ନୂଆଦିଲ୍ଲୀ : ଚୀନ୍ର ଉହାନ ବିଜ୍ଞାନାଗାରରେ କାମ କରୁଥିବା ଜନୈକ ଆମେରିକୀୟ ବୈଜ୍ଞାନିକ ତାଙ୍କ ଲିଖିତ ନୂତନ ପୁସ୍ତକରେ କୋଭିଡ୍-୧୯ ଭୂତାଣୁର ଉତ୍ପତ୍ତି ସମ୍ବନ୍ଧରେ ଆଜିଯାଏ ଲୁଚେଇ ରଖାଯାଇଥିବା ସତକୁ ଉଗାଳିଛନ୍ତି। ସେ ଏହାକୁ ପ୍ରାକୃତିକ ନୁହେଁ ବରଂ ଏକ ମାନବ-ସୃଷ୍ଟ ଭୂତାଣୁ ବୋଲି କହିଛନ୍ତି।
ଏକ ବ୍ରିଟିସ ଖବରକାଗଜ ‘ଦ ସନ୍’କୁ ଆମେରିକୀୟ ଉହାନ ବୈଜ୍ଞାନିକ ଆଣ୍ଡ୍ରୁ ହଫ୍ ଦେଇଥିବା ବିବୃତି ଅନୁଯାୟୀ ସରକାରୀ ପାଣ୍ଠିରେ ପରିଚାଳିତ ଉହାନ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଭାଇରୋଲୋଜି (ୱାଇଆଇଭି)ରୁ ଦୁଇବର୍ଷ ତଳେ କୋଭିଡ୍ ଭୂତାଣୁ ଲିକ୍ ହୋଇଥିଲା।
ମହାମାରୀ ରୋଗ ବିଶାରଦ ହଫ୍ ଏହି କଥା ତାଙ୍କର ସଦ୍ୟତମ ପୁସ୍ତକ ‘ଦ ଟ୍ରୁଥ୍ ଏବାଉଟ୍ ଉହାନ’ରେ ଲେଖିଛନ୍ତି। ସେ ଲେଖିଛନ୍ତି ଯେ ଚୀନ୍ର ଉହାନ ବିଜ୍ଞାନାଗାରରେ କରୋନା ଭୂତାଣୁ ଉପରେ ଗବେଷଣା ଚାଲୁଥିବା ବେଳେ ଆମେରିକା ସରକାର ପାଣ୍ଠି ଯୋଗାଉଥିଲେ। ସେଇଠୁ ଲିକ୍ ହୋଇ ଏ ମହାମାରୀ ବିଶ୍ବରେ ଆତଙ୍କ ସୃଷ୍ଟି କରିଥିଲା। ଇଂଲଣ୍ଡର ଖବରକାଗଜରେ ଏହା ପ୍ରକାଶ ପାଇବା ପରେ ତାକୁ ଉଦ୍ଧାର କରି ନ୍ୟୁୟର୍କ ଟାଇମ୍ସ ମଧ୍ୟ ପ୍ରକାଶ କରିଛି।
ହଫ୍ ହେଉଛନ୍ତି ସଂକ୍ରାମକ ରୋଗ ବିଷୟରେ ଅଧ୍ୟୟନ କରୁଥିବା ଏକ ଅଣଲାଭଜନକ ସଂସ୍ଥା ଇକୋହେଲ୍ଥ ଆଲାଏନ୍ସର ପୂର୍ବତନ ସଭାପତି। ସେ ଦାବି କରିଛନ୍ତି ଯେ, ଉହାନ ବିଜ୍ଞାନାଗାରରେ ଯଥେଷ୍ଟ ସୁରକ୍ଷା ବ୍ୟବସ୍ଥା ନ ଥିଲା। ତେଣୁ ଭୂତାଣୁ ଲିକ୍ ହୋଇ ମହାମାରୀ ସୃଷ୍ଟି କଲା। କିନ୍ତୁ ପୂର୍ବରୁ ଉଭୟ ଚୀନ୍ ସରକାର ଏବଂ ଉହାନ ବିଜ୍ଞାନାଗାର କର୍ମଚାରୀମାନେ ଏହାକୁ ବାରମ୍ବାର ଅସ୍ବୀକାର କରି ଆସିଥିଲେ।