ନୂଆଦିଲ୍ଲୀ : ଭାରତରେ କରୋନା ସଂକ୍ରମଣ ପୁଣି ଉପରମୁହାଁ ହେବାରେ ଲାଗିଛି। ଗତ ୩ ସପ୍ତାହ ମଧ୍ୟରେ ଶୁକ୍ରବାରର ଦୈନିକ ସଂକ୍ରମଣ ସର୍ବାଧିକ ରହିଛି। ଶୁକ୍ରବାର ୪୪,୨୩୦ ଜଣ କରୋନାରେ ସଂକ୍ରମିତ ହୋଇଛନ୍ତି। ଏହାଦ୍ବାରା ଦେଶରେ କରୋନାର ତୃତୀୟ ଲହର ଆସିବା ଭୟ ଘାରିଛି। ଦେଶରେ କୋଭିଡ-୧୯ର ଆର୍‌ ଭାଲ୍ୟୁ ବା ସଂକ୍ରମଣ ବେଗ ବଢ଼ିବାରେ ଲାଗିଛି। ବିଶେଷକରି ଦକ୍ଷିଣ ଭାରତୀୟ ରାଜ୍ୟ କେରଳ ଏବଂ କେତେକ ଉତ୍ତର ପୂର୍ବାଞ୍ଚଳ ରାଜ୍ୟରେ ସଂକ୍ରମଣ ଅଧିକ ରହୁଛି। କେରଳରେ ଗତ ଦିନିଦିନ ହେଲା ସଂକ୍ରମଣ ୨୨ ହଜାରରୁ ଅଧିକ ରହୁଛି।

Advertisment

ଦେଶର ମୋଟ ସକ୍ରିୟ ମାମଲାର ୩୭ ପ୍ରତିଶତ କେରଳରେ ବୋଲି ସରକାରୀ ସୂତ୍ରରୁ ଜଣାଯାଇଛି। ଏହି ରାଜ୍ୟର ଆର୍‌ ଭାଲ୍ୟୁ ପ୍ରାୟ ୧.୧୧ ପ୍ରତିଶତ ଅଛି। ଅର୍ଥାତ୍ ଏଠାରେ ୧୦୦ ଜଣ କରୋନା ରୋଗୀ ୧୧୧ ଜଣ ସୁସ୍ଥ ବ୍ୟକ୍ତିଙ୍କୁ କରୋନାରେ ସଂକ୍ରମିତ କରିବାର କ୍ଷମତା ରଖିଛନ୍ତି। ଆର୍‌ ଭାଲ୍ୟୁ ୧ରୁ କମ୍ ରହିଲେ ସେମାନେ ଅନ୍ୟକୁ ସଂକ୍ରମିତ କରିବାର କ୍ଷମତା କମ୍‌ ରହିଥାଏ। ଏହାଦ୍ବାରା ରୋଗର ପ୍ରକୋପ ହ୍ରାସ ପାଉଛି ବୋଲି ଧରାଯାଇଥାଏ। ଆସନ୍ତା କିଛି ସପ୍ତାହ ପାଇଁ ଆର୍‌ ଭାଲ୍ୟୁ ଅଧିକ ରହିବ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି। ଉତ୍ତର ପୂର୍ବାଞ୍ଚଳ‌ ରାଜ୍ୟଗୁଡ଼ିକରେ ସ୍ଥିତି ଖରାପ ରହିଛି। ସେଠାରେ ଆର୍‌ ଭାଲ୍ୟୁ ୧ରୁ ଅଧିକ ରହିଛି ବୋଲି ଇନଷ୍ଟିଚ୍ୟୁଟ୍ ଅଫ୍ ମ୍ୟାଥେମେଟିକାଲ ସାଇନସେସ୍‌ର ଶୀତଭ୍ର ସିହ୍ନା କହିଛନ୍ତି। କେରଳରେ ସଂକ୍ରମଣ ବୃଦ୍ଧି ଫଳରେ ସେଠାକୁ କେନ୍ଦ୍ରୀୟ ଟିମ ପଠାଯାଇଛି। କେବଳ କେରଳ ନୁହେଁ ପଡ଼ୋଶୀ କର୍ଣ୍ଣାଟକରେ ମଧ୍ୟ ଗୁରୁବାର କରୋନା ସଂକ୍ରମଣ ବଢ଼ିଛି। ଏଠାରେ ଗୁରୁବାର ୨୦୫୨ ନୂଆ ମାମଲା ଚିହ୍ନଟ ହୋଇଛି, ଯାହାକି ପୂର୍ବଦିନ ତୁଳନାରେ ୩୪ ପ୍ରତିଶତ ଅଧିକ।

ସରକାରଙ୍କ ଆକଳନ ଅନୁଯାୟୀ ଦେଶର ୧୩୫ କୋଟି ଲୋକଙ୍କ ମଧ୍ୟରୁ ପାଖାପାଖି ୬୭ କୋଟି ୬୦ ଲକ୍ଷ ଲୋକଙ୍କ ଠାରେ କରୋନା ବିରୋଧରେ ଆଣ୍ଟିବଡି ବିକଶିତ ହୋଇଛି। ଦେଶରେ ଆଜିସୁଦ୍ଧା ମୋଟ ୪୫.୫୫ କୋଟି କରୋନା ଟିକା ଦିଆଯାଇଛି ବୋଲି ସ୍ବାସ୍ଥ୍ୟ ମନ୍ତ୍ରାଳୟ ସୂତ୍ରରୁ ଜଣାଯାଇଛି। କରୋନାର ଦ୍ବିତୀୟ ଲହର ଶୀର୍ଷରେ ଥିବାବେଳେ ଦେଶରେ ଆର୍‌ ଭାଲ୍ୟୁ ଅଧିକ ଥିଲା। ମାର୍ଚ୍ଚ ୯ରୁ ଏପ୍ରିଲ ୨୧ ମଧ୍ୟରେ ଏହା ୧.୩୭ ଥିବାବେଳେ ଏପ୍ରିଲ ୨୪ରୁ ମେ ୧ ମଧ୍ୟରେ ଏହା ୧.୧୮କୁ, ଏପ୍ରିଲ ୨୯ରୁ ମେ ୭ ମଧ୍ୟରେ ୧.୧କୁ, ମେ ୯ରୁ ୧୧ ମଧ୍ୟରେ ୦.୯୮କୁ, ମେ ୧୪ରେ ୩୦ ମଧ୍ୟରେ ୦.୮୨କୁ, ମେ ୧୫ରୁ ଜୁନ ୨୬ ମଧ୍ୟରେ ୦.୭୮କୁ କମିଥିଲା। କିନ୍ତୁ ପରେ ଏହା ଜୁନ ୨୦ରୁ ଜୁଲାଇ ୭ ମଧ୍ୟରେ ୦.୮୮କୁ, ଜୁଲାଇ ୩ରୁ ୨୨ ମଧ୍ୟରେ ୦.୯୫କୁ ବଢ଼ିଛି। ବିଶ୍ବରେ ଗତ ସପ୍ତାହରେ କରୋନା ସଂକ୍ରମଣ ମଧ୍ୟ ୮ ପ୍ରତିଶତ ବଢ଼ିଛି।