କେନ୍ଦ୍ରର କରୋନା ଗାଇଡଲାଇନ : ଗମନାଗମନ ଓ ମାଲ ପରିବହନ ପାଇଁ କୌଣସି ସ୍ବତନ୍ତ୍ର ଅନୁମତିର ଆବଶ୍ୟକତା ନାହିଁ

ନୂଆଦିଲ୍ଲୀ : ଦେଶରେ କରୋନା ସଂକ୍ରମଣ ପୁଣି ବଢୁଥିବାରୁ କେନ୍ଦ୍ର ସରକାର ଆଜି ଏପ୍ରିଲ ମାସ ପାଇଁ କରୋନା ଗାଇଡଲାଇନ ଜାରି କରିବା ସହ କଟକଣା କଡ଼ାକଡ଼ି କରିଛନ୍ତି । ତେବେ ଲୋକମାନଙ୍କ ଗମନାଗମନ  ଓ  ଅର୍ଥନୈତିକ କାର୍ଯ୍ୟକଳାପ ଉପରେ କୌଣସି କଟକଣା ଲଗାଯାଇନାହିଁ ।

ଗୃହ ମନ୍ତ୍ରାଳୟ ପକ୍ଷରୁ ଆଜି ଜାରି ହୋଇଥିବା ଗାଇଡଲାଇନରେ ଅବରୋଧ ଅଂଚଳ ବା କଣ୍ଟେନମେଣ୍ଟ ଜୋନ ବାହାରେ ସବୁ କାର୍ଯ୍ୟକଳାପକୁ ଅନୁମତି ଦେଇଛନ୍ତି । ଅର୍ଥାତ ବିମାନ ଚଳାଚଳ, ରେଳ ଚଳାଚଳ, ମେଟ୍ରୋ ଟ୍ରେନ, ଉଚ୍ଚ ଶିକ୍ଷାନୁଷ୍ଠାନ, ଜିମ, ଯୋଗ କେନ୍ଦ୍ର, ମଲଟିପ୍ଲେକ୍ସ, ସପିଂ ମଲ, ହୋଟେଲ ଓ ରେସ୍ତୋରାଁ, ପାର୍କ, ପ୍ରଦର୍ଶନୀ ଆଦିକୁ ଅନୁମତି ଦିଆଯାଇଛି । କିନ୍ତୁ ଏସବୁ କାର୍ଯ୍ୟକଳାପ ପାଇଁ ପୂର୍ବରୁ ଜାରି ଏସଓପିକୁ କଡ଼ାକଡ଼ିଭାବେ ପାଳନ କରିବାକୁ ରାଜ୍ୟମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ସେହିପରି ରାଜ୍ୟ ମଧ୍ୟରେ ଓ ରାଜ୍ୟ-ରାଜ୍ୟ ମଧ୍ୟରେ ଲୋକମାନଙ୍କ ଓ ମାଲ ପରିବହନ ନେଇ କୌଣସି ରୋକ ଲଗାଯାଇ ନାହିଁ । ଏସବୁ କାର୍ଯ୍ୟକଳାପ ପାଇଁ କୌଣସି ସ୍ବତନ୍ତ୍ର ଅନୁମତିପତ୍ର ଆବଶ୍ୟକ ହେବ ନାହିଁ ।

ଅନ୍ୟପକ୍ଷରେ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଶାସନ ପରିସ୍ଥିତିକୁ ଦୃଷ୍ଟିରେ ରଖି ସ୍ଥାନୀୟ ସ୍ତରରେ ବା ଓ୍ବାର୍ଡସ୍ତରରେ ଆବଶ୍ୟକ କଟକଣା ଲଗାଇପାରିବେ ।

ସେହିପରି ଭିଡ଼ ନିୟନ୍ତ୍ରଣ ଓ ସାମାଜିକ ଦୂରତ୍ବ ପାଳନ ପାଇଁ ପ୍ରଶାସନ ପକ୍ଷରୁ ଆବଶ୍ୟକ ପଡ଼ିଲେ ଧାରା ୧୪୪ ଲଗାଯାଇପାରିବ ।

ସମ୍ବନ୍ଧିତ ଖବର