ସୁପ୍ରିମ୍‌ କୋର୍ଟରେ କୋଭିଡ୍‌ କ୍ଷତିପୂରଣ ତଥ୍ୟ: ତେଲେଙ୍ଗାନା ଓ ଗୁଜରାଟରେ ମୃତ୍ୟୁ ସଂଖ୍ୟାଠାରୁ ୯ ଗୁଣା ଅଧିକ ଦାବିଦାର

ନୂଆଦିଲ୍ଲୀ: କୋଭିଡ୍‌ରେ ପ୍ରାଣ ହରାଉଥିବା ଲୋକଙ୍କ ପରିବାରକୁ କ୍ଷତପୂରଣ ପ୍ରଦାନ ବାବଦ ତଥ୍ୟ ଏବେ ରାଜ୍ୟମାନେ ସୁପ୍ରିମ୍‌ କୋର୍ଟରେ ଦାଖଲ କରିଛନ୍ତି। ଏଥିରୁ ଜଣାପଡ଼ିଛି ଯେ କେତେକ ରାଜ୍ୟରେ କୋଭିଡ୍‌ ମୃତ୍ୟୁ ସଂଖ୍ୟାଠାରୁ କ୍ଷତିପୂରଣ ପାଇବାକୁ ଆବେଦନକାରୀଙ୍କ ସଂଖ୍ୟା ପ୍ରାୟ ୭ରୁ ୯ ଗୁଣା ଅଧିକ ରହିଛି। ତେଲେଙ୍ଗାନାରେ ‌ସରକାରୀ ରିପୋର୍ଟ ମୁତାବକ ଯେତିକି କୋଭିଡ୍‌ ମୃତ୍ୟୁ ହୋଇଛି ତାହାଠାରୁ ୯ ଗୁଣା ଅଧିକ ଆବେଦନ ଆସିଥିବା ବେଳେ ଗୁଜରାଟରେ ୭ ଗୁଣା ଅଧିକ ଆବେଦନ ଆସିଛି। ବିଭିନ୍ନ ରାଜ୍ୟରେ ଏଭଳି ସ୍ଥିତି ଯୋଗୁଁ ସମସ୍ୟା ଉପୁଜିଛି। ଗୁଜରାଟ ଓ ତେଲେଙ୍ଗାନା ଭଳି ମହାରାଷ୍ଟ୍ରରେ ମଧ୍ୟ ମୃତ୍ୟୁ ସଂଖ୍ୟାଠାରୁ ପ୍ରାୟ ୨ ଗୁଣା ଅଧିକ ଆବେଦନ ଆସିଛି। ସୂଚନାଯୋଗ୍ୟ, ପୂର୍ବରୁ ସୁପ୍ରିମ୍‌ କୋର୍ଟ ସ୍ପଷ୍ଟ କରିଦେଇଥିଲେ ଯେ ବିଭିନ୍ନ ରାଜ୍ୟ କୋଭିଡ୍‌ ମୃତ୍ୟୁ ସଂଖ୍ୟା ଯାହା ଦର୍ଶାଇଛନ୍ତି ତାହା ଠିକ୍‌ ନୁହେଁ ବୋଲି ହୃଦ୍‌ବୋଧ ହେଉଛି । ଲୋକଙ୍କୁ କ୍ଷତିପୂରଣ ପାଇବାରୁ ବଞ୍ଚିତ ନକରି ଏ କ୍ଷେତ୍ରରେ ତଥ୍ୟରେ ସୁଧାର ପାଇଁ କୋର୍ଟ କହିଥିଲେ।

ସମ୍ବନ୍ଧିତ ଖବର