ନୂଆଦିଲ୍ଲୀ : ଦେଶରେ ମହାମାରୀ କୋଭିଡ୍-୧୯ ଦ୍ବିତୀୟ ଲହରର ଦୈନିକ ସଂକ୍ରମଣ ଲଗାତାର ଅଷ୍ଟମ ଦିନ ପାଇଁ ହ୍ରାସ ପାଇଛି। ଶନିବାର ଦେଶର ଦୈନିକ କରୋନା ସଂକ୍ରମଣ ଅଢ଼େଇ ଲକ୍ଷ ତଳକୁ ଏପରିକି ୨.୪ ଲକ୍ଷକୁ ଖସି ଆସିଥିଲା। ଏଥି ସହିତ ଶନିବାର ତୁଳନାରେ ଅଧିକ ନମୁନା ପରୀକ୍ଷଣ ସତ୍ତ୍ବେ ରବିବାର ସାରା ଦେଶରେ କମ୍ ସଂକ୍ରମିତ ଚିହ୍ନଟ ହେବା ସଂକ୍ରମଣ କମି ଆସୁଥିବା ସଂକେତ କରିଛି। ସେହିପରି ନୂତନ ସଂକ୍ରମିତଙ୍କ ଅପେକ୍ଷା ଯଥେଷ୍ଟ ଅଧିକ ସଂଖ୍ୟାରେ ଆରୋଗ୍ୟଲାଭ କରିବା ସହ ସକ୍ରିୟ ମାମଲା ମଧ୍ୟ ଦିନକୁ ଦିନ ଯଥେଷ୍ଟ କମି ଆସିବା ଦେଶବାସୀଙ୍କୁ ଆଶ୍ବସ୍ତ କରିଛି। ତେବେ ଦୈନିକ ମୃତକଙ୍କ ସଂଖ୍ୟା ପୂର୍ବଦିନ ୪ ହଜାରର ଯଥେଷ୍ଟ ତଳେ ଥିଲା ବେଳେ ରବିବାର ତାହା ସାଢ଼େ ୪ ହଜାର ପାଖାପାଖି ରହିବା ଦ୍ବାରା ସଂକ୍ରମଣର ଭୟାବହତା ତଥାପି ଜାରି ରହିଛି ବୋଲି ସ୍ପଷ୍ଟ ହୋଇଛି।
କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ସୂଚନାନୁଯାୟୀ, ସୋମବାର ସକାଳ ୮ଟା ସୁଦ୍ଧା ଦେଶରେ ବିଗତ ୨୪ ଘଣ୍ଟା ଭିତରେ ୨,୨୨,୩୧୫ ନୂତନ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଅଦ୍ୟାବଧି ମୋଟ ୨,୬୭,୫୨,୪୪୭ ଜଣ ଏହି ମହାମାରୀରେ ଆକ୍ରାନ୍ତ ହୋଇଥିବା ଜଣାଯାଇଛି। ଗତ ଏପ୍ରିଲ ୧୫ ତାରିଖ ପରଠାରୁ ଏହା ସର୍ବନିମ୍ନ ଦୈନିକ ସଂକ୍ରମଣ ହୋଇଥିବା ବେଳେ ସେଥିରୁ ତାମିଲନାଡୁରେ ସର୍ବାଧିକ ୩୫,୪୮୩ ଜଣ ଆକ୍ରାନ୍ତ ଠାବ ହୋଇଛନ୍ତି। ସେହିପରି ମହାରାଷ୍ଟ୍ରରେ ୨୬,୬୭୨ ଜଣ, କର୍ଣ୍ଣାଟକରେ ୨୫,୯୭୯ ଜଣ, କେରଳରେ ୨୫,୮୨୦ ଜଣ ଓ ଆନ୍ଧ୍ରପ୍ରଦେଶରେ ୧୮,୭୬୭ ଜଣ ନୂତନ ସଂକ୍ରମିତ ବାହାରିଛନ୍ତି।
ଅପରପକ୍ଷେ, ଏହି ଦିନକ ଭିତରେ ଦେଶରେ ୪,୪୫୪ ଜଣ କୋଭିଡ୍ ପୀଡ଼ିତଙ୍କର ମୃତ୍ୟୁ ହେବା ସହ ଦେଶରେ ମୋଟ କୋଭିଡ୍ ମୃତକଙ୍କ ସଂଖ୍ୟା ୩ ଲକ୍ଷ ପାର୍ କରିଯାଇଛି। ୱାର୍ଲଡୋମିଟର ତଥ୍ୟ ଅନୁଯାୟୀ ଗତକାଲି ଦେଶର କରୋନା ମୃତ୍ୟୁସଂଖ୍ୟା ୩ ଲକ୍ଷ ଟପିଥିବାବେଳେ ଆଜି ସରକାରୀ ଭାବେ ଏହି ସଂଖ୍ୟା ଅତିକ୍ରମ କରିଛି। ପୂର୍ବରୁ କେବଳ ଆମେରିକା ଓ ବ୍ରାଜିଲ ଏହି ବିରଳ ସୀମା ଡେଇଁବାର ଅପଯଶ ମୁଣ୍ଡାଇଛନ୍ତି। ଯଦିଓ ବର୍ତ୍ତମାନ ସୁଦ୍ଧା ଭାରତରେ ମୋଟ ୩,୦୩,୭୨୦ ଜଣ ଏହି ମହାମାରୀରେ ଆଖି ବୁଜିଛନ୍ତି, ତେବେ ମୋଟ ସଂକ୍ରମିତଙ୍କ ତୁଳନାରେ ମୃତ୍ୟୁହାର ୧.୧୪ ପ୍ରତିଶତ ପରି ନିମ୍ନ ସ୍ତରରେ ରହିଛି। ଏହି ସଦ୍ୟ ମୃତକଙ୍କ ଭିତରେ ମହାରାଷ୍ଟ୍ରରେ ସର୍ବାଧିକ ୧୩୨୦ ଜଣ, କର୍ଣ୍ଣାଟକର ୬୨୪ ଜଣ, ତାମିଲନାଡୁର ୪୨୨ ଜଣ, ଉତ୍ତରପ୍ରଦେଶର ୨୩୧ ଜଣ ଓ ଦିଲ୍ଲୀର ୧୮୯ ଜଣ ରହିଛନ୍ତି। ଅପରପକ୍ଷେ, ଏହି ୨୪ ଘଣ୍ଟା ଭିତରେ ଦେଶରେ ୩,୦୨,୫୪୪ ଜଣ ଆରୋଗ୍ୟଲାଭ କରିଥିବା ବେଳେ ଅଦ୍ୟାବଧି ମୋଟ ୨,୩୭,୨୮,୦୧୧ ଜଣ ସୁସ୍ଥ ହୋଇଛନ୍ତି। ତଥାପି ଦେଶରେ ୨୭,୨୦,୭୧୬ଟି ସକ୍ରିୟ ମାମଲା ରହିଥିଲେ ହେଁ ତାହା ମୋଟ ସଂକ୍ରମିତଙ୍କର ୧୦.୧୭ ପ୍ରତିଶତକୁ ମଧ୍ୟ ଖସି ଆସିଛି। ସେହିପରି ଦେଶରେ ଅଦ୍ୟାବଧି ୧୯,୬୦,୫୧,୯୬୨ ଜଣଙ୍କର ଟିକାକରଣ କରାଯାଇଥିବା ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ସୂତ୍ରରୁ ଜଣାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/05/corona-bbb.jpg)