କୋଭିଡ୍‌ ମୃତ୍ୟୁକୁ ନେଇ ବିବାଦ

‘ଭାରତରେ ବାସ୍ତବ ମୃତ୍ୟୁ ୧୦ ଗୁଣା’, ପ୍ରତିବାଦ ଜଣାଇଲା ଭାରତ

ୱାସିଂଟନ : ବିଭିନ୍ନ ଦେଶରେ କୋଭିଡ୍‌ ମୃତ୍ୟୁ ସଂପର୍କରେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (ହୁ) ଆଜି ଯେଉଁ ରିପୋର୍ଟ ପ୍ରକାଶ କରିଛି, ତାହାକୁ ନେଇ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଛି। ସଂଗଠନ ପକ୍ଷରୁ କୁହାଯାଇଛି ଯେ କୋଭିଡ୍ ମୃତ୍ୟୁକୁ ନେଇ ସରକାରୀ ଭାବେ ଯେଉଁ ସଂଖ୍ୟା ଦର୍ଶାଯାଇଛି ପ୍ରକୃତ ସଂଖ୍ୟା ତାଠାରୁ ଅଧିକ। ସାରା ବିଶ୍ବରେ ଯେତେ ଲୋକ ମରିଛନ୍ତି ବୋଲି ସରକାରୀ ରିପୋର୍ଟ ମିଳିଛି, ବାସ୍ତବ ସଂଖ୍ୟା ଏହାର ପ୍ରାୟ ତିନିଗୁଣ ଅଧିକ। ଜାତିସଂଘର ଏହି ସଂସ୍ଥା କହିଛି ଯେ ୨୦୨୦ ଜାନୁଆରିରୁ ୨୦୨୧ ଡିସେମ୍ବର ଶେଷ ସୁଦ୍ଧା ୫୦ ଲକ୍ଷ ୪୦ ହଜାରରୁ ଅଧିକ ଲୋକ ପ୍ରାଣ ହରାଇଥିବା କୁହାଯାଉଛି। କିନ୍ତୁ ବାସ୍ତବ ସଂଖ୍ୟା ହେଉଛି ତା’ଠାରୁ ପ୍ରାୟ ତିନି ଗୁଣା ଅଧିକ ଅର୍ଥାତ୍ ୧୪.୯ ନିୟୁତ (ପ୍ରାୟ ଦେଢ଼ କୋଟି)।

ଭାରତ ସଂପର୍କରେ ‘ହୁ’ ପକ୍ଷରୁ କୁହାଯାଇଛି ଯେ ବିଶ୍ବରେ ଯେତିକି କୋଭିଡ୍ ମୃତ୍ୟୁ ହୋଇଛି ତାହାର ଏକ ତୃତୀୟାଂଶ ମୃତ୍ୟୁ ଭାରତରେ ହୋଇଛି। ଅର୍ଥାତ ସରକାରୀ ଭାବେ ମୃତ୍ୟୁସଂଖ୍ୟା ୪ ଲକ୍ଷ ୭୦ ହଜାର ଥିବା ବେଳେ ଭାରତରେ ପ୍ରକୃତ ମୃତ୍ୟୁସଂଖ୍ୟା ହେଉଛି ୪୦ ଲକ୍ଷରୁ ଅଧିକ। ‘ହୁ’ର ଏଭଳି ଆକଳନକୁ ନେଇ ତୀବ୍ର ପ୍ରତିବାଦ ଜଣାଇଛନ୍ତି ଭାରତ ସରକାର। ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି ଯେ ଯେଉଁ ମଡେଲ ଆଧାରରେ ‘ହୁ’ ଏଭଳି ଆକଳନ କରିଛି ସେହି ମଡେଲ ତ୍ରୁଟିପୂର୍ଣ୍ଣ। ଜନସଂଖ୍ୟା ଆଧାରରେ ବେପରୁଆ ଭାବେ ଆକଳନ କରାଯିବା ଦ୍ବାରା କୋଭିଡ୍‌ ମୃତ୍ୟୁକୁ ନେଇ ବିଭ୍ରାନ୍ତି ସୃଷ୍ଟି ହେଉଛି। ଏଭଳି ରିପୋର୍ଟକୁ ବିରୋଧ କରିବା ସହ ଏହା ବିରୋଧରେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ନୀତି ନିର୍ଦ୍ଧାରଣକାରୀ ସଂସ୍ଥା ‘ୱାର୍ଲ‌୍ଡ ହେଲ୍‌ଥ ଆସେମ୍ଲି’ରେ ଏହି ପ୍ରସଙ୍ଗ ଉତ୍‌ଥାପନ କରିବ ବୋଲି ଭାରତ ପକ୍ଷରୁ କୁହାଯାଇଛି।

ରିପୋର୍ଟ ଜାରି କଲା ବିଶ୍ବ ସ୍ବାସ୍ଥ୍ୟ ସଂଗଠନ
ବିଶ୍ବରେ ମୃତ୍ୟୁସଂଖ୍ୟା ଦେଢ଼ କୋଟି
ସରକାରୀ ଘୋଷଣାଠାରୁ ତିନିଗୁଣା ଅଧିକ

‘ହୁ’ ରିପୋର୍ଟ ଅନୁସାରେ କେତେକ ଦେଶ ମୃତ୍ୟୁର ସବିଶେଷ ରିପୋର୍ଟ ଦେଇନାହାନ୍ତି। ରିପୋର୍ଟ ଅନୁସାରେ ୨୦୨୧ ମେ ଓ ଜୁନ୍ ମାସରେ ମହାମାରୀର ପ୍ରବଳ ପ୍ରକୋପ ସମୟରେ ଭାରତରେ ୪.୭ ନିୟୁତ ଲୋକ ମରିଥିଲେ। କିନ୍ତୁ ଭାରତ ସରକାର ଜାନୁଆରି ୨୦୨୦ରୁ ଡିସେମ୍ବର ୨୦୨୧ ମଧ୍ୟରେ ୪,୮୦,୦୦୦ ଲୋକ ମରିଥିବା ରିପୋର୍ଟ ଦେଇଛନ୍ତି।

‘ହୁ’ ଆହୁରି କହିଛି ଯେ, କୋଭିଡ୍‌ରେ ଆକ୍ରାନ୍ତ ହୋଇ ଯେତିକି ଲୋକ ମରିଛନ୍ତି, ତା’ଠୁ ଅଧିକ ଲୋକ କୋଭିଡ୍‌ର ପରୋକ୍ଷ ପ୍ରଭାବ ଯୋଗୁ ମରିଛନ୍ତି। ଉଦାହରଣ ସ୍ବରୂପ କୋଭିଡ୍‌ ରୋଗୀରେ ଡାକ୍ତରଖାନାଗୁଡ଼ିକ ଭର୍ତ୍ତି ହୋଇଯିବା ପରେ ମଧୁମେହ, ରକ୍ତଚାପ, ଶ୍ବାସ ଆଦି ଅନ୍ୟ ରୋଗରେ ଆକ୍ରାନ୍ତ ବ୍ୟକ୍ତିମାନେ ହସ୍ପିଟାଲରେ ଚିକିତ୍ସାର ସୁଯୋଗ ପାଇଲେ ନାହିଁ। କିଏ ବେଡ୍ ପାଇଲା ନାହିଁ ତ କିଏ ଆଇସିୟୁ ପାଇଲା ନାହିଁ। ପୁଣି କିଏ ଔଷଧ ବା ଡାକ୍ତରଙ୍କଠାରୁ ଚିକିତ୍ସା ସେବା ପାଇପାରିଲା ନାହିଁ। ତେଣୁ ଏପରିଭାବେ ଚିକିତ୍ସା ସୁବିଧା ନ ପାଇ ମରିଥିବା ଅନ୍ୟ ରୋଗୀମାନଙ୍କ ମୃତ୍ୟୁ ପାଇଁ କୋଭିଡ୍‌ ହିଁ ପରୋକ୍ଷ ଭାବେ ଦାୟୀ। ମହାମାରୀ ସମୟରେ ଲକ୍‌ଡାଉନ୍ ହେବା ଯୋଗୁ ରାସ୍ତାଘାଟ ଦୁର୍ଘଟଣା ପ୍ରାୟ ନ ଥିଲା। ତେଣୁ ଅନ୍ୟ ବର୍ଷମାନଙ୍କର ହାରାହାରି ମୃତ୍ୟୁଠାରୁ ଯେତେ ଅଧିକ ଲୋକ ମରିଛନ୍ତି ତାହାକୁ କୋଭିଡ୍‌ର ପ୍ରତ୍ୟକ୍ଷ ବା ପରୋକ୍ଷ ପ୍ରଭାବ ବୋଲି କୁହାଯାଇପାରେ ବୋଲି ‘ହୁ’ ପ୍ରକାଶ କରିଛି।

ସମ୍ବନ୍ଧିତ ଖବର