ୟୁରୋପରେ କୋଭିଡ୍ ସଂକ୍ରମଣ ମାମଲା: ୧୦ କୋଟି ଟପିଲା

ପ୍ୟାରିସ: ୟୁରୋପରେ କରୋନା ମହାମାରୀ ଆରମ୍ଭରୁ ଆଜିଯାଏ ମୋଟ ୧୦ କୋଟିରୁ ଊର୍ଦ୍ଧ୍ବ ସଂକ୍ରମଣ ହୋଇସାରିଥିବା ଏକ ରିପୋର୍ଟରୁ ଜଣାପଡ଼ିଛି ଯାହା ସ‌ାରା ପୃଥିବୀରେ ହୋଇଥିବା ମୋଟ ସଂକ୍ରମଣର ଏକ ତୃତୀୟାଂଶରୁ ଅଧିକ। ରିପୋର୍ଟ ଅନୁସାରେ, ୟୁରୋପ ମହାଦେଶ ଗତ କିଛି ମାସ ଭିତରେ ପୁଣିଥରେ ମହାମାରୀର ଏପିସେଣ୍ଟରରେ ପରିଣତ ହୋଇଛି। ଦ୍ରୁତ ସଂକ୍ରମଣଶୀଳ ଉଦ୍‌ବେଗଜନକ ଭାରିଆଣ୍ଟ ଓମିକ୍ରନ୍‌ର ମୁକାବିଲା କରିବା ପାଇଁ ଏହା ପ୍ରାଣପଣେ ଚେଷ୍ଟା ଜାରି ରଖିଛି। ୫୨ଟି ଦେଶ ଏବଂ ଆଟଲାଣ୍ଟିକ୍ ଉପକୂଳରୁ ଆଜରବାଇଜାନ ଓ ରୁଷିଆ ପର୍ଯ୍ୟନ୍ତ ସମଗ୍ର ୟୁରୋପରେ ଦୁଇବର୍ଷ ଭିତରେ ମୋଟ ୧୦୦,୦୭୪,୭୫୩ କୋଭିଡ୍ ସଂକ୍ରମଣ ଘଟିଛି।

ସାରା ବିଶ୍ବରେ ଅଦ୍ୟାବଧି ମୋଟ ୨୮୮,୨୭୯,୮୦୩ ଜଣ ସଂକ୍ରମିତ ହୋଇଥିବା ଘୋଷଣା କରାଯାଇଥିବାରୁ ଏହି ସଂଖ୍ୟା ତା’ର ଏକତୃତୀୟାଂଶରୁ ଅଧିକ। ୟୁରୋପରେ ଅଦ୍ୟାବଧି ହୋଇଥିବା ମୋଟ ସଂକ୍ରମଣ ମଧ୍ୟରୁ କେବଳ ଗତ ସାତଦିନ ଭିତରେ ୪.୯ ନିୟୁତରୁ ଅଧିକ ସଂକ୍ରମଣ ହୋଇଥିବା ରିପୋର୍ଟ ମିଳିଛି। ୫୨ରୁ ୧୭ଟି ଦେଶ କେବଳ ଏଇ ସାତଦିନ ଭିତରେ ସଂକ୍ରମଣରେ ପୂର୍ବର ରେକର୍ଡ ଭାଙ୍ଗିଛନ୍ତି। କେବଳ ଫ୍ରାନ୍ସରେ ଗତ ସପ୍ତାହରେ ଏକ ନିୟୁତରୁ ଅଧିକ ସଂକ୍ରମଣ ହୋଇଛି ଯାହା ଦେଶରେ ଅଦ୍ୟାବଧି ହୋଇଥିବା ମୋଟ ସଂକ୍ରମଣର ୧୦ ପ୍ରତିଶତ। ସାରା ବିଶ୍ବରେ ୟୁରୋପରେ ସବୁଠୁ ଅଧିକ ଲୋକ ଟିକା ନେଇଛନ୍ତି। ୬୫ ପ୍ରତିଶତ ୟୁରୋପୀୟ ଆଂଶିକ ଟିକା ନେଇଥିବା ବେଳେ ୬୧ ପ୍ରତିଶତ ସମ୍ପୂର୍ଣ୍ଣ ଟିକା ନେଇଛନ୍ତି। ଏହା ସାରା ବିଶ୍ବରେ ଯଥାକ୍ରମେ ଆଂଶିକ ଓ ସମ୍ପୂର୍ଣ୍ଣ ଟିକା ନେଇଥିବା ୫୮ ଓ ୪୯ ପ୍ରତିଶତଠାରୁ ଅଧିକ।

ସମ୍ବନ୍ଧିତ ଖବର