କେନ୍ଦ୍ର ସ୍ବାସ୍ଥ୍ୟ ରାଷ୍ଟ୍ରମନ୍ତ୍ରୀଙ୍କ ସୂଚନା: କୋଭିଡରେ ୨୦୨୦ରେ ୧୮୭୧ ଓ ୨୦୨୧ରେ ୩,୭୬୩ ମୃତ୍ୟୁ

ନୂଆଦିଲ୍ଲୀ : ଓଡ଼ିଶାରେ ୨୦୨୦ରେ କୋଭିଡ ମୃତ୍ୟୁ ସଂଖ୍ୟା ୧୮୭୧ ଥିବ‌ାବେଳେ ୨୦୨୧ ଜୁଲାଇ ୨୮ ପର୍ଯ୍ୟନ୍ତ ମୃତ୍ୟୁ ସଂଖ୍ୟା ୩ ହଜାର ୭୬୩ରେ ପହଞ୍ଚିଛି । ଆଜି ଲୋକସଭାରେ ବିଜେପି ସାଂସଦ ନୀତୀଶ ଗଙ୍ଗଦେବଙ୍କ ଅଣତାରକା ପ୍ରଶ୍ନର ଲିଖିତ ଉତ୍ତରରେ ଏହି ସୂଚନା ଦେଇଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ ଭାରତୀ ପ୍ରଭିନ ପାୱାର।

ମନ୍ତ୍ରୀଙ୍କ ସୂଚନା ଅନୁସାରେ, ୨୦୨୦ରେ ଦେଶର ୩୬ ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳରେ କୋଭିଡରେ ଏକ ଲକ୍ଷ ୪୮ ହଜାର ୭୩୮ ଜଣ ପ୍ରାଣ ହରାଇଥିଲେ। ଅପରପକ୍ଷେ, ୨୦୨୧ ଜୁଲାଇ ୨୮ ପର୍ଯ୍ୟନ୍ତ ଦେଶରେ କୋଭିଡରେ ୨ ଲକ୍ଷ ୭୩ ହଜାର ୨୮୪ ଜଣ ଜୀବନ ହରାଇଛନ୍ତି। ଓଡ଼ିଶାରେ ୨୦୨୧ ଜୁଲାଇ ୨୮ ପର୍ଯ୍ୟନ୍ତ ୩ ହଜାର ୩୩ ଆଇସିୟୁ ଶଯ୍ୟା ଥିବାବେଳେ ଏକ ହଜାର ୫୩୬ ଭେଣ୍ଟିଲେଟର୍‌ ରହିଥିବା କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ଉତ୍ତରରେ ଉଲ୍ଲେଖ କରିଛନ୍ତି। ଅକ୍ସିଜେନ ଉତ୍ପାଦନ ପାଇଁ ଓଡ଼ିଶାକୁ ୩୯ଟି ପିଏସ୍‌ଏ ପ୍ଲାଣ୍ଟ୍‌ ଆବଣ୍ଟନ କରାଯାଇଥିବାବେଳେ ୨୦୨୧ ଜୁଲାଇ ୨୮ ତାରିଖ ସୁଦ୍ଧା ୮ ଟି ପିଏସ୍‌ଏ ପ୍ଲାଣ୍ଟ୍‌ କାର୍ଯ୍ୟକ୍ଷମ (କମିଶନ) ହୋଇଥିବା ମନ୍ତ୍ରୀ ଉତ୍ତରରେ ଅବଗତ କରାଇଛନ୍ତି।

ସମ୍ବନ୍ଧିତ ଖବର