ୱାସିଂଟନ୍ : ବାୟୁ ପ୍ରଦୂଷଣ କୋଭିଡ୍ ପାଇଁ ଅତ୍ୟନ୍ତ ବିପଜ୍ଜନକ। ଏଥି ଯୋଗୁଁ କୋଭିଡ୍କୁ ନେଇ ଅତି ଭୟଙ୍କର ସ୍ଥିତି ଉପୁଯିବ ବୋଲି ପୂର୍ବରୁ ଅନେକ ଅଧ୍ୟୟନରୁ ଜଣାପଡ଼ିଛି। କିନ୍ତୁ ଏବେ ଆମେରିକାର ଏକ ଗବେଷଣା ରିପୋର୍ଟରୁ ଜଣାପଡ଼ିଛି ଯେ, ବାୟୁ ପ୍ରଦୂଷଣ ଯୋଗୁଁ କୋଭିଡ୍ ମୃତ୍ୟୁ ବଢ଼ୁଛି। ଆମେରିକାରେ ପ୍ରାୟ ୩ ହଜାର ରିପୋର୍ଟ ଅନୁଶୀଳନରୁ ଜଣାପଡ଼ିଛି ଯେ, ଦୀର୍ଘ ଦିନ ଧରି ପିଏମ୍ ୨.୫ ସଂସ୍ପର୍ଶରେ ଆସୁଥିବା ବ୍ୟକ୍ତି କୋଭିଡ୍ ଯୋଗୁଁ ପ୍ରାଣ ହରାଇବା ଆଶଙ୍କା ଅଧିକ ରହିଛି। ଆମେରିକାରେ ହୋଇଥିବା ଏହି ଅଧ୍ୟୟନ ଚିନ୍ତା ବଢ଼ାଇଛି। ବିଶେଷ କରି ଉତ୍ତର ଭାରତରେ ପ୍ରଦୂଷଣ ସ୍ତର ଯେଭଳି ସାଂଘାତିକ ରହିଛି ତାହା ଅତି ବିପଦ ସୃଷ୍ଟି କରିବ।
ଜର୍ଣ୍ଣାଲ୍ ସାଇନ୍ସ ଆଡଭାନ୍ସେସ୍ରେ ପ୍ରକାଶ ପାଇଥିବା ଆମେରିକୀୟ ଅଧ୍ୟୟନରେ ଏହା କୁହାଯାଇଛି ଯେ, ବାୟୁ ପ୍ରଦୂଷଣ ସଂସ୍ପର୍ଶରେ ଅଧିକ ଦିନ ପର୍ଯ୍ୟନ୍ତ ଆସିବା ଯୋଗୁଁ ଆମେରିକାର ୩ ହଜାର ୮୯ କାଉଣ୍ଟିରେ କୋଭିଡ୍ ମୃତ୍ୟୁ ବଢ଼ିଛି। ତେବେ ପିଏମ୍ ୨.୫ ସ୍ତର ସିଧାସଳଖ ସଂକ୍ରମଣ ଏବଂ ମୃତ୍ୟୁ ଆଶଙ୍କା ବଢ଼ାଉଛି କି ନା’ ତାହା ସ୍ପଷ୍ଟ ହୋଇନାହିଁ। ହୃଦ୍ରୋଗ ବିଶେଷଜ୍ଞଙ୍କ କହିବା ଅନୁଯାୟୀ କରୋନା ସଂକ୍ରମିତ ହୋଇଥିବା ଜଣେ ରୋଗୀଙ୍କର ଯଦି କ୍ରୋନିକ୍ ଫୁସ୍ଫୁସ୍ ସମସ୍ୟା ଥାଏ ତେବେ ସାମାନ୍ୟ ପାଗ ପରିବର୍ତ୍ତନ କିମ୍ବା ପ୍ରଦୂଷଣ ସ୍ତର ବୃଦ୍ଧି ଯୋଗୁଁ ତାଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ି ଯାଇପାରେ । ତେବେ ଏହି ରୋଗୀଙ୍କର ଯଦି ଫୁସ୍ଫୁସ୍ ସଂକ୍ରମଣ ହୁଏ ତେବେ ପରିସ୍ଥିତି ଆହୁରି ଅଧିକ ବିଗିଡ଼ି ଯିବ ବୋଲି କୁହାଯାଉଛି।