ଦେଶର ଏହି ଗ୍ରାମରେ ପ୍ରତି ୪ ଜଣରେ ଜଣେ ସଂକ୍ରମିତ !

ନୂଆଦିଲ୍ଲୀ : ଅଗଷ୍ଟ ମାସରେ ଭାରତର ସଂକ୍ରମଣ ବିଶ୍ବରେ ସର୍ବାଧିକ ଥିଲା। ଅଗଷ୍ଟ ମାସର ଶେଷ ୨ ସପ୍ତାହ ଏବଂ ସେପ୍ଟେମ୍ବରରେ ବି ଭାରତର ଦୈନିକ ସଂକ୍ରମଣ ମାମଲା ଦ୍ରୁତ ଗତିରେ ବଢ଼ି ଚାଲିଛି। ତେବେ ଭାରତରେ ସଂକ୍ରମଣ ବଢ଼ିବାର କାରଣ ଏବେ କୌଣସି ବଡ଼ ସହର ନୁହେଁ ବରଂ କ୍ଷୁଦ୍ର ଗ୍ରାମ ଏବଂ ସହର ଏବେ ଦେଶ ପାଇଁ ଏକ ବିପଦ ଭାବେ ଉଭା ହୋଇଛି। ଏହାର ଏକ ଉଦାହରଣ ହେଉଛି ମହାରାଷ୍ଟ୍ରର ରାଜେୱାଡ଼ି। ଅଗଷ୍ଟ ମଧ୍ୟଭାଗ ସୁଦ୍ଧା ଏଠାରେ ଗୋଟିଏ ବି ସଂକ୍ରମଣ ମାମଲା ନଥିଲା। କିନ୍ତୁ ଏବେ ଏହି ଗ୍ରାମରେ ଏବେ ପ୍ରତି ୪ ଜଣରେ ଜଣେ କରୋନା ସଂକ୍ରମିତ। ଏକ ସ୍ଥାନୀୟ ଧାର୍ମିକ କାର୍ଯ୍ୟକ୍ରମରୁ ହିଁ ସଂକ୍ରମଣ ବ୍ୟାପିଛି। କ୍ଷୁଦ୍ର ଗ୍ରାମ ଏବଂ ସହର ଗୁଡ଼ିକରେ ମାସ୍କ ପିନ୍ଧିବା ଏବଂ ସାମାଜିକ ଦୂରତା ବଜାୟ ରଖିବାକୁ ସେତେ ଗୁରୁତ୍ବ ପ୍ରଦାନ କରାଯାଉନି। ପୂର୍ବପରି ଗାଁ ଗୁଡ଼ିକରେ ବିଭିନ୍ନ ସମାବେଶ ଓ କାର୍ଯ୍ୟକ୍ରମ ଜାରି ରହୁଛି। ଏହି କାରଣରୁ ଭାରତରେ ହଠାତ୍‌ ସଂକ୍ରମଣ ବଢ଼ିଗଲା ବୋଲି କୁହାଯାଉଛି। ଭାରତର ସଂକ୍ରମଣ ମାମଲା ଆଉ କିଛିଦିନ ମଧ୍ୟରେ ବ୍ରାଜିଲ୍‌କୁ ଟପିଯିବ। ବାସ୍ତବରେ ଗାଁ ଏବଂ କ୍ଷୁଦ୍ର ସହର ଗୁଡ଼ିକରେ ସଂକ୍ରମଣ ହଠାତ୍‌ ବଢ଼ିଛି। ଅନ୍ୟପକ୍ଷେ ନୂଆଦିଲ୍ଲୀ ଏବଂ ମୁମ୍ବାଇ ପରି ବଡ଼ ସହରରେ ସଂକ୍ରମଣ ନିୟନ୍ତ୍ରଣାଧୀନ ରହିଛି। ଭାରତରେ ସଂକ୍ରମଣ ବଢ଼ିଲେ ମଧ୍ୟ ମୃତ୍ୟୁହାର କମ୍ ରହିଛି। କିନ୍ତୁ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍ଓ) କହିଛି ଯେ, ଭାରତରେ ମୃତ୍ୟୁହାର ଆଗକୁ ବୃଦ୍ଧି ପାଇବ।

ମହାରାଷ୍ଟ୍ରର ଏକ କ୍ଷୁଦ୍ର ଗ୍ରାମ ରାଜେୱାଡ଼ିରେ ପ୍ରାୟ ୩୬୦ ଜଣ ଲୋକ ରହନ୍ତି। ଅଗଷ୍ଟ ୧୭ ତାରିଖରେ ଏହି ଗ୍ରାମରେ ଜଣେ ବୟସ୍କ ଲୋକଙ୍କର କୋଭିଡ୍‌ରେ ମୃତ୍ୟୁ ହେବାପରେ କର୍ତ୍ତୃପକ୍ଷ ସେଠାରେ ଟେଷ୍ଟିଂ ବଢ଼ାଇଥିଲେ। ଗ୍ରାମରୁ ମୋଟ୍‌ ୯୧ ଜଣ ସଂକ୍ରମିତ ହୋଇଛନ୍ତି। ସମଗ୍ର ଗ୍ରାମକୁ ଏବେ ପୁଲିସ ସିଲ୍‌ କରିଛି। ସରକାରୀ ଅଧିକାରୀମାନେ କହିଛନ୍ତି ଯେ, ବୟସ୍କ ବ୍ୟକ୍ତିଙ୍କ ମୃତ୍ୟୁ ପୂର୍ବଦିନ ସେ ଏବଂ ଗ୍ରାମର ପ୍ରାୟ ୩୦ ଜଣ ବ୍ୟକ୍ତି ଏକ ଧାର୍ମିକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର