ଶିକ୍ଷା ଓ ଶ୍ରମିକଙ୍କ ରୋଜଗାରରେ ସର୍ବାଧିକ କ୍ଷତି ଆଣିଛି କୋଭିଡ୍‌

ନୂଆଦିଲ୍ଲୀ: ଏସୀୟ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ବିଶେଷ କରି ଭାରତର ଗ୍ରାମାଞ୍ଚଳରେ ଶିକ୍ଷା ଓ ଶ୍ରମଜୀବୀଙ୍କ ରୋଜଗାରର ସର୍ବାଧିକ କ୍ଷଟି ଘଟିଛି ବୋଲି ଜାତିସଂଘ ରିପୋର୍ଟରୁ ଜଣାଯାଇଛି। ମହାମାରୀର ପ୍ରଭାବ ଓ ଧାରଣଯୋଗ୍ୟ ବିକାଶ ଲକ୍ଷ୍ୟର ଅଗ୍ରଗତି ସମ୍ପର୍କରେ ଅନୁଧ୍ୟାନ କରି ଜାତିସଂଘ ପକ୍ଷରୁ ମଙ୍ଗଳବାର ଏହି ରିପୋର୍ଟ ପ୍ରକାଶ ପାଇଛି।

ସୂଚନାନୁଯାୟୀ, ସାର୍କ ଦେଶ ସମୂହ ସମେତ ଇରାନ ଓ ତୁର୍କୀ ଅନ୍ତର୍ଭୁକ୍ତ ଥିବା ଦକ୍ଷିଣ ଓ ଦକ୍ଷିଣ-ପଶ୍ଚିମ ଏସିଆ(ଏସ୍‌ଏସ୍‌ଡବ୍‌ଲ୍ୟୁଏ) ଗୋଷ୍ଠୀର ଭାରତ ହେଉଛି ବୃହତ୍ତମ ଦେଶ। ଏଠାରେ ଦାରିଦ୍ର୍ୟ , ଅନାହାର ଓ ସ୍ବାସ୍ଥ୍ୟ ସମସ୍ୟା ଦୂରୀକରଣ ଦିଗରେ ଯଥେଷ୍ଟ ପ୍ରଗତି ହୋଇଥିଲେ ବି ୨୦୩୦ ପାଇଁ ଧାର୍ଯ୍ୟ ଥିବା ଲକ୍ଷ୍ୟ ହାସଲ ଲାଗି ଆହୁରି ଅନେକ କିଛି କରିବାକୁ ହେବ ବୋଲି କୁହାଯାଇଛି। ଯଦିଓ କେବଳ ଅଙ୍ଗାରକାମ୍ଳ ନିର୍ଗମନ ଓ ବାୟୁ ମାନକରେ ସାମାନ୍ୟ ଉନ୍ନତି ପରିଲକ୍ଷିତ ହୋଇଛି, ଅନ୍ୟାନ୍ୟ ଦିଗରେ ଅଗ୍ରଗତି ହାରକୁ ମହାମାରୀ କୋଭିଡ୍‌ ହିଁ ପଛୁଆ କରିଦେଇଛି। କୋଭିଡ୍‌ର ପ୍ରଭାବ ଯୋଗୁଁ ସଂଘଟିତ ବାସ୍ତବ କ୍ଷତି ଜାତିସଂଘ ପକ୍ଷରୁ ଆକଳନ କରାଯାଇଥିବା କ୍ଷତିଠାରୁ ଯଥେଷ୍ଟ ଅଧିକ ବୋଲି ଜଣାଯାଇଛି। ଏହି ଅଞ୍ଚଳରେ ପୂର୍ବ ବର୍ଷ ତୁଳନାରେ ୫ ଲକ୍ଷ ଅଧିକ ଶିଶୁଙ୍କର ମୃତ୍ୟୁ ଘଟିଛି।

ସେହପରି ୮୩ କୋଟି ଅସଂଗଠିତ ଶ୍ରମିକଙ୍କର ଜୀବିକା ପ୍ରଭାବିତ ହୋଇଛି। ବିଶେଷ କରି ଶ୍ରମଜୀବୀମାନେ ୨୦୧୯ ତୁଳନାରେ ୨୦୨୦ ମସିହାରେ ସେମାନଙ୍କ ବାର୍ଷିକ ଆୟର ୧୩.୫% ହରାଇ ବସିଛନ୍ତି। ସେହିପରି ସଟ୍‌ଡାଉନ୍‌ ଯୋଗୁଁ ଏସୀୟ ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରରେ ହାରାହାରି ୧୦୧ ଦିନର ଶିକ୍ଷା ହରାଇଥିବା ବେଳେ ଭାରତରେ ୧୨୭ ଦିନର ଶିକ୍ଷା ହରାଇଥିବା ଜଣାଯାଇଛି।

ସମ୍ବନ୍ଧିତ ଖବର