ନୂଆଦିଲ୍ଲୀ : ଦେଶରେ ଆଜି ଅନଲକ୍‌-୨ର ପ୍ରଥମ ଦିନ। ଦେଶବ୍ୟାପୀ କୋଭିଡ ମୁକାବିଲା ରଣନୀତିର ନୂଆ ପର୍ଯ୍ୟାୟ ଆଜିଠାରୁ ଆରମ୍ଭ ହୋଇଛି। ବିଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ସର୍ବାଧିକ କରୋନା ମୃତ୍ୟୁ ରେକର୍ଡ କରାଯାଇଛି। ଗତକାଲି ଗୋଟିଏ ଦିନରେ ଦେଶରେ ୫୦୭ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି ଏବଂ ୧୮ ହଜାର ୬୫୩ ନୂଆ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି। ଏଥିସହ ଦେଶରେ ମୋଟ୍‌ ସଂକ୍ରମିତଙ୍କ ସଂଖ୍ୟା ୫ ଲକ୍ଷ ୮୫ ହଜାର ୪୯୩ରେ ପହଞ୍ଚିଛି। ଅନ୍ୟପକ୍ଷେ ଦେଶରେ ସଂକ୍ରମଣ ବଢ଼ିଥିଲେ ମଧ୍ୟ ଆରୋଗ୍ୟ ହାର ୬୦ ପ୍ରତିଶତରେ ପହଞ୍ଚିବାକୁ ଯାଉଛି। ଆଜି ଦେଶରେ ଆରୋଗ୍ୟ ହାର ୫୯.୪୯ ପ୍ରତିଶତକୁ ବୃଦ୍ଧି ପାଇଛି। ମୋଟ୍‌ ୩ ଲକ୍ଷ ୪୭ ହଜାର ୯୭୮ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି। ଅନ୍ୟପକ୍ଷେ ଦେଶରେ ୨ ଲକ୍ଷ ୨୦ ହଜାର ୧୧୪ ସକ୍ରିୟ ମାମଲା ରହିଛି। ଜୁନ୍‌ ୧ ତାରିଖରେ ଅନ୍‌ଲକ୍‌ -୧ ଆରମ୍ଭ ହେବା ପରଠାରୁ ଦେଶ‌ରେ ୩.୯୪ ଲକ୍ଷ ମାମଲା ଚିହ୍ନଟ ହୋଇଛି। ତେବେ ତାମିଲନାଡ଼ୁ, ଦିଲ୍ଲୀ ଏବଂ ଗୁଜରାଟରୁ ମୋଟ୍‌ ମାମଲାର ୨ ତୃତୀୟାଂଶ ଚିହ୍ନଟ କରାଯାଇଛି। ମହାରାଷ୍ଟ୍ର, ଦିଲ୍ଲୀ ପରେ ଏବେ ଦକ୍ଷିଣ ରାଜ୍ୟ ତାମିଲନାଡ଼ୁରେ ହଠାତ୍‌ ସଂକ୍ରମଣ ବଢ଼ିଯାଇଛି। ତାମିଲନାଡ଼ୁରେ ଲଗାତାର କିଛି ଦିନ ଧରି ମାମଲା ୩ ହଜାରରୁ ଅଧିକ ରହୁଛି। ଗତ ୨୪ ଘଣ୍ଟା ମଧ୍ୟରେ ତାମିଲନାଡ଼ୁରେ ସଂକ୍ରମଣ ମାମଲା ୩,୯୪୩ ରହିଥିବାବେଳେ ମୋଟ୍‌ ମାମଲା ୯୦ ହଜାର ଟପିଯାଇଛି। ତେବେ ସଂକ୍ରମଣ ମାମଲାରେ ତାମିଲନାଡ଼ୁ ପୁଣି ଦିଲ୍ଲୀକୁ ଟପି ଦ୍ବିତୀୟ ସ୍ଥାନକୁ ଚାଲି ଆସିଛି। ସଂକ୍ରମଣ ବଢ଼ୁଥିଲେ ମଧ୍ୟ ରାଜ୍ୟରେ ଆରୋଗ୍ୟ ହାର ଭଲ ରହିଛି। ରାଜ୍ୟରେ ୫୦ ହଜାରରୁ ଅଧିକ ଲୋକ କରୋନାରୁ ସୁସ୍ଥ ହୋଇଛନ୍ତି।

Advertisment

ଦିଲ୍ଲୀରେ କରୋନା ଭାଇରସ୍‌ ନିୟନ୍ତ୍ରଣାଧୀନ ରହିଛି ବୋଲି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍‌ ଆଜି କହିଛନ୍ତି। ଦିଲ୍ଳୀରେ ସଂକ୍ରମଣ ମାମଲା ୮୭ ହଜାରରୁ ଅଧିକ ରହିଛି। କିନ୍ତୁ ପୂର୍ବ ସପ୍ତାହ ତୁଳନାରେ ଚଳିତ ସପ୍ତାହରେ ଦିଲ୍ଲୀରେ ସଂକ୍ରମଣ କମ୍‌ ରହିଛି। ଦିଲ୍ଲୀରେ ଆରୋଗ୍ୟ ହାର ମଧ୍ୟ ୬୦ ପ୍ରତିଶତରୁ ୬୬ ପ୍ରତିଶତକୁ ବୃଦ୍ଧି ପାଇଛି।