ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀରେ କରୋନା ସଂକ୍ରମଣ ସମ୍ପୂର୍ଣ୍ଣ ନିୟନ୍ତ୍ରଣାଧୀନ ଥିଲା। କିନ୍ତୁ ଏବେ ପୁଣିଥରେ ସଂକ୍ରମଣ ବଢ଼ିଛି। ନିର୍ଦ୍ଦିଷ୍ଟ ଭାବେ ଅଗଷ୍ଟ ମଧ୍ୟଭାଗରୁ ସଂକ୍ରମଣ ହଠାତ୍ ବଢ଼ିଯାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ଦିଲ୍ଲୀରେ ୨,୩୦୦ରୁ ଅଧିକ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି। ୨ ମାସ ମଧ୍ୟରେ ଦିଲ୍ଲୀରେ ଏହା ସର୍ବାଧିକ ସଂକ୍ରମଣ। ଜୁଲାଇ ୪ ପରଠାରୁ ଦିଲ୍ଲୀରେ ସଂକ୍ରମଣ କମିଥିଲା। ଜୁଲାଇ ୪ରେ ସର୍ବାଧିକ ୨,୫୨୦ ସଂକ୍ରମଣ ମାମଲା ଚିହ୍ନଟ ହୋଇଥିଲା। ଅନ୍ୟପକ୍ଷେ ଜୁନ୍ ୨୩ରେ ୩,୯୦୦ ସଂକ୍ରମଣ ମାମଲା ଥିଲା। ଅଗଷ୍ଟ ୪ରେ ଦିଲ୍ଲୀରେ ସକ୍ରିୟ ମାମଲା ଥିଲା ୯,୮୯୭ କିନ୍ତୁ ଏହା ଏବେ ୧୫ ହଜାର ୮୦୦କୁ ବୃଦ୍ଧି ପାଇଛି। ତେବେ କେଉଁ କାରଣ ପାଇଁ ଦିଲ୍ଲୀରେ ହଠାତ୍ ସଂକ୍ରମଣ ବଢ଼ିଗଲା ସେନେଇ ପ୍ରଶ୍ନ ଉଠିଛି।
ଦିଲ୍ଲୀ ବଜାରରେ ଲୋକମାନଙ୍କୁ ବିନା ମାସ୍କରେ ଦେଖିବାକୁ ମିଳିଛି। ଲୋକମାନେ ଯେତିକି ସଚେତନ ଥିଲେ ସଂକ୍ରମଣ ମାମଲା କମିବାପରେ ପୁଣିଥରେ ବେପରୁଆ ହୋଇଗଲେ। ନିକଟରେ ଦିଲ୍ଲୀ ପୁଲିସ ୧.୯ ଲକ୍ଷ ଲୋକ ମାସ୍କ ପିନ୍ଧିନଥିବାରୁ ଜରିମାନା କରିଥିଲା। ଜନସାଧାରଣଙ୍କ ବେପରୁଆ କାର୍ଯ୍ୟକଳାପ ପାଇଁ ହଠାତ୍ ସଂକ୍ରମଣ ବଢ଼ିଯାଇଥିବା କୁହାଯାଉଛି। ଅନ୍ୟପକ୍ଷେ ଦିଲ୍ଲୀରେ ଜୁଲାଇ ମଧ୍ୟ ଭାଗରେ ଟେଷ୍ଟିଂ ବଢ଼ିଥିଲା। କିନ୍ତୁ ସଂକ୍ରମଣ ମାମଲା କମିବା ସହ ଦିଲ୍ଲୀରେ ଟେଷ୍ଟିଂ ମଧ୍ୟ କମିଯାଇଛି। ମଲ୍, ସାପ୍ତାହିକ ବଜାର, ରେସ୍ତୋରାଁ , ହୋଟେଲ୍ ଏବଂ ସ୍ଥାନୀୟ ପାର୍କ୍ ଖୋଲିବା ସହ ଦିଲ୍ଲୀରେ ସଂକ୍ରମଣ ଆହୁରି ଅଧିକ ବଢ଼ିବ ବୋଲି କୁହାଯାଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/09/corona-test-44.jpg)