କୋଭିଡ୍‌ ମୁକାବିଲା: ୬ ଲକ୍ଷ କୋଟିର ପ୍ୟାକେଜ୍

ସ୍ବାସ୍ଥ୍ୟ, ପର୍ଯ୍ୟଟନକୁ ଅଗ୍ରାଧିକାର, ୫ ଲକ୍ଷ ପର୍ଯ୍ୟଟକଙ୍କୁ ମାଗଣା ଭିସା

ନୂଆଦିଲ୍ଲୀ : କରୋନା ମହାମାରୀର ଦ୍ବିତୀୟ ଲହରରେ କ୍ଷତିଗ୍ରସ୍ତ ହୋଇଥିବା ଅର୍ଥନୀତିରେ ସୁଧାର ଆଣିବା ଲାଗି କେନ୍ଦ୍ର ସରକାର ସୋମବାର ୬ ଲକ୍ଷ ୨୮ ହଜାର ୯୯୩ କୋଟି ଟଙ୍କାର ପ୍ୟାକେଜ୍ ଘୋଷଣା କରିଛନ୍ତି। ସ୍ବାସ୍ଥ୍ୟ ଓ ପର୍ଯ୍ୟଟନ କ୍ଷେତ୍ରକୁ ଏଥିରେ ଅଗ୍ରାଧିକାର ଦିଆଯାଇଥିବା ବେଳେ ୮ଟି ନୂଆ ସ୍କିମ୍ ଘୋଷଣା କରାଯାଇଛି। କୋଭିଡ୍ ପ୍ରଭାବିତ କ୍ଷେତ୍ରଗୁଡ଼ିକ ଲାଗି ୧.୧୫ ଲକ୍ଷ‌ କୋଟି ଟଙ୍କାର ଋଣ ଗ୍ୟାରେଣ୍ଟି ସ୍କିମ୍‌ ବ୍ୟବସ୍ଥା କରାଯାଇଛି। ଜରୁରୀକାଳୀନ ଋଣ ଗ୍ୟାରେଣ୍ଟି ସ୍କିମ୍ ପାଇଁ ଅତିରିକ୍ତ ୧.୫ ଲକ୍ଷ କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି।

କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସୋମବାର ଏହି ପ୍ୟାକେଜ୍ ଘୋଷଣା କରିଛନ୍ତି। ସ୍ବାସ୍ଥ୍ୟ କ୍ଷେତ୍ର ଲାଗି ୫୦ ହଜାର କୋଟି ଟଙ୍କାର ବ୍ୟବସ୍ଥା କରିଛନ୍ତି। ‌ସେଥିରୁ ଜନ ସ୍ବାସ୍ଥ୍ୟ ଲାଗି ୨୩,୨୨୦ କୋଟି ଟଙ୍କା ଦିଆଯାଇଛି। ଜରୁରୀକାଳୀନ ସେବା ଓ ଶିଶୁମାନଙ୍କ ଯତ୍ନ ବାବଦରେ ଏହି ଟଙ୍କା ବିନିଯୋଗ ହେବ। ମହାମାରୀ ଯୋଗୁଁ ଗୁରୁତର ଭାବେ କ୍ଷତିଗ୍ରସ୍ତ ପର୍ଯ୍ୟଟନ କ୍ଷେତ୍ର ଲାଗି ମଧ୍ୟ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ଟ୍ରାଭେଲ୍‌ ଏଜେନ୍ସିଗୁଡ଼ିକୁ ୧୦ ଲକ୍ଷ ଟଙ୍କା ଓ ଟୁରିଷ୍ଟ୍ ଗାଇଡ୍‌ମାନଙ୍କୁ ୧ ଲକ୍ଷ ଟଙ୍କାର ଋଣ ଦିଆଯିବ। ଗମନାଗମନ କଟକଣା ହଟିବା ପରେ ଭାରତକୁ ଆସିବାକୁ ଥିବା ପ୍ରଥମ ୫ଲକ୍ଷ ପର୍ଯ୍ୟଟକଙ୍କୁ ମାଗଣାରେ ଏକ ମାସର ଭିସା ପ୍ରଦାନ କରାଯିବ।

ଜରୁରୀକାଳୀନ ଋଣ ଗ୍ୟାରେଣ୍ଟି ସ୍କିମ୍‌କୁ ବ୍ୟାପକ କରାଯାଇଛି। କମ୍ ସୁଧରେ ସ୍ବଳ୍ପ ପରିମାଣର ଋଣ ନେଉଥିବା ଗ୍ରାହକମାନଙ୍କୁ ୧.୨୫ ଲକ୍ଷ ଟଙ୍କାରୁ ଆରମ୍ଭ କରି ୨୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଦେବା ପାଇଁ ଏକ ନୂଆ ସ୍କିମ୍ ଘୋଷଣା କରାଯାଇଛି।

ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ଲାଗି ଆତ୍ମନିର୍ଭର ଭାରତ ରୋଜଗାର ଯୋଜନାର ସମୟ ସୀମାକୁ ୨୦୨୨ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଏହି ସ୍କିମ୍‌ରେ କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ (ଇପିଏଫ୍‌ଓ) ଜରିଆରେ ନୂଆ ନିଯୁକ୍ତି ସୃଷ୍ଟି କରିବା ଲାଗି ନିଯୁକ୍ତିଦାତାମାନଙ୍କୁ ପ୍ରୋତ୍ସାହନ ପ୍ରଦାନ କରାଯିବ।‌ ଦେଶର ବିଭିନ୍ନ ସାମଗ୍ରୀର ଉତ୍ପାଦନ ବଢ଼ାଇବା ଲାଗି ଉତ୍ପାଦନ ଭିତ୍ତିକ ପ୍ରୋତ୍ସାହନ (ପିଏଲ୍ଆଇ) ସ୍କିମ୍ ଅବଧିକୁ ଆଉ ଏକ ବର୍ଷ ବୃଦ୍ଧି କରାଯାଇଛି। ଏହି ସ୍କିମ୍ ୨୦୨୫-୨୬ ପର୍ଯ୍ୟନ୍ତ ଜାରି ରହିବ। ଦେଶରେ ମୌସୁମୀ ଆମଗନ ସହ ବର୍ଷା ଆରମ୍ଭ ହୋଇଯାଇଥିବାରୁ କୃଷକମାନଙ୍କୁ ସାହାଯ୍ୟ କରିବା ଲାଗି ଡିଏପି ଓ ଏନ୍‌ପିକେ ଭିତ୍ତିକ ସାର ସବ୍‌ସିଡି ପାଇଁ ଅତିରିକ୍ତ ୧୪,୭୭୫ କୋଟି ଟଙ୍କା ଦିଆଯିବ। ଉତ୍ତର ପୂର୍ବାଞ୍ଚଳ ଆଞ୍ଚଳିକ କୃଷି ମାର୍କେଟିଂ ନିଗମ (ଏନ୍‌ଇଆର୍‌ଏଏମ୍ଏସି)ର ପୁନରୁଦ୍ଧାର କରାଯିବ। ଏଥିପାଇଁ ୭୭.୪୫ କୋଟି ଟଙ୍କାର ପ୍ୟାକେଜ୍ ଘୋଷଣା କରାଯାଇଛି।

ପ୍ରତି ଗାଁରେ ବ୍ରଡ୍‌ବ୍ୟାଣ୍ଡ୍‌ ସେବା ପହଞ୍ଚାଇବା ଲାଗି ଡିଜିଟାଲ୍ ଇଣ୍ଡିଆ ଅଧୀନରେ ୧୯,୦୪୧ କୋଟି ଟଙ୍କା ଦିଆଯାଇଛି। ବିଦ୍ୟୁତ ବିତରଣ ସ୍କିମ୍ ପାଇଁ ସଂସ୍କାର ଭିତ୍ତିକ ଫଳାଫଳ ନିମନ୍ତେ ୩.୦୩ ଲକ୍ଷ କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି।

ସମ୍ବନ୍ଧିତ ଖବର