ବଢ଼ିଲା ମୃତ୍ୟୁ: ଦିନକରେ ୩୫୪

ରାଜ୍ୟରେ ଦୈନିକ ସଂକ୍ରମଣ ୩ଶହ ମୁହାଁ, ଆଜିଠୁ ୪୫ବର୍ଷରୁ ଅଧିକ ବ୍ୟକ୍ତିଙ୍କୁ ଦିଆଯିବା ଟିକା

ନୂଆଦିଲ୍ଲୀ : ଦେଶରେ ସଂକ୍ରମଣ ବଢ଼ିବା ସହ କରୋନା ମୃତ୍ୟୁ ସଂଖ୍ୟା ମଧ୍ୟ ହଠାତ ବଢ଼ିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ୩୫୪ ଜଣଙ୍କ କରୋନାରେ ପ୍ରାଣ ହରାଇଛନ୍ତି। ଏହା ଚଳିତ ବର୍ଷର ସର୍ବାଧିକ କରୋନା ମୃତ୍ୟୁ। ଭାରତର କରୋନା ମୃତ୍ୟୁହାର ବିଶ୍ବରେ ସବୁଠୁ କମ୍‌ ରହିଥିଲେ ମଧ୍ୟ ଦ୍ବିତୀୟ ଲହରରେ କରୋନା ମୃତ୍ୟୁ ବଢ଼ୁଥିବାରୁ ଏହା ଉଦ୍‌ବେଗର କାରଣ ହେଲାଣି। ଦେଶରେ ମୋଟ୍ କରୋନା ମୃତ୍ୟୁସଂଖ୍ୟା ଆଜି ୧,୬୨,୪୬୮କୁ ବୃଦ୍ଧି ପାଇଛି। ଗତ ୨୪ ଘଣ୍ଟାରେ ୫୩,୪୮୦ ନୂଆ ମାମଲା ଚିହ୍ନଟ ହୋଇଛି। ୮ରାଜ୍ୟରୁ ମୋଟ୍‌ ୮୪.୭୩ ପ୍ରତିଶତ ନୂଆ ମାମଲା ଚିହ୍ନଟ ହୋଇଛି। ଏହି ରାଜ୍ୟଗୁଡ଼ିକ ହେଉଛି ମହାରାଷ୍ଟ୍ର, ଛତିଶଗଡ଼, କର୍ଣ୍ଣାଟକ, କେରଳ, ତାମିଲନାଡ଼ୁ, ଗୁଜରାଟ, ପଂଜାବ ଏବଂ ମଧ୍ୟପ୍ରଦେଶ।

Deccan Herald

ରାଜ୍ୟରେ ଦୈନିକ ସଂକ୍ରମଣ ୩ଶହ ମୁହାଁ, ଆଜିଠୁ ୪୫ବର୍ଷରୁ ଅଧିକ ବ୍ୟକ୍ତିଙ୍କୁ ଦିଆଯିବା ଟିକା
ଭୁବନେଶ୍ବର : ରାଜ୍ୟରେ କରୋନା ସଂକ୍ରମଣ ୩୦୦ ମୁହାଁ ହୋଇଛି। ୨୪ଘଣ୍ଟାରେ ୨୯୭ ନୂତନ ଆକ୍ରାନ୍ତ ଚିହ୍ନଟ ହେବା ସହ ଏହା ଚଳିତ ବର୍ଷର ଶୀର୍ଷ ସଂକ୍ରମଣ। ସଂକ୍ରମିତ ସଂଖ୍ୟାରେ ବୃଦ୍ଧି ସହିତ ରାଜ୍ୟର ଟେଷ୍ଟ ପଜିଟିଭ୍ ରେଟ୍ ବା ଟିପିଆର୍‌ ମଧ୍ୟ ବଢ଼ିବାରେ ଲାଗିଛି। ଗୋଟିଏ ଦିନରେ ୨୦,୮୭୪ କୋଭିଡ୍‌ ନମୁନା ପରୀକ୍ଷା ହୋଇଥିବା ବେଳେ ଟିପିଆର ୧.୪୨ ପ୍ରତିଶତ ରହିଛି। ସଂକ୍ରମଣ ବୃଦ୍ଧି ସତ୍ତ୍ବେ ଗତ ୨ଦିନ ହେବ କରୋନା ମୃତ୍ୟୁ ସ୍ଥିର ରହିଛି।

ଛତିଶଗଡ଼ ସୀମାକୁ ଲାଗିଥିବା ଜିଲ୍ଲା ଗୁଡ଼ିକରେ ସଂକ୍ରମଣ ବଢ଼ିବାରେ ଲାଗିଛି। ନୂଆପଡ଼ା, କଳାହାଣ୍ଡି, ବରଗଡ଼ ଭଳି ଜିଲ୍ଲାରେ ପ୍ରତ୍ୟେକ ଦିନ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି।

ରାଜ୍ୟରେ ଗୋଟିଏ ଦିନରେ ଚିହ୍ନଟ ୨୯୭ ଆକ୍ରାନ୍ତଙ୍କ ମଧ୍ୟରୁ କଳାହାଣ୍ଡିରେ ସର୍ବାଧିକ ୫୭ଜଣ ଚିହ୍ନଟ ହୋଇଛନ୍ତି। ଏହାବାଦ୍ ସୁନ୍ଦରଗଡ଼ରେ ୩୮, ଖୋର୍ଧା ୩୩, ନୂଆପଡ଼ା ୩୧, ବରଗଡ଼ ୧୮, କଟକ, ସମ୍ବଲପୁରରେ ୧୭ ଲେଖାଏଁ, କେନ୍ଦୁଝରରେ ୧୨ଜଣ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ଲକ୍ଷ ୪୦ହଜାର ୯୧୭କୁ ବୃଦ୍ଧି ପାଇଛି।

ଗୋଟିଏ ପଟେ ସଂକ୍ରମଣ ବଢ଼ି ଚାଲିଥିବା ବେଳେ ଏହାର ମୁକାବିଲା କରିବା ଲାଗି ରାଜ୍ୟ ସରକାର ଆସନ୍ତାକାଲିଠାରୁ ଦୈନିକ ୨ଲକ୍ଷ ଲୋକଙ୍କୁ ଟିକା ଦେବା ଲାଗି ଯୋଜନା କରିଛନ୍ତି। ୪୫ବର୍ଷରୁ ଅଧିକ ବୟସର ଲୋକମାନେ ବିନା କୌଣସି ଡାକ୍ତରୀ ପ୍ରମାଣପତ୍ର ବଳରେ ଟିକା ନେଇ ପାରିବେ। ଦୈନିକ ୨ଲକ୍ଷ ଲୋକଙ୍କୁ ଟିକା ଦେବା ଲାଗି ଟିକାକରଣ ଅଧିବେଶନକୁ ବଢ଼ାଇ ଦିଆଯାଇଛି। ଏଣିକି ଦୈନିକ ୧ହଜାରରୁ ୧୨ଶହ ଅଧିବେଶନ ଆୟୋଜିତ ହେବ। ଏବେ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ବା ପିଏଚ୍‌ସି ସ୍ତରରେ ଟିକା ଦିଆଯାଉଥିବା ବେଳେ ଆଗାମୀ ଦିନରେ ଉପଖଣ୍ଡସ୍ତରୀୟ ହସ୍ପିଟାଲରେ ମଧ୍ୟ ଟିକାକରଣ ଅଧିବେଶନ ଆୟୋଜନ କରିବା ଲାଗି ଯୋଜନା ହୋଇଥିବା କହିଛନ୍ତି ରାଜ୍ୟ ଟିକାକରଣ ନୋଡାଲ ଅଧିକାରୀ ଡା.ବିଜୟ ପାଣିଗ୍ରାହୀ।

ରାଜ୍ୟରେ ଆଜି ୮୪,୦୯୯ ଜଣ କରୋନା ଟିକା ନେଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ଏ ପର୍ଯ୍ୟନ୍ତ ୨୪ଲକ୍ଷ ୧୧ହଜାର ୧୩ଜଣ ଲୋକ ଟିକା ନେଇ ସାରିଲେଣି।

ସମ୍ବନ୍ଧିତ ଖବର