ନୂଆଦିଲ୍ଲୀ : ଦେଶରେ କରୋନା ସଂକ୍ରମଣ ଅତି ଦ୍ରୁତ ଗତିରେ ମାଡ଼ି ଚାଲିଛି। ବୁଧବାର ପାଖାପାଖି ୨ ଲକ୍ଷ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି। ସକ୍ରିୟ ମାମଲା ୧୦ ଲକ୍ଷ ମୁହାଁ ହୋଇଛି। ଦେଶର ୩୦୦ ଜିଲ୍ଲା ଏବଂ ୮ଟି ରାଜ୍ୟର ସଂକ୍ରମଣ ଚିନ୍ତା ବଢ଼ାଇଛି। ମହାରାଷ୍ଟ୍ର, ପଶ୍ଚିମବଙ୍ଗ, ତାମିଲନାଡ଼ୁ, କର୍ଣ୍ଣାଟକ, ଉତ୍ତରପ୍ରଦେଶ, କେରଳ, ଗୁଜରାଟ ଏବଂ ଦିଲ୍ଲୀରେ ଲଗାତାର ସଂକ୍ରମଣ ବୃଦ୍ଧି ପାଉଥିବାରୁ ଉଦବେଗଜନକ ପରିସ୍ଥିତି ସୃଷ୍ଟି ହୋଇଛି। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟର ଯୁଗ୍ମ ସଚିବ ଲବ ଅଗ୍ରୱାଲ କହିଛନ୍ତି ଯେ ଡିସେମ୍ବର ୩୦ରେ ଦେଶରେ ପଜିଟିଭ୍ ହାର ୧.୧ ପ୍ରତିଶତ ଥିବା ବେଳେ ଜାନୁଆରି ୧୨ରେ ଏହା ୧୧ ପ୍ରତିଶତ ଟପିଯାଇଛି। ସଂକ୍ରମଣ କେତେ କ୍ଷୀପ୍ର ଗତିରେ ବ୍ୟାପୁଛି ତାହା ଏଥିରୁ ଜଣାପଡ଼ୁଛି। ଦେଶରେ ୩୦୦ ଜିଲ୍ଲାରେ ସାପ୍ତାହିକ ପଜିଟିଭ୍ ହାର ୫ ପ୍ରତିଶତ ଉପରେ ରହିଛି। ୧୯ ରାଜ୍ୟରେ ସକ୍ରିୟ ମାମଲା ୧୦ ହଜାର ଉପରେ।
ନୀତି ଆୟୋଗ ସଦସ୍ୟ ଡାକ୍ତର ଭିକେ ପଲ୍ କହିଛନ୍ତି, ଓମିକ୍ରନ୍ ସାଧାରଣ ଥଣ୍ଡା ନୁହେଁ। ଏହାକୁ ଅତି ସାଧାରଣ ଭାବେ ଗ୍ରହଣ କରନ୍ତୁନି। ଆମକୁ ସତର୍କ ହେବାକୁ ପଡ଼ିବ ବୋଲି ସେ କହିଛନ୍ତି। ଗତବର୍ଷ କରୋନା ପଶ୍ଚିମରୁ ପୂର୍ବ ପଟକୁ ବ୍ୟାପିଥିଲା।
କିନ୍ତୁ ଏଥର ଚାରିଆଡ଼େ ବ୍ୟାପୁଛି। ଓମିକ୍ରନ ଯୋଗୁଁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି। ବ୍ୟାପକ ଟିକାକରଣ ଯୋଗୁଁ ଏହା ଘାତକ ହେଉନାହିଁ। ତଥାପି ଆମକୁ ସତର୍କ ରହିବାକୁ ପଡ଼ିବ। କାରଣ ଯେଉଁ ଦେଶରେ ଟିକାକାରଣ ପର୍ଯ୍ୟାନ୍ତ ହୋଇନାହିଁ, ସେଠାରେ ଓମିକ୍ରନ ଭୟଙ୍କର ରୂପ ଧାରଣ କରିଥିଲା। ଟିକା ନେବା ସହ କରୋନା ନିୟମାବଳି ପାଳନ କରିବା ପାଇଁ ଡାକ୍ତର ଭିକେ ପଲ୍ ପରାମର୍ଶ ଦେଇଛନ୍ତି।
ଗତ ୨୪ ଘଣ୍ଟା ମଧ୍ୟରେ ୧ ଲକ୍ଷ ୯୪ ହଜାର ୭୨୦ ଜଣ କରୋନା ସଂକ୍ରମିତ ହୋଇଛନ୍ତି। ପଜିଟିଭିଟି ହାର ୧୧ ଭାଗ ଉପରେ ରହିଥିବା ବେଳେ ସକ୍ରିୟ ମାମଲା ୯.୫%କୁ ବୃଦ୍ଧି ପାଇଛି। ସାରା ଦେଶରେ ଏବେ ୯ ଲକ୍ଷ ୫୫ ହଜାର ୩୧୯ ଜଣ ରୋଗୀ ଚିକିତ୍ସାଧୀନ ଅଛନ୍ତି। ମହାରାଷ୍ଟ୍ରରେ ସର୍ବାଧିକ ସକ୍ରିୟ ମାମଲା ରହିଛି। ମହାରାଷ୍ଟ୍ର ପରେ ପଶ୍ଚିମବଙ୍ଗ, ତାମିଲନାଡ଼ୁ ଏବଂ କର୍ଣ୍ଣାଟକରେ ସର୍ବାଧିକ ସକ୍ରିୟ ମାମଲା ରହିଛି। ଉଲ୍ଳେଖଯୋଗ୍ୟ ଯେ ଦେଶରେ ଗତ ୨୪ ଘଣ୍ଟାରେ ୧,୯୪,୭୨୦ ନୂଆ ସଂକ୍ରମଣ ମାମଲା ଚିହ୍ନଟ ହେବା ସହ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୩,୬୦,୭୦,୫୧୦ରେ ପହଞ୍ଚିଛି। ଦେଶରେ ମୋଟ୍ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୪,୮୬୮। ସକ୍ରିୟ ମାମଲା ୯,୫୫,୩୧୯। ଏହା ୨୧୧ ଦିନରେ ସବୁଠାରୁ ଅଧିକ। ଗତ ୨୪ ଘଣ୍ଟାରେ ୪୪୨ ଜଣ ପ୍ରାଣ ହରାଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/01/covid-test.jpg)