ଆମେରିକାରେ କୋଭିଡ୍‌ ମୃତ୍ୟୁ ବଢ଼ିବା ଆଶଙ୍କା,୧୦ କୋଟି ଟିକା ପାଇଁ ଚୁକ୍ତି

ନୂଆଦିଲ୍ଲୀ,: ବର୍ତ୍ତମାନ ସୁଦ୍ଧା ମହାମାରୀ କୋଭିଡ୍‌ରେ ଆମେରିକାର ୪୭ ଲକ୍ଷରୁ ଅଧିକ ନାଗରିକ ଆକ୍ରାନ୍ତ ହେବା ସହ ଲକ୍ଷେ ୫୭ ହଜାର ମୃତ୍ୟୁମୁଖରେ ପଡ଼ିସାରିଛନ୍ତି। ଦିନକୁ ଦିନ ମୃତାକ୍ରାନ୍ତଙ୍କ ସଂଖ୍ୟା ବଢ଼ିଚାଲିଛି। ତେବେ ଆଗାମୀ ସପ୍ତାହମାନଙ୍କରେ ମୃତ୍ୟୁହାର ଅଧିକ ହେବ ବୋଲି ଟ୍ରମ୍ପ୍‌ ପ୍ରଶାସନ ଆଶଙ୍କା ବ୍ୟକ୍ତ କରିବା ସହ କୌଣସି ମତେ ଦେଶବାସୀଙ୍କର ଟିକାକରଣ ପାଇଁ ଏକ ପରୀକ୍ଷାମୂଳକ କୋଭିଡ୍‌ ଟିକାର ୧୦ କୋଟି ମାତ୍ରା ଖରିଦ ଲାଗି ଚୁକ୍ତି କରିଛି। ଚଳିତ ବର୍ଷ ଶେଷ ସୁଦ୍ଧା କୌଣସି ଏକ କୋଭିଡ୍‌ ଟିକାର ବଜାର ପ୍ରବେଶ ଲାଗି ଆମେରିକା ସରକାରଙ୍କ ଜାରି ରହିଥିବା ‘ଅପରେସନ୍‌ ଵାର୍ପ ସ୍ପିଡ୍‌’ର ଅଂଶବିଶେଷ ଏହି ଟିକାକ୍ରୟ ଯୋଜନା ଅନ୍ତର୍ଭୁକ୍ତ ବୋଲି ଜଣାଯାଇଛି।

ଅପରପକ୍ଷେ, ଦେଶର କୋଭିଡ୍‌ ମୃତ୍ୟୁହାର ଗତ ବୁଧବାର ସର୍ବାଧିକ ମିନିଟ୍‌କୁ ଜଣେ ସ୍ତର ଛୁଇଁଛି ଏବଂ ଅଗଷ୍ଟ ୨୨ ତାରିଖ ସୁଦ୍ଧା ମୋଟ ମୃତ୍ୟୁସଂଖ୍ୟା ଲକ୍ଷେ ୬୮ ହଜାରରୁ ଲକ୍ଷେ ୮୨ ହଜାର ଯାଏ ହୋଇଯିବ ବୋଲି ଆମେରିକାର ରୋଗନିୟନ୍ତ୍ରଣ କେନ୍ଦ୍ରଗୁଡ଼ିକ ଭବିଷ୍ୟବାଣୀ ଶୁଣାଇଛନ୍ତି। ତେଣୁ ଆମେରିକା ପ୍ରଥମେ ଏହାର ୫ କୋଟି ନାଗରିକଙ୍କ ପାଇଁ ବ୍ରିଟିଶ ଭେଷଜ କମ୍ପାନି ଗ୍ଲାକ୍ସୋ ସ୍ମିଥ୍‌କ୍ଲାଇନ୍‌ ଓ ଏହାର ଫରାସୀ ଭାଗୀଦାର ସାନୋଫି ପାଶ୍ଚର ଦ୍ବାରା ବିକଶିତ ଉକ୍ତ ଟିକା କିଣିବାକୁ ୨୧୦ କୋଟି ଡଲାରର କାରବାର କରିଛି। ଉକ୍ତ ଟିକାର ଆଉ ୫୦ କୋଟି ମାତ୍ରା ପାଇଁ ମଧ୍ୟ କମ୍ପାନି ଦ୍ବୟକୁ ପ୍ରସ୍ତୁତ ରହିବାକୁ କୁହାଯାଇଛି। ସୂଚନା ଥାଉ କି, ଟିକା ପାଇଁ ଟକ୍କର ଚାଲିଥିବା କ୍ରମରେ ୟୁନାଇଟେଡ୍‌ କିଙ୍ଗଡମ୍‌(ୟୁକେ) ଉପରୋକ୍ତ କମ୍ପାନିଠାରୁ ନିକଟରେ ଟିକାର ୬ କୋଟି ମାତ୍ରା ପାଇଁ ଚୁକ୍ତି ସ୍ବାକ୍ଷର କରିବା ସହ ଆମେରିକା ବିଭିନ୍ନ ପ୍ରକାର କୋଭିଡ୍‌ ଟିକାର ମୋଟ ୨୫ କୋଟି ମାତ୍ରା କିଣିବା ପାଇଁ ଅର୍ଥ ଖଟାଇ ସାରିଲାଣି।

ସମ୍ବନ୍ଧିତ ଖବର