ନୂଆଦିଲ୍ଲୀ : ୫ ରାଜ୍ୟରେ କରୋନା ସଂକ୍ରମଣ ବଢ଼ୁଥିବାରୁ କେନ୍ଦ୍ର ସରକାର ଚିନ୍ତା ପ୍ରକଟ କରିଛନ୍ତି ଏବଂ ଉକ୍ତ ୫ ରାଜ୍ୟକୁ ଚିଠି ଲେଖିଛନ୍ତି। କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ରାଜେଶ ଭୂଷଣ ୫ ରାଜ୍ୟ ତାମିଲନାଡ଼ୁ, କେରଳ, ତେଲେଙ୍ଗାନା, ମହାରାଷ୍ଟ୍ର ଏବଂ କର୍ଣ୍ଣାଟକକୁ ଚିଠି ଲେଖିଛନ୍ତି। ଉକ୍ତ ୫ ରାଜ୍ୟରେ ସ୍ଥାନୀୟ ଭାବେ ସଂକ୍ରମଣ ବଢ଼ୁଥିବାରୁ ସରକାର ଚିନ୍ତା ପ୍ରକଟ କରିଛନ୍ତି ଏବଂ କ୍ଲଷ୍ଟର୍ ଯାଞ୍ଚ୍ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ତୀବ୍ର ଶ୍ବାସ ପ୍ରଶ୍ବାସ ସଂକ୍ରମଣ ଏବଂ ଇନଫ୍ଲୁଏଞ୍ଜା ଭଳି ଅସୁସ୍ଥତାକୁ ଭଲଭାବେ ଯାଞ୍ଚ କରିବାପାଇଁ କେନ୍ଦ୍ର ସରକାର ଉକ୍ତ ୫ ରାଜ୍ୟକୁ ନିର୍ଦ୍ଦେଶ ଦେଇଛନ୍ତି। ସରକାରୀ ନିୟମାବଳୀ ଅନୁଯାୟୀ ଟେଷ୍ଟିଂ ଏବଂ ଜିନୋମ ସିକ୍ବେନ୍ସ ବୃଦ୍ଧି କରିବାପାଇଁ କହିଛନ୍ତି।
ଅନ୍ୟପକ୍ଷେ ଦେଶରେ ଆଜି ୪ ହଜାରରୁ ଅଧିକ ନୂଆ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି। ଗତ ୨୪ ଘଣ୍ଟାରେ ଦେଶରେ ୪,୦୪୧ ନୂଆ ମାମଲା ଚିହ୍ନଟ ହେବା ସହ ୧୦ କରୋନା ମୃତ୍ୟୁ ହୋଇଛି। ପ୍ରାୟ ୩ ମାସ ପରେ ଦେଶରେ ଦୈନିକ ସଂକ୍ରମଣ ୪ ହଜାର ଉପରେ ରହିଛି। ଦେଶରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୪୩,୧୬୮,୫୮୫ରେ ପହଞ୍ଚିଛି। ମୁମ୍ବାଇ ଏବଂ ଚେନ୍ନାଇରେ ଅଚାନକ ସଂକ୍ରମଣ ବୃଦ୍ଧି ଯୋଗୁଁ ଦେଶରେ ଦୈନିକ ସଂକ୍ରମଣ ମାମଲା ବଢ଼ିଛି। ଭୂଷଣ କହିଛନ୍ତି ମେ’ ୨୭ରେ ଶେଷ ହେଉଥିବା ସପ୍ତାହରେ ଦେଶରେ ସଂକ୍ରମଣ ମାମଲା ୧୫,୭୦୮ ଥିଲା । ଅନ୍ୟପକ୍ଷେ ଚଳିତ ସପ୍ତାହରେ ଏହି ସଂଖ୍ୟା ୨୧,୦୫୫କୁ ବୃଦ୍ଧି ପାଇଛି। ଦେଶରେ ସାପ୍ତାହିକ ପଜିଟିଭ୍ ହାର ମଧ୍ୟ ସପ୍ତାହକ ମଧ୍ୟରେ ୦.୫୨ ପ୍ରତିଶତରୁ ୦.୭୩ ପ୍ରତିଶତକୁ ବୃଦ୍ଧି ପାଇଛି। କେନ୍ଦ୍ର ସରକାରଙ୍କ ଚିଠି ଅନୁଯାୟୀ କେରଳରେ ୧୧ ଜିଲ୍ଲା, ତାମିଲନାଡୁରେ ୨ ଜିଲ୍ଲା, କର୍ଣ୍ଣାଟକରେ ଗୋଟିଏ ଜିଲ୍ଲା ଏବଂ ମହାରାଷ୍ଟ୍ରରେ ୬ଟି ଜିଲ୍ଲାରେ ସଂକ୍ରମଣ ବୃଦ୍ଧି ହୋଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/06/covid-1.jpg)