ନୂଆଦିଲ୍ଲୀ : ଦେଶରେ ଆଜି ୭,୫୮୪ ନୂଆ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି। ଦେଶରେ ମୋଟ୍‌ ସଂକ୍ରମିତଙ୍କ ସଂଖ୍ୟା ୪,୩୨,୦୫,୧୦୬ ଥିବା ବେଳେ ସକ୍ରିୟ ମାମଲା ୩୬,୨୬୭ ରହିଛି। ଗତ ୨୪ ଘଣ୍ଟା‌ରେ ୨୪ ଜଣଙ୍କ କ‌ରୋନାରେ ମୃତ୍ୟୁ ହେବା ସହ ମୋଟ୍‌ କରୋନା ମୃତ୍ୟୁ ୫,୨୪,୭୪୭ରେ ପହଞ୍ଚିଛି। ସକ୍ରିୟ ମାମଲା ଏବେ ମୋଟ୍‌ ସଂକ୍ରମଣ ମାମଲାର ୦.୦୮ ପ୍ରତିଶତ। ଅନ୍ୟପକ୍ଷେ ଆରୋଗ୍ୟ ହାର ୯୮.୭୦ ପ୍ରତିଶତ। ଦେଶରେ ଦୈନିକ ପଜିଟିଭ୍‌ ହାର ୨.୨୬ ପ୍ରତିଶତ ଏବଂ ସାପ୍ତାହିକ ପଜିଟିଭ୍‌ ହାର ୧.୫୦ ପ୍ରତିଶତ। ମୋଟ୍‌ ୪,୨୬,୪୪,୦୯୨ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି। ଦେଶରେ ମୃତ୍ୟୁହାର ୧.୨୧ ପ୍ରତିଶତ। ଦେଶରେ ଟିକାକରଣ ୧୯୪.୭୬ କୋଟି ଟପିଯାଇଛି। ମୁମ୍ବାଇରେ ଆଜି ୧୯୫୬ ନୂଆ ମାମଲା ଚିହ୍ନଟ ହୋଇଛି। ଗତକାଲିର ସଂକ୍ରମଣ (୧୭୦୨) ତୁଳନାରେ ଏହା ୧୫ ପ୍ରତିଶତ ଅଧିକ। ପଜିଟିଭ୍‌ ହାର ୧୨.୭୪ ପ୍ରତିଶତରେ ପହଞ୍ଚିଛି। ମୁମ୍ବାଇରେ ଲଗାତାର ସଂକ୍ରମଣ ବଢ଼ି ଚାଲିଥିବାରୁ ସରକାର ବିଭିନ୍ନ ସତର୍କତା ପଦକ୍ଷେପ ଗ୍ରହଣ କରିଛନ୍ତି।

Advertisment

ପଶୁଙ୍କ ପାଇଁ ପ୍ରଥମ କରୋନା ଟିକା
ନୂଆଦିଲ୍ଲୀ, ୧୦/୬ : ପଶୁଙ୍କ ପାଇଁ ଦେଶରେ ପ୍ରଥମ କରୋନା ଟିକା ଆରମ୍ଭ ହୋଇଛି। କୃଷି ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମର ଦେଶରେ ପ୍ରଥମ କରି ସ୍ବଦେଶୀ ଭାବେ ପ୍ରସ୍ତୁତ କରୋନା ଟିକା ଆନୋକୋଭାକ୍ସ ଆରମ୍ଭ କରିଛନ୍ତି। ହରିୟାଣାର ଆଇସିଏଆର- ନ୍ୟାସନାଲ ରିସର୍ଚ୍ଚ ସେଣ୍ଟର ଅନ୍‌ ଇକ୍ବିନ୍ସ (ଏନ୍‌ଆରସି) ଦ୍ବାରା ଏହି ଟିକାର ବିକାଶ କରାଯାଇଛି। ବିଭିନ୍ନ ଅଧ୍ୟୟନରୁ ଜଣାପଡ଼ିଛି ଯେ ମଣିଷଙ୍କଠାରୁ ପଶୁଙ୍କୁ ସଂକ୍ରମଣ ବ୍ୟାପି ପାରିବ। ବିଶ୍ବବ୍ୟାପୀ ପୋଷା କୁକୁର ଏବଂ ବିରାଡ଼ି କରୋନା ସଂକ୍ରମିତ ହୋଇଛନ୍ତି। ତେବେ ପୋଷାମାନେ କରୋନା ସଂକ୍ରମିତ ହୋଇଥିଲେ ସୁଦ୍ଧା ସେମାନେ ବେଶୀ ଅସୁସ୍ଥ ହୋଇନାହାନ୍ତି। ଆଇସିଏଆର ଅନୁଯାୟୀ ଆନୋକୋଭାକ୍ସ ଉଭୟ‌ ଡେଲ୍‌ଟା ଏବଂ ଓମିକ୍ରନ୍‌ ପ୍ରଜାତିକୁ ନି‌ଷ୍କ୍ରିୟ କରିପାରିବ।