ଫିନ୍‌ଲାଣ୍ଡରେ କୋଭିଡ୍‌ର ପ୍ରଥମ ‘ମ୍ୟୁ’ ଭାରିଆଣ୍ଟ ଚିହ୍ନଟ: ୪୦ ଦେଶକୁ ବ୍ୟାପିଲାଣି

ୱାଶିଂଟନ: ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ ‘ଭାରିଆଣ୍ଟ ଅଫ୍ ଇଣ୍ଟରେଷ୍ଟ’ ବୋଲି କୁହାଯାଉଥିବା କୋଭିଡ୍‌-୧୯ର ‘ମ୍ୟୁ’’ ଭାରିଆଣ୍ଟ ଏବେ ଫିନ୍‌ଲାଣ୍ଡରେ ଚିହ୍ନଟ ହୋଇଛି। ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା ୪୦ଟି ଦେଶରେ ଏହା ଚିହ୍ନଟ ହୋଇଥିବା ବେଳେ ଫିନ୍‌ଲାଣ୍ଡର ଗବେଷକମାନଙ୍କ ମତରେ ଏହି କିସମର ଭୂତାଣୁ ଅନ୍ୟ କିସମଠାରୁ ଅଧିକ କିଛି ବିପଦ ସୃଷ୍ଟି କରନ୍ତି ନାହିଁ। ଯେଉଁ କିସମଗୁଡ଼ିକ ଥରେ ରୋଗ ସଂକ୍ରମଣ ହେବା ପରେ ବା ଟିକା ନେବା କାରଣରୁ ସୃଷ୍ଟ ରୋଗ-ନିରୋଧକ କ୍ଷମତାକୁ ଟାଳିପାରନ୍ତି ସେଗୁଡ଼ିକ ସବୁଠାରୁ ବିପଜ୍ଜନକ। ମ୍ୟୁ ଭାରିଆଣ୍ଟ ହେଉଛି ସେହି କିସମର ବୋଲି ତୁର୍କୁ ବିଶ୍ବବିଦ୍ୟାଳୟର ଭାଇରୋଲୋଜି ପ୍ରଫେସର ଇଲ୍‌କା ଜୁଲ୍‌କୁନେନ କହିଛନ୍ତି।

ଦକ୍ଷିଣ ଆମେରିକାର କଲମ୍ବିଆ ଓ ଅନ୍ୟ ଦେଶରେ ଏହି ମ୍ୟୁ ଭାରିଆଣ୍ଟ ସଂକ୍ରମଣ ବଢ଼ାଉଛି ବୋଲି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ସତର୍କ କରାଇଥିଲା। ଏହି ଭାରିଆଣ୍ଟକୁ ବୈଜ୍ଞାନିକ ପରିଭାଷାରେ ବି.୧.୬୨୧ ବୋଲି ନାମକରଣ କରାଯାଇଛି। ଗତମାସରେ ଡବ୍ଲୁଏଚ୍‌ଓ ଏହାକୁ ଭାରିଆଣ୍ଟ ଅଫ୍ ଇଣ୍ଟରେଷ୍ଟ ବୋଲି ଅଭିହିତ କରିଛି କାରଣ ଶରୀରର ରୋଗପ୍ରତିରୋଧୀ ବ୍ୟବସ୍ଥା ଉପରେ ଏହାର କେତେକ ମ୍ୟୁଟେଶନର ପ୍ରଭାବ ସମ୍ପର୍କରେ ଅଧିକ ଗବେଷଣାର ଆବଶ୍ୟକତା ରହିଛି। ମ୍ୟୁ ଭାରିଆଣ୍ଟର କେତେକ ମ୍ୟୁଟେସନର ନାମ ହେଉଛି ଇ୪୮୪କେ, ଏନ୍‌୫୦୧ୱାଇ ଓ ଡି୬୧୪ଜି, ଯେଉଁଗୁଡ଼ିକ ବ୍ୟାପକ ଭାବେ ସଂକ୍ରମିତ ହେବା ସହ ରୋଗପ୍ରତିରୋଧକ-କ୍ଷମତାକୁ ଖାତିର କରନ୍ତି ନାହିଁ। ଦକ୍ଷିଣ ଆମେରିକା ଓ ୟୁରୋପରେ ଏହି ଭାରିଆଣ୍ଟ ବହୁ ସଂଖ୍ୟାରେ ଲୋକଙ୍କୁ ସଂକ୍ରମିତ କରିଛି ବୋଲି ଡବ୍ଲୁଏଚ୍‌ଓ ପକ୍ଷରୁ ଜଣାପଡ଼ିଛି।

ସମ୍ବନ୍ଧିତ ଖବର