ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ ସଂକ୍ରମଣ ବଢ଼ିବା ଚିନ୍ତାର କାରଣ ହୋଇଛି। ଉକ୍ତ ୯ ରାଜ୍ୟରେ ସାପ୍ତାହିକ ସଂକ୍ରମଣରେ ୧୦ ପ୍ରତିଶତରୁ ଅଧିକ ବୃଦ୍ଧି ହୋଇଛି।
କର୍ଣ୍ଣାଟକରେ ସାପ୍ତାହିକ ସଂକ୍ରମଣରେ ୨୫ ପ୍ରତିଶତ ବୃଦ୍ଧି ହୋଇଛି। ଗତ ସପ୍ତାହରେ କର୍ଣ୍ଣାଟକ ସଂକ୍ରମଣ ୨,୦୦୧ ଥିବାବେଳେ ଚଳିତ ସପ୍ତାହରେ ଏହା ୨୪୯୯କୁ ବୃଦ୍ଧି ପାଇଛି। ତେଲେଙ୍ଗାନାରେ ମଧ୍ୟ ସାପ୍ତାହିକ ସଂକ୍ରମଣରେ ୨୬ ପ୍ରତିଶତ ବୃଦ୍ଧି ହୋଇଛି। ତେଲେଙ୍ଗାନାରେ ଗତ ସପ୍ତାହରେ ସଂକ୍ରମଣ ୧,୦୫୯ ଥିବାବେଳେ ଚଳିତ ସପ୍ତାହରେ ଏହା ୧୩୨୯କୁ ବୃଦ୍ଧି ପାଇଛି। ଦିଲ୍ଲୀରେ ନୂଆ ସଂକ୍ରମଣରେ ୧୪୬ ପ୍ରତିଶତ ବୃଦ୍ଧି ହୋଇଛି। ଗତ ସପ୍ତାହରେ ଦିଲ୍ଲୀରେ ସାପ୍ତାହିକ ସଂକ୍ରମଣ ୨୦୦ ଥିବାବେଳେ ଚଳିତ ସପ୍ତାହରେ ଏହା ୪୯୨ ରହିଛି। ସେହିପରି ଗୁଜରାଟରେ ସାପ୍ତାହିକ ସଂକ୍ରମଣ ମାମଲାରେ ୫୩ ପ୍ରତିଶତ ବୃଦ୍ଧି ହୋଇଛି। ଗୁଜରାଟରେ ଗତ ସପ୍ତାହରେ ସଂକ୍ରମଣ ୨୦୨ ଥିଲା। କିନ୍ତୁ ଚଳିତ ସପ୍ତାହରେ ଏହା ୩୦୯କୁ ବୃଦ୍ଧି ପାଇଛି। ଉତ୍ତରପ୍ରଦେଶରେ ଗତ ସପ୍ତାହରେ ସଂକ୍ରମଣ ୫୦ ଥିବାବେଳେ ଚଳିତ ସପ୍ତାହରେ ଏହା ୧୦୧କୁ ବୃଦ୍ଧି ପାଇଛି। ଗୋଆରେ ସାପ୍ତାହିକ ସଂକ୍ରମଣ ମାମଲାରେ ୫୦ ପ୍ରତିଶତ ବୃଦ୍ଧି ହୋଇଥିବାବେଳେ ସିକିମ୍ରେ ୧୨୨ ପ୍ରତିଶତ, ଝାଡ଼ଖଣ୍ଡରେ ୧୨ ପ୍ରତିଶତ ଏବଂ ଜମ୍ମୁ କାଶ୍ମୀରରେ ସଂକ୍ରମଣ ମାମଲାରେ ୧୦ ପ୍ରତିଶତ ବୃଦ୍ଧି ହୋଇଛି।
ଇତି ମଧ୍ୟରେ ଚଳିତ ସପ୍ତାହରେ ଦେଶରେ କରୋନା ମୃତ୍ୟୁ ୪,୭୪୬ ରହିଛି। ଗତ ସପ୍ତାହର କରୋନା ମୃତ୍ୟୁ ୨,୮୮୭ ତୁଳନାରେ ଏହା ୬୪ ପ୍ରତିଶତ ବୃଦ୍ଧି ହୋଇଛି। ତେବେ ଚଳିତ ସପ୍ତାହରେ ହୋଇଥିବା କରୋନା ମୃତ୍ୟୁରୁ ୨୨୦୦ରୁ ଅଧିକ ପୁରୁଣା ମୃତ୍ୟୁସଂଖ୍ୟା ଯୋଡ଼ାଯାଇଛି।