ଭାରତରେ କୋଭିଡ୍‌ ସଂକ୍ରମଣ, କେବଳ ଜୁଲାଇରେ ୧୧ଲକ୍ଷ

ପ୍ରତି ଘଣ୍ଟାରେ ୨୫ କୋଭିଡ୍‌ ମୃତ୍ୟୁ

ନୂଆଦିଲ୍ଲୀ: ଦେଶରେ ଦିନକରେ ରେକର୍ଡ ୫୭ ହଜାର ୧୧୮ ନୂଆ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି। ମୋଟ୍‌ ସଂକ୍ରମଣ ମାମଲା ୧୬ ଲକ୍ଷ ୯୫ ହଜାର ୯୮୮ ପହଞ୍ଚିଛି। ସେହିପରି ୨୪ ଘଣ୍ଟା ମଧ୍ୟରେ ୭୬୪ ଜଣଙ୍କ ମୃତ୍ୟୁ ହୋଇଛି। ମୋଟ୍‌ ମୃତ୍ୟୁସଂଖ୍ୟା ୩୬ ହଜାର ୫୧୧ ପହଞ୍ଚିଛି। ଦେଶରେ ୧୦ ଲକ୍ଷ ୯୪ ହଜାର ୩୭୪ ଜଣ କରୋନାରୁ ସୁସ୍ଥ ହୋଇଥିବା ବେଳେ ୫ ଲକ୍ଷ ୬୫ ହଜାର ୧୦୩ ସକ୍ରିୟ ମାମଲା ରହିଛି। ମୃତ୍ୟୁହାର ୨.୧୫ ପ୍ରତିଶତକୁ ଖସି ଆସିଛି। ଲଗାତାର ୩ ଦିନ ଧରି ଦେଶରେ ସଂକ୍ରମଣ ମାମଲା ୫୦ ହଜାରରୁ ଅଧିକ ରହୁଛି। ଜୁଲାଇ ମାସରେ ସର୍ବାଧିକ ସଂକ୍ରମଣ ମାମଲା ଦେଖିବାକୁ ମିଳିଛି। ଜୁଲାଇ ମାସରେ ୧୧.୧ ଲକ୍ଷ ସଂକ୍ରମଣ ମାମଲା ରିପୋର୍ଟ କରାଯାଇଥିବା ବେଳେ ୧୯ ହଜାର ୧୨୨ ଜଣଙ୍କ ମୃତ୍ୟୁ ହୋଇଛି। ପୂର୍ବ ମାସ ତୁଳନାରେ ଜୁଲାଇ ମାସରେ ସଂକ୍ରମଣ ମାମଲା ପ୍ରାୟ ୨.୮ ଗୁଣ ଅଧିକ ରହିଛି। ସେହିପରି ମୃତ୍ୟୁସଂଖ୍ୟା ମଧ୍ୟ ୧.୬ ଗୁଣ ଅଧିକ ରହିଛି।

ଜୁଲାଇ ଦ୍ବିତୀହ ସପ୍ତାହ ପରଠାରୁ ଦେଶରେ ପ୍ରାୟ ୭.୩ ଲକ୍ଷ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି। ଜୁଲାଇ ମାସ ଦ୍ବିତୀୟାର୍ଦ୍ଧରେ ୧୧ ହଜାର ୬୦୦ରୁ ଅଧିକ ମୃତ୍ୟୁ ରିପୋର୍ଟ ହୋଇଛି। ଯାହା ମୋଟ୍‌ ମୃତ୍ୟୁ ସଂଖ୍ୟାର ୬୦ ପ୍ରତିଶତ। ଆନ୍ଧ୍ରପ୍ରଦେଶରେ ଲଗାତାର ସଂକ୍ରମଣ ବଢ଼ି ଚାଲିଛି। ଲଗାତାର ୩ ଦିନ ଧରି ଆନ୍ଧ୍ରପ୍ରଦେଶରେ ସଂକ୍ରମଣ ମାମଲା ୧୦ ହଜାରରୁ ଅଧିକ ରହୁଛି। ରାଜ୍ୟରେ ମୋଟ୍‌ ସଂକ୍ରମଣ ମାମଲା ୧ ଲକ୍ଷ ୪୦ ହଜାର ଟପିଯାଇଛି। ତେବେ ଜୁଲାଇରେ ଆନ୍ଧ୍ରପ୍ରଦେଶରେ ସଂକ୍ରମଣ ମାମଲା ୮୬୫ ପ୍ରତିଶତ ବୃଦ୍ଧି ପାଇଛି। ଜୁନ୍‌ ୩୦ରେ ଆନ୍ଧ୍ରପ୍ରଦେଶରେ ସଂକ୍ରମଣ ମାମଲା ମାତ୍ର ୧୪ ହଜାର ୫୯୬ ଥିଲା, କିନ୍ତୁ ଜୁଲାଇ ଶେଷ ବେଳକୁ ଏହା ୧.୨୬ ଲକ୍ଷକୁ ବୃଦ୍ଧି ପାଇଛି। ରାଜ୍ୟରେ କୋଭିଡ୍‌ ପଜିଟିଭ୍‌ ହାର ଜୁଲାଇରେ ୧୧.୯ ପ୍ରତିଶତ ଏବଂ ଆରୋଗ୍ୟ ହାର ୪୫.୩ ପ୍ରତିଶତ ରହିଛି। ଆନ୍ଧ୍ରପ୍ରଦେଶ ଦିଲ୍ଲୀକୁ ଟପିଯାଇ ସର୍ବାଧିକ ସଂକ୍ରମଣ ମାମଲା ଥିବା ରାଜ୍ୟଭାବେ ତୃତୀୟ ସ୍ଥାନରେ ରହିଛି। ସଂକ୍ରମଣ ମାମଲାରେ କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶ ଏବଂ ବିହାର ଏବେ ନୂଆ ହଟ୍‌ସ୍ପଟ୍‌ ପାଲଟିଛି। ଭାରତ କରୋନା ମୃତ୍ୟୁରେ ଗତକାଲି ଇଟାଲିକୁ ଟପିଯାଇଥିଲା। ଦେଶରେ ଅର୍ଦ୍ଧାଧିକ ମୃତ୍ୟୁ କେବଳ ଜୁଲାଇ ମାସରେ ରିପୋର୍ଟ ହୋଇଛି। ଏବେ ପ୍ରତି ଘଣ୍ଟାରେ ଦେଶରେ କରୋନା ଯୋଗୁଁ ୨୫ ଜଣଙ୍କ ମୃତ୍ୟୁ ହେଉଛି। ଦେଶରେ କରୋନା ମୃତ୍ୟୁ ପ୍ରତି ୩୨ ଦିନରେ ଦ୍ବିଗୁଣା ହେଉଛି। ଭାରତରେ ଏବେ ଦୈନିକ ୭୦୦ରୁ ଅଧିକ ମୃତ୍ୟୁ ହେଉଛି।

ସମ୍ବନ୍ଧିତ ଖବର