ଦେଶରେ କରୋନା ସଂକ୍ରମଣ ଏବେ ଭୟାନକ ରୂପ ନେଲାଣି : ୭ ଦିନରେ ୧ ଲକ୍ଷରୁ ଅଧିକ ମାମଲା

ଦିନକ‌ରେ ପ୍ରାୟ ୧୬ ହଜାର ସଂକ୍ରମିତ ଚିହ୍ନଟ, ୪୬୫ ମୃତ୍ୟୁ, ଭାରତରେ ପ୍ରତି ଲକ୍ଷେରେ ଜଣଙ୍କର ମୃତ୍ୟୁ

ନୂଆଦିଲ୍ଲୀ : ଦେଶରେ କରୋନା ସଂକ୍ରମଣ ଏବେ ଭୟାନକ ରୂପ ନେଲାଣି। ଗତ ୭ ଦିନ ମଧ୍ୟରେ ଦେଶରେ ୧ ଲକ୍ଷରୁ ଅଧିକ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି । ମୃତ୍ୟୁସଂଖ୍ୟା ମଧ୍ୟ ଗତ ୭ ଦିନ ମଧ୍ୟ‌ରେ ୨,୫୪୧କୁ ବୃଦ୍ଧି ପାଇଛି। କେବଳ ଜାତୀୟ ରାଜଧାନୀ ଦିଲ୍ଲୀରେ ଗତକାଲି ୩ ହଜାର ୯୪୭ ନୂଆ ମାମଲା ଚିହ୍ନଟ ‌ହୋଇଥିଲା। ଅନ୍ୟପକ୍ଷେ ମହାରାଷ୍ଟ୍ରରେ ଦିଲ୍ଲୀଠାରୁ କମ୍‌ ତଥା ୩,୨୧୪ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି। ଦିଲ୍ଲୀ ସ୍ବାସ୍ଥ୍ୟ ବିଭାଗ ଦ୍ବାରା ଦିଆଯାଇଥିବା‌ ତଥ୍ୟ ଅନୁଯାୟୀ ଗତ ୨୩ ଦିନ ମଧ୍ୟ‌ରେ ଦିଲ୍ଲୀରେ ୬୯ ପ୍ରତିଶତ ମାମଲା ରେକର୍ଡ କରାଯାଇଛି।

ଦେଶରେ ଦିନକରେ ପ୍ରାୟ ୧୬ ହଜାର ନୂଆ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି ଏବଂ ୪୬୫ ଜଣଙ୍କ ମୃତ୍ୟୁ ହୋଇଛି। ଦେଶରେ ମୋଟ୍‌ ସଂକ୍ରମଣ ମାମଲା ୪ ଲକ୍ଷ ୫୬ ହଜାର ୧୮୩ରେ ପହଞ୍ଚିଛି ଏବଂ ୧୪ ହଜାର ୪୭୬ ଜଣଙ୍କ ମୃତ୍ୟୁ ହୋଇଛି। ଲଗାତାର ୫ ଦିନ ଧରି ଦେଶରେ ୧୪ ହଜାରରୁ ଅଧିକ ମାମଲା ରହିଛି। ତେବେ ଦେଶରେ ସକ୍ରିୟ ମାମଲା ୧ ଲକ୍ଷ ୮୩ ହଜାର ୨୨ ଥିବା ବେଳେ ୨ ଲକ୍ଷ ୫୮ ହଜାର ୬୮୪ ଜଣ ସୁସ୍ଥ ହୋଇଛନ୍ତି। ପ୍ରାୟ ୫୬.୭୧ ପ୍ରତିଶତ ରୋଗୀ କରୋନାରୁ ସୁସ୍ଥ ହୋ‌ଇଛନ୍ତି। ବୁଧବାର ସକାଳ ସୁଦ୍ଧା ରିପୋର୍ଟ କରାଯାଇଥିବା ୪୬୫ ନୂଆ ମୃତ୍ୟୁରୁ କେବଳ ମହାରାଷ୍ଟ୍ରରେ ୨୪୮, ଦିଲ୍ଲୀରେ ୬୮, ତାମିଲନାଡ଼ୁରେ ୩୯ , ଗୁଜରାଟରେ ୨୬ ଏବଂ ଉତ୍ତରପ୍ରଦେଶରେ ୧୯ ଜଣଙ୍କ ମୃତ୍ୟୁ ହୋଇଛି। ସେହିପରି ମହାରାଷ୍ଟ୍ରରେ ସଂକ୍ରମଣ ମାମଲା ୧ ଲକ୍ଷ ୩୯ ହଜାର ପହଞ୍ଚିଥିବା ବେଳେ ଦିଲ୍ଲୀରେ ୬୬ ହଜାର ୬୦୨ ମାମଲା ରହିଛି।

ଭାରତରେ ପ୍ରତି ଲକ୍ଷେରେ ଜଣଙ୍କର ମୃତ୍ୟୁ
ନୂଆଦିଲ୍ଲୀ : ଭାରତରେ ପ୍ରତି ୧ ଲକ୍ଷ ଜନସଂଖ୍ୟାରେ ଜଣଙ୍କର କରୋନା ମହାମାରୀ ଯୋଗୁଁ ମୃତ୍ୟୁ ହେଉଛି। ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ପ୍ରଦତ୍ତ ତଥ୍ୟରେ ଏହା କୁହାଯାଇଛି ଯେ, ସମଗ୍ର ବିଶ୍ବରେ ସର୍ବାଧିକ ପ୍ରଭାବିତ ରାଷ୍ଟ୍ର ତୁଳନାରେ ଭାରତରେ ପ୍ରତି ୧ ଲକ୍ଷ ଜନସଂଖ୍ୟାରେ ସବୁଠୁ କମ୍‌ ମୃତ୍ୟୁ ହୋଇଛି। ଭାରତରେ ପ୍ରତି ୧ ଲକ୍ଷରେ ଜଣଙ୍କର ମୃତ୍ୟୁ ହେଉଥିବାବେଳେ ବିଶ୍ବରେ ଏହା ୬.୦୪ ରହିଛି। ସଠିକ୍‌ ସମୟରେ ରୋଗ ଚିହ୍ନଟ ହୋଇଥିବାରୁ ଏବଂ ସଠିକ୍‌ ସ୍ବାସ୍ଥ୍ୟସେବା ଦ୍ବାରା ଭାରତ ସଠିକ୍‌ ଭାବେ କରୋନାକୁ ନିୟନ୍ତ୍ରଣ କରିପାରିଛି। ଜୁନ୍‌ ୨ରେ ଭାରତର କୋଭିଡ୍ ମୃତ୍ୟୁ ପ୍ରତି ୧ ଲକ୍ଷରେ ୦.୪୧ ଥିଲା ଅନ୍ୟପକ୍ଷେ ବୈଶ୍ବିକ ସ୍ତରରେ ଏହା ୪.୯ ଥିଲା। ଇତି ମଧ୍ୟ‌ରେ ଆଇସିଏମ୍‌ଆର ମଧ୍ୟ ଦେଶରେ ଟେଷ୍ଟିଂ ବଢ଼ାଇ ଦେଇଛି। ଦେଶରେ ଏବେ ୧ ହଜାର ଲ୍ୟାବ୍‌ରେ କରୋନା ଟେଷ୍ଟ୍‌ କରାଯାଉଛି। ଆରମ୍ଭରୁ ଭାରତ କରୋନା ସହ ଭଲଭାବେ ମୁକାବିଲା କରିପାରିଛି। ଭାରତ ୩-ଟି ତଥା ଟେଷ୍ଟିଂ, ଟ୍ରାକିଙ୍ଗ ଏବଂ ଟ୍ରିଟିଂ ଉପରେ ଗୁରୁତ୍ବ ଦେଇଛି। ଟେ‌ଷ୍ଟିଂ ବଢ଼ାଇବା ଦ୍ବାରା ଭାରତ ଆଗୁଆ ରୋଗ ଚିହ୍ନଟ କରିବାରେ ସଫଳ ହୋଇଛି। ଅନ୍ୟପକ୍ଷେ ଦେଶରେ ପ୍ରତି ଜିଲ୍ଲାରେ କରୋନା ଟେଷ୍ଟିଂ ବଢ଼ାଇବାପାଇଁ ଏକ ଲ୍ୟାବ୍‌ ପ୍ରତିଷ୍ଠା କରିବା ଆମର ଲକ୍ଷ୍ୟ ବୋଲି ଆଇସିଏମ୍‌ଆର ମହା ନିର୍ଦ୍ଦେଶକ ଡ. ବଳରାମ ଭାର୍ଗବ କହିଛନ୍ତି।

ଡବ୍ଲ୍ୟୁଏଚ୍ଓ ରିପୋର୍ଟକୁ ଆଧାର କରି ମନ୍ତ୍ରାଳୟ ପକ୍ଷରୁ ଏହା କୁହାଯାଇଛି ଯେ, ବ୍ରିଟେନ୍‌ରେ ପ୍ରତି ୧ ଲକ୍ଷରେ ୬୩.୧୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ସ୍ପେନ୍‌ରେ ୬୦.୬୦, ଇଟାଲିରେ ୫୭.୧୯. ଆମେରିକାରେ ୩୬.୩୦. ଜର୍ମାନୀରେ ୨୭.୩୨, ବ୍ରାଜିଲ୍‌ରେ ୨୩.୬୮ ଏବଂ ରୁଷ୍‌‌ରେ ୫.୬୨ ମୃତ୍ୟୁ ହୋଇଛି।

ସମ୍ବନ୍ଧିତ ଖବର