ନୂଆଦିଲ୍ଲୀ : ଦେଶରେ କରୋନା ସଂକ୍ରମଣ ମାମଲା ଆଜି ୨୦ ଲକ୍ଷ ଟପିଯାଇଛି। ଦୈନିକ ସଂକ୍ରମଣରେ ଆଜି ଭାରତ ବିଶ୍ବରେ ପ୍ରଥମ ସ୍ଥାନରେ ରହିଛି। ଆଜି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ରିପୋର୍ଟ ମୁତାବକ ବିଗତ ୨୪ ଘଣ୍ଟାରେ ସର୍ବାଧିକ ୬୨ ହଜାର ୫୩୮ ନୂଆ ମାମଲା ଚିହ୍ନଟ ହୋଇଛି। ଦୈନିକ ସଂକ୍ରମଣରେ ଏଭଳି ରେକର୍ଡ ଲୋକଙ୍କ ମଧ୍ୟରେ ଭୟ ସୃଷ୍ଟି କରୁଛି। ପ୍ରଥମ ଥର ପାଇଁ ଦେଶରେ ସଂକ୍ରମଣ ମାମଲା ୬୦ ହଜାର ଟପିଯାଇଛି। ଏହା ପୂର୍ବରୁ ଜୁଲାଇ ୩୧ରେ ୫୭ ହଜାର ୧୫୧ ମାମଲା ଥିଲା।
ସେହିପରି ଗୁରୁବାର ଦେଶରେ ସର୍ବାଧିକ ୬ ଲକ୍ଷ ୬୦ ହଜାର କରୋନା ଟେଷ୍ଟ୍ କରାଯାଇଛି। ଦେଶରେ ମୋଟ୍ ସଂକ୍ରମଣ ମାମଲା ୨୦ ଲକ୍ଷ ୨୭ ହଜାର ୭୫ରେ ପହଞ୍ଚିଛି ଏବଂ ମୃତ୍ୟୁସଂଖ୍ୟା ୪୧ ହଜାର ୫୮୫କୁ ବୃଦ୍ଧି ପାଇଛି। ଦେଶରେ ମୋଟ୍ ସକ୍ରିୟ ମାମଲା ୬ ଲକ୍ଷ ୭ ହଜାର ୩୮୪ ରହିଛି ଏବଂ ୧୩ ଲକ୍ଷ ୭୮ ହଜାର ୧୦୬ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି। ମହାରାଷ୍ଟ୍ରରେ ସକ୍ରିୟ ମାମଲା ରହିଛି ୧ ଲକ୍ଷ ୩୬ ହଜାର ୨୬୮ ଏବଂ ୩ ଲକ୍ଷ ୫ ହଜାର ୫୨୧ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି। ମହାରାଷ୍ଟ୍ରରେ ମୋଟ୍ ୧୬ ହଜାର ୪୭୬ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି। ସେହିପରି ତାମିଲନାଡ଼ୁରେ ମୋଟ୍ ୫୪ ହଜାର ୧୮୪ ସକ୍ରିୟ ମାମଲା ଥିବାବେଳେ ୨ ଲକ୍ଷ ୧୪ ହଜାର ୮୧୫ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି। ମାତ୍ର ୨୧ ଦିନ ମଧ୍ୟରେ ଦେଶରେ ୧୦ ଲକ୍ଷ ମାମଲା ରିପୋର୍ଟ କରାଯାଇଛି। ଗୁରୁବାର ପୁଣି ୯୧୨ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି। ତେବେ ଆମେରିକା, ବ୍ରାଜିଲ୍ ପରେ ଦ୍ବିତୀୟ ରାଷ୍ଟ୍ର ଭାବେ ଭାରତରେ ସଂକ୍ରମଣ ମାମଲା ୨୦ ଲକ୍ଷ ଟପିଯାଇଛି। ଭାାରତରେ ସଂକ୍ରମଣ ବୃଦ୍ଧିହାର ୩.୧ ପ୍ରତିଶତ ଥିବାବେଳେ ଆମେରିକାରେ ୧.୧ ପ୍ରତିଶତ ଏବଂ ବ୍ରାଜିଲ୍ରେ ୨ ପ୍ରତିଶତ ରହିଛି। ମାତ୍ର ୯ ଦିନ ମଧ୍ୟରେ ଭାରତରେ ସଂକ୍ରମଣ ମାମଲା ୫ ଲକ୍ଷ ଟପିଯାଇଛି। ଗୁରୁବାର ଦିନ ଦେଶରେ ମୋଟ୍ ୬୨ ହଜାର ୪୮୨ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି।
ଉତ୍ତରପ୍ରଦେଶ, ବିହାର, ଓଡ଼ିଶା ଏବଂ ଆନ୍ଧ୍ରପ୍ରଦେଶର ବଡ ସହର ଗୁଡ଼ିକରୁ ମାତ୍ର ୧୬-୨୮ ପ୍ରତିଶତ ସକ୍ରିୟ ମାମଲା ଥିବା ବେଳେ ଗ୍ରାମାଂଚଳରେ ସଂକ୍ରମଣ ବଢ଼ୁଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/08/covid-screening.jpg)