୨ଟି କୋଭିଡ୍ଜନିତ ମୃତ୍ୟୁ ରେକର୍ଡ, ବର୍ଷକରୁ ଅଧିକ ସମୟ ପରେ ଚୀନ୍ରେ ପ୍ରଥମ କୋଭିଡ୍ ମୃତ୍ୟୁ
ସଂକ୍ରମଣ ବଢ଼ିଲେ ଆମେରିକାରେ ହୋଇପାରେ ଲକ୍ଡାଉନ୍
ନୂଆଦିଲ୍ଲୀ: କିଛି ସପ୍ତାହ ଧରି ସମଗ୍ର ବିଶ୍ବରେ କୋଭିଡ୍-୧୯ ସଂକ୍ରମଣ ହ୍ରାସ ପାଇବା ପରେ ପୁଣି ଏହି ଭୂତାଣୁ ସଂକ୍ରମଣ ବୃଦ୍ଧି ପାଉଥିବା ଲକ୍ଷ୍ୟ କରାଯାଉଛି। ଚୀନ୍ ଓ ଦକ୍ଷିଣ କୋରିଆ ଭଳି ଦେଶଗୁଡ଼ିକରେ ଦୈନିକ ଓମିକ୍ରନ୍ ଭେରିଏଣ୍ଟ୍ଜନିତ କୋଭିଡ୍ ସଂକ୍ରମଣ ପ୍ରଖର ବେଗରେ ବ୍ୟାପୁଛି।
ଚୀନ୍ ସମ୍ପ୍ରତି ଆଞ୍ଚଳିକ ସଂକ୍ରମଣର ସବୁଠୁ ବଡ଼ ଲହର୍ ସହ ମୁକାବିଲା କରୁଥିବା ବେଳେ ଶନିବାର ୨ଟି କୋଭିଡ୍ଜନିତ ମୃତ୍ୟୁ ରେକର୍ଡ କରିଛି। ୨୦୨୧ ପର ଠାରୁ ଏହା ହେଉଛି ଚୀନ୍ରେ ପ୍ରଥମ କୋଭିଡ୍ଜନିତ ମୃତ୍ୟୁ ମାମଲା। ଶନିବାର ଦିନ ଚୀନ୍ ରିପୋର୍ଟ କରିଥିବା ୨,୧୫୭ ନୂଆ କୋଭିଡ୍-୧୯ ଗୋଷ୍ଠୀ ସଂକ୍ରମଣ ମାମଲାଗୁଡ଼ିକରୁ ଅଧିକାଂଶ ହେଉଛି ଜିଲିନ୍ ପ୍ରଦେଶର।
ସେହିପରି, ହଙ୍ଗ୍କଙ୍ଗ୍ରେ ସମୁଦାୟ କୋଭିଡ୍ ସଂକ୍ରମଣ ମାମଲା ୧ ନିୟୁତ ଟପିଛି। ଶୁକ୍ରବାର ଦିନ ରେକର୍ଡ କରାଯାଇଥିବା ୨୦,୦୭୯ ସଂକ୍ରମଣ ମାମଲାକୁ ମିଶାଇ ମହାମାରୀ ଆରମ୍ଭରୁ ଏ ପର୍ଯ୍ୟନ୍ତ ସମୁଦାୟ ୧,୦୧୬,୯୪୪ ଜଣ ସଂକ୍ରମିତ ହୋଇଛନ୍ତି।
/sambad/media/post_attachments/wp-content/uploads/2022/03/china1.jpg)
ମେନ୍ଲାଣ୍ଡ୍ ଚାଇନାରେ ଏ ପର୍ଯ୍ୟନ୍ତ ସମୁଦାୟ ମୃତ୍ୟୁସଂଖ୍ୟା ୪,୬୩୬ ହୋଇଥିବା ବେଳେ ହଙ୍ଗ୍କଙ୍ଗ୍ରେ ସମୁଦାୟ ମୃତ୍ୟୁସଂଖ୍ୟା ୫,୪୦୧ରେ ପହଞ୍ଚିଲାଣି।
ସେପଟେ, ଆମେରିକୀୟ ରାଷ୍ଟ୍ରପତି ଜୋ ବାଇଡେନ୍ଙ୍କ ମୁଖ୍ୟ ଡାକ୍ତରୀ ଉପଦେଷ୍ଟା ଡାକ୍ତର ଆନ୍ଥୋନି ଫାଉଚି ସତର୍କ କରାଇ କହିଛନ୍ତି, ଯଦି ସଂକ୍ରମଣ ବୃଦ୍ଧି ପାଏ ତେବେ, ଯଥାଶୀଘ୍ର ଆମେରିକାରେ ଲକ୍ଡାଉନ୍ ଘୋଷଣା କରାଯିବ। ସେ କହିଛନ୍ତି, ଓମିକ୍ରନ୍ ପ୍ରଜାତିର ଉପ-ପ୍ରଜାତି ‘ବିଏ.୨’ ଅବିଳମ୍ବେ ଯୁକ୍ତରାଷ୍ଟ୍ର ଆମେରିକାରେ ସଂକ୍ରମଣ ହାର ବୃଦ୍ଧି କରାଇପାରେ।
ଏହା ବ୍ୟତିରେକେ, ଶନିବାର ଦିନ ଦକ୍ଷିଣ କୋରିଆ ୩୮୧,୪୫୪ଟି ନୂଆ କୋଭିଡ୍-୧୯ ସଂକ୍ରମଣ ରିପୋର୍ଟ କରିଛି। ଏହାକୁ ମିଶାଇ ସେଠାକାର ସମୁଦାୟ ସଂକ୍ରମଣ ସଂଖ୍ୟା ୯,୦୩୮,୯୩୮ରେ ପହଞ୍ଚିଥିବା କଥା ‘ୟୋନ୍ହାପ୍ ନିଉଜ୍ ଏଜେନ୍ସି’ ରିପୋର୍ଟ କରିଛି। ଏହା ମଧ୍ୟ ଓମିକ୍ରନ୍ ଭେରିଏଣ୍ଟ୍ଜନିତ ସଂକ୍ରମଣ ବୋଲି ‘କୋରିଆ ଡିଜିଜ୍ କଣ୍ଟ୍ରୋଲ୍ ଆଣ୍ଡ୍ ପ୍ରିଭେନ୍ସନ୍ ଏଜେନ୍ସି’ କହିଛି।