ଦେଶରେ ପୁଣି ଦିନକରେ ୪ ହଜାରରୁ ଅଧିକ ମୃତ

୪ ଦିନ ହେଲା ଦୈନିକ ସଂକ୍ରମଣ ୪ ଲକ୍ଷ ଉପରେ

ନୂଆଦିଲ୍ଲୀ : ଦେଶରେ ମହାମାରୀ କୋଭିଡ୍‌-୧୯ ଦ୍ବିତୀୟ ଲହର ସଂକ୍ରମଣ ଦିନକୁ ଦିନ ଅନିୟନ୍ତ୍ରିତ ହୋଇ ଚାଲିଥିବାବେଳେ ରବିବାର ସକାଳ ୮ଟା ସୁଦ୍ଧା ଗତ ୨୪ ଘଣ୍ଟା ଭିତରେ ୪,୦୩,୭୩୮ ଜଣ ନୂତନ ସଂକ୍ରମିତ ଠାବ ହୋଇଛନ୍ତି। ଗତ ୪ ଦିନ ଧରି ଲଗାତାର ଦୈନିକ ନୂତନ ସଂକ୍ରମଣ ଏପରି ୪ ଲକ୍ଷ ଉପରେ ରହିବା ସରକାରଙ୍କ ଚିନ୍ତା ବଢ଼ାଇ ଦେଇଛି। ଏଥିସହିତ, ଦିନକରେ ମୃତ୍ୟୁସଂଖ୍ୟା ପୁଣିଥରେ ୪ ହଜାର ଟପିଛି।

ପୂର୍ବରୁ ଗୁରୁବାର ୪.୧୨ ଲକ୍ଷ ଓ ଶୁକ୍ରବାର ୪.୧୪ ଲକ୍ଷରୁ ଅଧିକ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ଗତକାଲି ସଂକ୍ରମିତଙ୍କ ସଂଖ୍ୟା ୪,୦୧,୦୭୮ ରହିଥିଲା। ସଂକ୍ରମଣ ତୁଳନାରେ ଶୀର୍ଷରେ ରହିଥିବା ୫ଟି ରାଜ୍ୟ ଭିତରୁ ମହାରାଷ୍ଟ୍ରରେ ସର୍ବାଧିକ ୫୬,୫୭୮ଜଣ, କର୍ଣ୍ଣାଟକରେ ୪୭,୫୬୩ ଜଣ, କେରଳରେ ୪୧,୯୭୧ ଜଣ, ତାମିଲନାଡୁରେ ୨୭,୩୯୭ ଜଣ ଓ ଉତ୍ତରପ୍ରଦେଶରେ ୨୬,୬୩୬ ଜଣ ରହିଥିବା ଜଣାଯାଇଛି। ଆଜିର ଏହି ସଂକ୍ରମିତ ସଂଖ୍ୟାକୁ ମିଶାଇ ବର୍ତ୍ତମାନ ସୁଦ୍ଧା ଦେଶରେ ମୋଟ ୨,୨୨,୯୬,୪୧୪ ଜଣ ଏହି ଘାତକ ରୋଗର ଶିକାର ହୋଇଥିବା ଜଣାଯାଇଛି। ସେହିପରି ଏହି ଚବିଶ ଘଣ୍ଟା ଭିତରେ ୪,୦୯୨ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ମୋଟ ମୃତକଙ୍କ ସଂଖ୍ୟା ୨,୪୨,୩୬୨ ହୋଇଥିବା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି।

ମୃତକଙ୍କ ଭିତରୁ ମହାରାଷ୍ଟ୍ରରେ ମଧ୍ୟ ସର୍ବାଧିକ ୮୬୪ ଜଣ ରହିଥିବା ବେଳେ ତାହା ପଛକୁ କର୍ଣ୍ଣାଟକରେ ୪୮୨ ଜଣ ରହିଛନ୍ତି। ଅପରପକ୍ଷେ, ଏହି ଦିନକ ଭିତରେ ୩,୮୬,୪୪୪ ଜଣ ଆରୋଗ୍ୟଲାଭ କରିଥିବା ବେଳେ ଏଯାଏ ମୋଟ ୧,୮୩,୧୭,୪୦୪ ଜଣ କୋଭିଡ୍‌ ପୀଡ଼ିତ ସୁସ୍ଥ ହୋଇଥିବା ଜଣାଯାଇଛି। ତଥାପି ଅଦ୍ୟାବଧି ଦେଶରେ ୩୭,୪୨,୬୪୭ଟି ସକ୍ରିୟ ସଂକ୍ରମଣ ମାମଲା ରହିଥିବା ମନ୍ତ୍ରଣାଲୟ ପକ୍ଷରୁ କୁହାଯାଇଛି। ସେହିପରି ରବିବାର ସକାଳ ସୁଦ୍ଧା ଦେଶରେ ମୋଟ ୧୬,୯୪,୩୯,୬୬୩ ଜଣଙ୍କର ଟିକାକରଣ ସରିଥିବା ସୂଚନା ମିଲିଛି। ପ୍ରାୟ ସବୁ ରାଜ୍ୟରେ ସଂକ୍ରମଣର ସାଂଘାତିକ ସ୍ଥିତି ଯୋଗୁଁ ହାହାର ସୃଷ୍ଟି ହୋଇଛି। ବିଭିନ୍ନ ସହରରେ ହସ୍ପିଟାଲଗୁଡ଼ିକରେ ଶଯ୍ୟା, ଭେଣ୍ଟିଲେଟର, ରେମ୍‌ଡେସ୍‌ଭିର ଏବଂ ଅକ୍ସିଜେନ ସଙ୍କଟ ଜାରି ରହିଛି।

ସମ୍ବନ୍ଧିତ ଖବର