ନୂଆଦିଲ୍ଲୀ: ମାରାତ୍ମକ ତଥା ଦ୍ରୁତ କରୋନାଭାଇରସ୍ ସଂକ୍ରମଣ ରୋକିବା ଲାଗି ଶନିବାର ଦିନ କେରଳ, ଦିଲ୍ଲୀ, ପୁଡୁଚେରୀ, ମେଘାଳୟ ଏବଂ ମିଜୋରାମ୍ ଲକ୍ଡାଉନ୍ ଅବଧି ବୃଦ୍ଧି କରିଥିବା ବେଳେ ହିମାଚଳ ପ୍ରଦେଶ ଏବଂ କର୍ଣ୍ଣାଟକ କେତେକ କଟକଣା କୋହଳ କରିଛନ୍ତି।
କୋଭିଡ୍-୧୯ ମହାମାରୀ ବିସ୍ତାର ଦମନ କରିବା ଲାଗି ରାଜ୍ୟବ୍ୟାପୀ ଜୁନ୍ ୯ ତାରିଖ ପର୍ଯ୍ୟନ୍ତ ଲକ୍ଡାଉନ୍ ବୃଦ୍ଧି କରାଯାଇଥିବା କଥା ସାମ୍ବାଦିକ ସମ୍ମିଳନୀରେ କେରଳର ମୁଖ୍ୟମନ୍ତ୍ରୀ ପିନରାୟି ବିଜୟନ ଘୋଷଣା କରିଛନ୍ତି। କିନ୍ତୁ, ଏହି ସମୟ ମଧ୍ୟରେ ରାଜ୍ୟରେ କେତେକ ବ୍ୟାପାର ନିମନ୍ତେ କଟକଣା କୋହଳ କରାଯାଇଛି। ଲକ୍ଡାଉନ୍ ସତ୍ତ୍ବେ ରାଜ୍ୟରେ ସପ୍ତାହକୁ ୩ ଦିନ ପାଇଁ ଅଳଙ୍କାର ଦୋକାନ, ବସ୍ତ୍ରାଳୟ ବଜାର ଏବଂ ବହି ଦୋକାନ ଖୋଲି ପାରିବ। ୫୦% କର୍ମଚାରୀଙ୍କୁ ନେଇ ଶିଳ୍ପ ଓ କ୍ଷୁଦ୍ର କାରଖାନା ସବୁ ଚାଲିପାରିବ। ବ୍ୟାଙ୍କ୍ ସବୁ ସପ୍ତାହକୁ ୩ ଦିନ ଖୋଲି ପାରିବ।
/sambad/media/post_attachments/wp-content/uploads/2021/05/lockdown1.jpg)
ପୁଡୁଚେରୀ ସରକାର ମଧ୍ୟ ଜୁନ୍ ୭ ତାରିଖ ମଧ୍ୟରାତ୍ରୀ ପର୍ଯ୍ୟନ୍ତ ଲକ୍ଡାଉନ୍ ପରିବର୍ଦ୍ଧିତ କରିଛନ୍ତି। ସେହିଭଳି ଦିଲ୍ଲୀ ସରକାର ଜୁନ୍ ୭ ତାରିଖଯାଏଁ ଲକ୍ଡାଉନ୍ ଘୋଷଣା କରିଥିଲେ ବି ସ୍ବୀକୃତିପ୍ରାପ୍ତ ଶିଳ୍ପାଞ୍ଚଳରେ ଉତ୍ପାଦନ ଓ ନିର୍ମାଣ ଶିଳ୍ପଗୁଡ଼ିକ ଖୋଲିବାକୁ ଅନୁମତି ଦେଇଛନ୍ତି।
ଏହା ବ୍ୟତିରେକେ, ମିଜୋରାମ, ମେଘାଳୟ ଏବଂ ଗୋଆ ସରକାର ମଧ୍ୟ ଯଥାକ୍ରମେ ଜୁନ୍ ୬ ଓ ୭ ପର୍ଯ୍ୟନ୍ତ ଲକ୍ଡାଉନ୍ ବଢ଼ାଇବାକୁ ନିଷ୍ପତ୍ତି ନେଇଛନ୍ତି। ହିମାଚଳ ପ୍ରଦେଶ ମଧ୍ୟ କିଛି ମାତ୍ରାରେ ଲକ୍ଡାଉନ୍ କଟକଣା କୋହଳ କରିଛନ୍ତି।
କର୍ଣ୍ଣାଟକରେ ଜୁନ୍ ୭ ତାରିଖ ପର୍ଯ୍ୟନ୍ତ ଜାରି ହୋଇଥିବା ଲକ୍ଡାଉନ୍ ପୁଣି ବୃଦ୍ଧି କରାଯିବା ସଂକ୍ରାନ୍ତରେ କିଛି ସ୍ଥିର ହୋଇ ନ ଥିବା କଥା ମୁଖ୍ୟମନ୍ତ୍ରୀ ବିଏସ୍ ୟେଦିୟୁରପ୍ପା କହିଛନ୍ତି।